ରାଜପଥରେ ତିନି ଭାଇଙ୍କୁ ହତ୍ୟା ଘଟଣା :ବନ୍ଧାହେଲେ ୨ ମୁଖ୍ୟ ଅଭିଯୁକ୍ତ

ଜମି ବିବାଦ ପାଇଁ ନେଇଥିଲେ ୩ ମୁଣ୍ଡ‌ , ଦିନକ ପୂର୍ବରୁ ଜଂଗଲରେ ହୋଇଥିଲା ଷଡ଼ଯନ୍ତ୍ର, ଖଣ୍ଡା, ଲୁହା ରଡ୍ ଜବତ

ପୁରୀ : ଗତ ୧୪ ତାରିଖରେ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥର ପଟ୍ଟନାଇକିଆ ଛକ ନିକଟରେ ଘଟିଥିବା ଲୋମଟାଙ୍କୁରା ଟ୍ରିପଲ୍‌ ମର୍ଡର ଘଟଣା ଉପରୁ ଆଜି ପରଦା ହଟାଇଛି ପୁଲିସ। ଏହି ଘଟଣାରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା‌ ଦୁଇ ମୁଖ୍ୟ ଅଭିଯୁକ୍ତ ମିଟୁ ବେହେରା (୨୬) ଏବଂ ପ୍ରହଲ୍ଲାଦ ବେହେରା (୨୫)କୁ ଆଜି ଗିରଫ କରାଯାଇଥିବା ପୁରୀ ଏସ୍‌ପି ଉମାଶଙ୍କର ଦାଶ ଏକ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି। ଏଭଳି ଜଘନ୍ୟ ହତ୍ୟାକାଣ୍ଡ ପଛରେ ଜମିବାଡ଼ି ବିବାଦ ଥିଲା ମୁଖ୍ୟ କାରଣ। ଘଟଣାର ଦିନକ ପୂର୍ବରୁ ନିକଟସ୍ଥ ଏକ ଜଂଗଲରେ ଅଭିଯୁକ୍ତମାନେ ଏକାଠି ହୋଇଥିଲେ। ସେଇଠି ହତ୍ୟାକାଣ୍ଡର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବା ସହ ପୂରା ପରିବାରକୁ ରାସ୍ତାରୁ ହଟାଇବାକୁ ଯୋଜନା ହୋଇଥିଲା। ଏହାର ଠିକ୍‌ ଦିନକ ପରେ ଅର୍ଥାତ ୧୪ ତାରିଖରେ ଅଭିଯୁକ୍ତମାନେ ଯୋଜନା ମୁତାବକ ଜଣକ ପରେ ଜଣେ ତିନି ଭାଇଙ୍କୁ ହତ୍ୟା କରିଥିଲେ। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୮ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଉ ୫ ଜଣ ଫେରାର ରହିଛନ୍ତି। ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା ଓ ଲୁହା ରଡ୍‌କୁ ପୁଲିସ ନିକଟସ୍ଥ ଜଂଗଲରୁ ଜବତ କରିଛି।

୧୪ ତାରିଖ ଅପରାହ୍ନ ପ୍ରାୟ ୫ଟା ବେଳେ ସତ୍ୟବାଦୀ ଥାନା ସଦାନନ୍ଦପୁର ଗ୍ରାମର ଦୁଇଭାଇ ପୂର୍ଣ୍ଣଚନ୍ଦ୍ର ବେହେରା ଓ ପଞ୍ଚୁ ବେହେରା ସେମାନଙ୍କ ଢାବାକୁ ଯାଉଥିବା ବେଳେ ପଟ୍ଟନାଇକିଆ ଛକରେ ଡୁଙ୍ଗ ବେହେରା, ସୁବଳ ବେହେରା, ମିଟୁ ବେହେରା, ନିରଞ୍ଜନ ବେହେରା, ଚରଣ ବେହେରା, ରବି ବେହେରା, ଶଙ୍କର ବେହେରା ଓ ପୁନିଆ ବେହେରା ଦୁଇ ଜଣଙ୍କୁ ଅଟକାଇଥିଲେ। ଅଭିଯୁକ୍ତମାନେ ନିକଟସ୍ଥ ଏକ କ୍ୟାବିନ୍‌ରେ ପୂର୍ବରୁ ଲୁଚାଇ ରଖିଥିବା ଖଣ୍ଡା, ଭୁଜାଲି, କଟୁରି ଆଦି ମାରଣାସ୍ତ୍ର ବାହାର କରି ପୂର୍ଣ୍ଣଚନ୍ଦ୍ର ଓ ପଞ୍ଚୁଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଖବର ପାଇ ଈଶ୍ବର ବେହେରାଙ୍କ ପୁଅ କୃଷ୍ଣଚନ୍ଦ୍ର ବେହେରା ବାଇକ୍‌ରେ ଆସି ସେଠାରେ ପହଞ୍ଚିଥିଲେ। କୃଷ୍ଣଚନ୍ଦ୍ରଙ୍କୁ ଦେଖି ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ମାରଣାସ୍ତ୍ରରେ ହାଣି ପକାଇବାରୁ ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର