ନୂଆପଡ଼ା : ଛତିଶଗଡ଼ର ଜଣେ ଯୁବକଙ୍କଠାରୁ ଲୁଟ୍ ଅଭିଯୋଗରେ ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ଜୋଙ୍କ ପୁଲିସ ଶନିବାର ୨ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର୍ ଥିବା ଜଣାପଡ଼ିଛି।
ପୁଲିସଠାରୁ ପ୍ରକାଶ ୧୮ ତାରିଖ ଦିନ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ବାଗବାହାର ଥାନା ଅନୱପୁର ଗ୍ରାମର ଅମିତଲାଲ ମନିହିର (୪୮) ଜୋଙ୍କ ଥାନା ମୁଢାଲା ଗ୍ରାମରେ ବଳଦ ବିକ୍ରି କରି ଅପରାହ୍ଣରେ ବାଇକ୍ରେ ଫେରୁଥିଲେ। ଫେରୁଥିବା ସମୟରେ ଖରିଆର୍ ରୋଡ୍ ମଦଭାଟିରେ ୩ ଜଣ ଯୁବକ ତାଙ୍କୁ ଭାଟି ପଛପଟକୁ ନେଇ ଛୁରି ଦେଖାଇ ୯ ହଜାର ଟଙ୍କା ଲୁଟି ନେବା ସହ ଫେରାର୍ ହୋଇଯାଇଥିଲେ।
ଏ ନେଇ ଅମିତଲାଲ ଜୋଙ୍କ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ପୁଲିସ ଶନିବାର ଦିନ ଖରିଆର୍ ରୋଡ୍ର ଲାଲୁ ସତନାମୀ (୨୭), କୃଷ୍ଣ ଯାଦବ (୨୨)କୁ ଗିରଫ କରିଥିବା ବେଳେ ଜଣେ ଫେରାର୍ ହୋଇଯାଇଥିବା ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି। ପୁଲିସ ସେମାନଙ୍କଠାରୁ ୫୫୦୦ ଟଙ୍କା ଓ ଗୋଟିଏ ଛୁରି ଜବତ କରିଛି।