ଗୋରୁ ବେପାରୀଙ୍କୁ ବଟି ମାଗିବା ମହଙ୍ଗା ପଡ଼ିଲା: ଝାରପୋଖରିଆ ଥାନାର ୨ ଏଏସ୍‌ଆଇ ଓ ଜଣେ କନେଷ୍ଟବଳ ନିଲମ୍ବିତ

ବାରିପଦା/ସାରସକଣା: ଗୋରୁ ବେପାରୀଙ୍କୁ ବଟି ମାଗିବା ଘଟଣାରେ ମୟୂରଭଞ୍ଜ ଜିଲ୍ଲା ଝାରପ‌ୋଖରିଆ ଥାନାର ୨ଜଣ ଏଏସ୍‌ଆଇ ଓ ଜଣେ କନେଷ୍ଟବଳଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରୀ। ନିଲମ୍ବିତ ଏଏସ୍‌ଆଇ ଦୁଇ ଜଣ ହେଲେ ସ୍ମୃତିରଂଜନ ସ୍ବାଇଁ ଓ ଚନ୍ଦନ ସିଂହ, କନେଷ୍ଟବଳ ଜଣକ ହେଲେ ଦୀପକ କୁମାର ପାଲବାବୁ। କିଛି ଦିନ ପୂର୍ବେ ଏମାନେ ଜଣେ ଗୋରୁ ବେପାରୀଙ୍କ ଗାଡ଼ି ଛାଡ଼ିବା ପାଇଁ ୩୦ ହଜାର ଟଙ୍କା ବଟି ମାଗିଥିଲେ।

ଏହି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ପାଇଁ ଝାରପୋଖରିଆ ଥାନା ଅଞ୍ଚଳ ଦେଇ ବେଧଡ଼କ ଗୋ ଚାଲାଣ ହେଉଥିବା ନେଇ ଉପରିସ୍ଥ ଅଧିକାରୀଙ୍କ ପାଖକୁ ବି ଖବର ଯାଇଥିଲା। ତେବେ କିଛି ଠୋସ ପ୍ରମାଣ ମିଳୁନଥିଲା। ନିକଟରେ ନୂଆ କରି ଯୋଗ ଦେଇଥିବା ଡିଏସ୍‌ପି ଉପାସନା ପାଢ଼ୀ ଝାରପୋଖରିଆ ଥାନା ଅଞ୍ଚଳରେ ଧରପଗଡ଼ କରି କିଛି ଗୋରୁଗାଡ଼ି ଧରିଥିବା ବେଳେ ଗାଡ଼ି ଛାଡ଼ିଦେବା ପାଇଁ ଏଏଆଇ ଶ୍ରୀ ସ୍ବାଇଁଙ୍କ ସହ ଫୋନ୍‌ରେ ପୁଣି ଯୋଗାଯୋଗ କରିଥିଲେ ଗୋରୁ ବେପାରୀ। ତେବେ ସେମାନଙ୍କର ଏହି ବାର୍ତ୍ତାଳାପର ଅଡିଓ ବେପାରୀ ଜଣକ ଭାଇରାଲ୍‌ କରିଦେବା ପରେ ଘଟଣା ପ୍ରଘଟ ହୋଇଥିଲା। ଏହି ଅଡିଓର ସତ୍ୟାସତ୍ୟ ଯାଞ୍ଚ୍‌ ପରେ ଏଏସ୍‌ଆଇ ସ୍ମୃତିରଂଜନ, ଚନ୍ଦନ ଓ କନେଷ୍ଟବଳ ଦୀପକ କୁମାରଙ୍କୁ ନିଲମ୍ବନ କରାଯାଇଛି ବୋଲି ଅତିରିକ୍ତ ଏସ୍‌ପି ସୁରେଶ କୁମାର ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର