ନବରଙ୍ଗପୁର: ନକଲି ସୁନାଶଙ୍ଖ ଦେଇ ଫସେଇବା ଉଦ୍ୟମ ଓ ପ୍ରତିବାଦରେ ଯୁବକକୁ ଅପହରଣ ଘଟଣାରେ ବନ୍ଦ କୋଠରୀରୁ ମଧ୍ୟପ୍ରଦେଶରୁ ଯୁବକକୁ ଉଦ୍ଧାର କରିବା ସହ ନକଲି ସୁନାଶଙ୍ଖକୁ ଜବତ କରିଛି ମଇଦଲପୁର ପୁଲିସ। ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ ଓ ମଇଦଲପୁର ଥାନା ଅଧିକାରୀ ନଟବର ନନ୍ଦ କହିଛନ୍ତି ଏକ ନିଖୋଜ ମାମଲାକୁ ତଦନ୍ତ କରିବା ବେଳେ ଜଣାପଡିଛି ଯେ ନବରଙ୍ଗପୁର ଜିଲ୍ଲା ଚନ୍ଦ୍ରପୁର ଗାଁର ରବିନ୍ଦ୍ର ମିରଗାନ ନକଲି ସୁନାଶଙ୍ଖ ଦେଖାଇ ଅସଲି ଶଙ୍ଖ ବୋଲି କହି ଡିଲ୍ କରିବା ପାଇଁ ଛତିଶଗଡ଼ର କୋଣ୍ଡାଗାଁକୁ ଯାଇଥିଲେ। ଉକ୍ତ ନକଲି ସୁନା ଶଙ୍ଖ ଦେଖାଇ ତାଙ୍କ ଠାରୁ ୫୦ ହଜାର ଟଙ୍କା ଅଗ୍ରୀମ ଆକାରରେ ନେଇଥିଲେ। ଯେତେବେଳେ କିଣିବା ପାଇଁ ଆସିଥିବା ବ୍ୟକ୍ତି ଏହା ନକଲି ବୋଲି ଜାଣିଲେ ତେବେ ରବୀନ୍ଦ୍ରକୁ କୋଣ୍ଡାଗାଁରୁ ମଧ୍ୟପ୍ରଦେଶର ଛିଛୋଲି ଗ୍ରାମକୁ କିଡନାପ୍ କରି ନେଇ ସେଠାରେ ରବିନ୍ଦ୍ରକୁ ଅଟକ ରଖି ତାଙ୍କ ଖର୍ଚ୍ଚ ବାବଦରେ ୬ ଲକ୍ଷ ଟଙ୍କା ପାଇଁ ମୁଣ୍ଡ ଜାମିନ ରଖିଥିଲେ।

Advertisment

publive-image

ଏ ମଧ୍ୟରେ ସେମାନେ୨ ରୁ ଅଧିକ ଥର ଆସିଥିଲେ। ଏନେଇ ରବୀନ୍ଦ୍ରକୁ ଅଟକ ରଖିଥିବା ବ୍ୟକ୍ତିମାନେ ରବୀନ୍ଦ୍ରର ସ୍ତ୍ରୀକୁ ଫୋନ କରି ୬ ଲକ୍ଷ ଟଙ୍କା ନେଇ ଆସ ନଚେତ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ପୂର୍ବରୁ ରବୀନ୍ଦ୍ରର ସ୍ତ୍ରୀ ବନ୍ଦିତା ମଇଦଲପୁର ଥାନାରେ ନିଖୋଜ ମାମଲା ଦେଇଥିବା ବେଳେ ପୁଣି ଥାନାରେ କିଡନାପ ଓ ହତ୍ୟା ଧମକ ନେଇ ଏତଲା ଦେଇଥିଲେ। ବନ୍ଦିତାଙ୍କ ଏତଲାକୁ ଆଧାର କରି ଥାନାରେ ମାମଲା ରୁଜୁ କରିବା ସହ ଯେଉଁ ଫୋନରେ ଧମକ ଆସିଥିଲା ସେହି ଫୋନକୁ ଟ୍ରାକିଂ କରାଯାଇଥିଲା।

ଏସପି ଏସ.ସୁଶ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ଶ୍ରୀ ସେନ ଓ ଥାନା ଅଧିକାରୀ ଶ୍ରୀ ନନ୍ଦ ଏକ ଟିମ ଗଠନ କରି ମଧ୍ୟପ୍ରଦେଶକୁ ପଠାଇ ବନ୍ଦ କୋଠରୀରୁ ରବୀନ୍ଦ୍ରକୁ ଉଦ୍ଧାର କରାଯିବା ସହ କିଡନାପ କରିଥିବା ବିଦ୍ୟାସାଗର ଦୁବେକୁ ଗିରଫ କରିଥିଲା। ନକଲି ସୁନା ଶଙ୍ଖକୁ ବି ପୁଲିସ ସେଠାରୁ ଜବତ କରି ମଇଦଲପୁରକୁ ଆଣିଥିଲା। ଅନ୍ୟପକ୍ଷେ ନକଲି ଶଙ୍ଖ କାରବାର କରି ଠକେଇ ଅଭିଯୋଗରେ ରବୀନ୍ଦ୍ର ନାମରେ ମଧ୍ୟପ୍ରଦେଶର ବିଦ୍ୟାସାଗର ଦୁବେଙ୍କ ବାପା ଚନ୍ଦ୍ରଶେଖରଙ୍କ ଏତଲାକୁ ଆଧାର କରି ଥାନାରେ ମାମଲା ରୁଜୁ କରାଯାଇଥିଲା। ରବିନ୍ଦ୍ର ଓ ବାବା ବିଦ୍ୟାସାଗର ଦୁବେକୁ ତଦନ୍ତ କରିବା ପରେ ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା କୁହାଯାଇଛି। ଅନ୍ୟପକ୍ଷେ ଏହି ନକଲି ସୁନା ଶଙ୍ଖ କାରବାର ମାମଲାରେ କେତେ ଜଣ ସମ୍ପୃକ୍ତ ରହିଛନ୍ତି ସେ ସଂକ୍ରାନ୍ତରେ ତଦନ୍ତ ଚାଲୁ ରହିଛି।