ଟ୍ରେନ୍‌ରେ ପଶି ଡକାୟତି ଉଦ୍ୟମ ବିଫଳ: ରେଳ ଷ୍ଟେସନରୁ ଧରାପଡ଼ି ୨ ଗିରଫ, ୪ ଫେରାର

ରାଉରକେଲା: ଟ୍ରେନ୍‌ ଭିତରେ ପଶି ଡକାୟତି କରିବାକୁ ସଜବାଜ ହେଉଥିଲେ। ହାତରେ ଥିଲା ଖଣ୍ଡା, ଭୁଜାଲି ଆଦି ବିଭିନ୍ନ ପ୍ରକାରର ମାରଣାସ୍ତ୍ର। ଠିକ୍‌ ଏତିକିବେଳେ ରେଳବାଇ ପୁଲିସ ନଜରକୁ ଆସିଯାଇଥିଲେ ୬ ଡକାୟତ। ପରେ ରେଳବାଇ ପୁଲିସ ଅତର୍କିତଭାବେ ସେଠାରେ ପହଞ୍ଚିଯାଇଥିଲା। ଫଳରେ ଦୁଇ ଜଣ ଧରାପଡ଼ିଯାଇଥିବାବେଳେ ୪ ଜଣ ଫେରାର ହୋଇଯାଇଛନ୍ତି। ରାଉରକେଲା ରେଳଷ୍ଟେସନରେ ଗତକାଲି ବିଳମ୍ବିତ ରାତିରେ ସଂଘଟିତ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ। ରାଉରକେଲା ରେଳ ଷ୍ଟେସନରେ ୬ ଜଣ ଡକାୟତ ଛିଡ଼ା ହୋଇଥିଲେ। ହାତରେ ଥିଲା ଖଣ୍ଡା, ଭୁଜାଲି, ଛୁରୀ ଆଦି ବିଭିନ୍ନ ମାରଣାସ୍ତ୍ର। ଏହି ଡକାୟତମାନଙ୍କ ମଧ୍ୟରେ ଗୋପବନ୍ଧୁପଲ୍ଲୀର କୁନ୍ଦନ ଶର୍ମା(୨୦) ଓ ଆଇଟିଆଇ କଲୋନିର ସୁମନ୍ତ ବାରିକ(୩୦)ଙ୍କ ସମେତ ରାଜଗାଙ୍ଗପୁରର ୨ ଜଣ, ଗୋପବନ୍ଧୁପଲ୍ଲୀର ୨ ଜଣ ଡକାୟତ ଥିଲେ। ଏମାନେ ଟାଟା-ବିଳାଶପୁର ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ଯୋଜନା ଥିଲା ଟ୍ରେନ୍‌ରେ ପଶି ଯାତ୍ରୀମାନଙ୍କଠାରୁ ଡକାୟତି କରିବା। ସବୁକିଛି ଠିକ୍‌ ଚାଲିଥିବାବେଳେ ଜଣେ ରେଳବାଇ ପୁଲିସର ନଜର ମାରଣାସ୍ତ୍ର ଉପରେ ପଡ଼ିଥିଲା। ପରେ ପୁଲିସ ଯୋଜନା କରି ଡକାୟତ ଦଳ ଉପରେ ଅତର୍କିତ ଆକ୍ରମଣ କରିଥିଲା। ପୁଲିସ ଘଟଣାସ୍ଥଳ‌ରୁ ଦୁଇ ଡକାୟତ କୁନ୍ଦନ ଓ ସୁମନ୍ତକୁ କାବୁ କରିନେଇଥିଲା। ତେବେ ଅନ୍ୟ ୪ ଜଣ ଫେରାର ହୋଇଯାଇଥିଲେ। ଦୁଇ ଅଭିଯୁକ୍ତଙ୍କୁ ପଚାରାଉଚରା କରିବାପରେ ଏମାନେ ଡକାୟତି ପାଇଁ ରୁଣ୍ଡ ହୋଇଥିବା ମାନି ନେଇଥିଲେ। ଉଲ୍ଲେଖଯୋଗ୍ୟ, ଏହି ୬ ଜଣିଆ ଗ୍ୟାଙ୍ଗ୍‌ ନାଁରେ ଏକାଧିକ ଚୋରି, ଡକାୟତି ମାମଲା ରହିଛି। ଦୀର୍ଘ ଦିନ ହେଲା ଏହି ଗ୍ୟାଙ୍ଗ୍‌ ଟ୍ରେନ୍‌ ଯାତ୍ରୀଙ୍କୁ ଲୁଟିବାରେ ମାତିଥିଲେ। ଏମାନଙ୍କଠାରୁ ଗୋଟିଏ ଚୋରା ମୋବାଇଲ ସହ ମାରଣାସ୍ତ୍ର ଜବତ ହୋଇଛି।

ସମ୍ବନ୍ଧିତ ଖବର