ରାଉରକେଲା: ବିଶ୍ରା ଗୁଳିକାଣ୍ଡ ଘଟଣାରେ ବିଶ୍ରା ପୁଲିସ ଦୁଇ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ବିଶ୍ରା ବ୍ଲକ ରୋଡର ସାହିଲ ଖାନ୍‌ ଓରଫ ସୋନୁ (୨୬) ଓ ହମିଦ୍‌ ସାୟିଦୁଲ୍ଲା (୨୫)। ଏମାନଙ୍କ ନିକଟରୁ ପୁଲିସ ଦେଶୀ ପିସ୍ତଲ, ଅଫୁଟା ଗୁଳି, ‌ଖୋକା, ମୋଟରବାଇକ୍‌ (ଓଆର୍‌ ୧୪ଏଫ୍‌-୮୬୫୬) ଜବତ କରିଛି। ମୁଖ୍ୟ ଅଭିଯୁକ୍ତ ସାହିଲ ନାଁରେ ପ୍ଲାଣ୍ଟସାଇଟ୍‌, ଲହୁଣିପଡ଼ା ଓ ବିଶ୍ରା ଥାନାରେ ୬ଟି ଅପରାଧିକ ମାମଲା ରହିଛି। ମାଡ଼ପିଟ୍‌କୁ କେନ୍ଦ୍ର କରି ମୁଖ୍ୟ ଅଭିଯୁକ୍ତ ସାହିଲ ବିକି ସିଂ (୧୮)କୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ସୌଭାଗ୍ୟବଶତଃ ଗୋଟିଏ ଗୁଳି ବିକି ଦେହରେ ବାଜିନଥିଲା। ସାହିଲ ପୁଣି ବିକିକୁ ଦ୍ବିତୀୟ ରାଉଣ୍ଡ ଗୁଳି ଚଳାଇଥିଲା। ହେଲେ ଗୁଳିଟି ଫୁଟି ନଥିଲା। ଫଳରେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ ବିକି ଓ ତା’ ମାଲିକ ସରୋଜ ସାହୁ।

Advertisment

ବିକି ସିଂହ ଲିଖିତ ଅଭିଯୋଗ ଆଧାରରେ ବିଶ୍ରା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, ସୁରୋଜ ସାହୁଙ୍କର ବିଶ୍ରା ମୁଖ୍ୟ ବଜାରରେ ଏକ ଅଫିସ୍‌ ରହିଛି। ସେହି ଅଫିସ୍‌ରେ ବିକି ସିଂହ (୧୮) କାମ କରନ୍ତି। ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟାରେ ବିକି ତା’ର ସାଙ୍ଗମାନଙ୍କ ସହ ପୁରୁଣା ବିଶ୍ରାରୋଡସ୍ଥ ଆର୍‌ଏସ୍‌ ଇଂରାଜୀ ମାଧ୍ୟମ ସ୍କୁଲ ଆଗରେ ଠିଆ ହୋଇଥିଲେ। ସାହିଲ ଓ ତା’ର ସହଯୋଗୀ ହମିଦ ଦୁହେଁ ମୋଟରବାଇକ୍‌ ଘଟଣାସ୍ଥଳର ପହଞ୍ଚି ବିକିକୁ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକଚମକ ଦେଇଥିଲେ। ପରେ ବିକି ଓ ତା’ର ସାଙ୍ଗମାନେ ପୁରୁଣା ବିଶ୍ରା କ୍ରିକେଟ୍‌ ପଡ଼ିଆକୁ ଖେଳିବାକୁ ଚାଲିଯାଇଥିଲେ। ସେଠାରେ ସାହିଲ ଓ ହମିଦ୍‌ ଦୁହଁ ପହଞ୍ଚି ପୁଣି ବିକିକୁ ଟଣାଓଟରା ସହ ମାଡ଼ ମାରିଥିଲେ। ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଆହତ ବିକି ବିଶ୍ରା ଗୋ‌ଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେବା ପରେ ଆର୍‌ଏସ୍‌ ଇଂରାଜୀ ମାଧ୍ୟମ ସ୍କୁଲ ନିକଟରେ ଛିଡା ହୋଇଥିବା ମାଲିକ ସୁରୋଜ ସାହୁଙ୍କୁ ସମସ୍ତ କଥା କହିଥିଲେ। ସୁରଜ ସାହୁଙ୍କ ସହ ମନୁ ମହାପାତ୍ର, ଅମନ ସିଂହ ଓ ବିଶାଳ ସାହୁ ମଧ୍ୟ ଉପସ୍ଥିତ ଥିଲେ। ହଠାତ୍‌ ସାହିଲ ଓ ହମିଦ ଦୁହେଁ ପହଞ୍ଚି ପୁଣି ପାଟିତୁଣ୍ଡ କରିଥିଲେ। ବିକିକୁ କାହିଁକି ମାଡ଼ ମାରିଲ ବୋଲି ସୁରଜ ସାହିଲ ଓ ହମିଦକୁ ପଚାରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସାହିଲ ପକେଟ୍‌ରୁ ବନ୍ଧୁକ ବାହାର କରି ବିକିକୁ ଗୁଳି ଚଳାଇଥିଲେ।