ଗୋ-ଚାଲାଣର କାର୍ପଟଦାର ଥିଲା ଟିଟୋ : ଏସ୍‌ଟିଏଫ୍‌ ଜାଲରେ ଟିଟୋର ଆଉ ଦୁଇ ସହଯୋଗୀ, ବେଗୁନିଆରୁ ବାଂଲାଦେଶ ଯାଏଁ ଲମ୍ବିଛି ଚେର

ମାଉଜର, ଦାମୀ କାର୍‌ ଓ ବାଇକ୍‌ ଜବତ, ପୁଲିସ ସଂପର୍କ ନେଇ ଠାରିଲା କ୍ରାଇମବ୍ରାଞ୍ଚ, ତଦନ୍ତ ଜାରି

ଭୁବନେଶ୍ୱର : କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଜାଲରେ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀର ଆଉ ଦୁଇ ସହଯୋଗୀ। ସେମାନେ ହେଲେ, ତମାଣ୍ଡୋ ଥାନା ଅଧୀନ କଳିଙ୍ଗବିହାର କେ-୪ ପ୍ଲଟ ନମ୍ବର ୨୮୦ରେ ରହୁଥିବା ବଟକୃଷ୍ଣ ପାଣିଗ୍ରାହୀ ଓରଫ ବଟୁ। ନିଜ ଘର ଖୋର୍ଧା ବେଗୁନିଆର କୁଶପଲ୍ଲାରେ। ବଟୁ ନିକଟରୁ କ୍ରାଇମ୍‌ବ୍ରାଞ୍ଚ ଗୋଟିଏ ମାଉଜର, ଦୁଇଟି କାର ଓ ଗୋଟିଏ ଦାମୀ ବାଇକ ଜବତ କରିଛି। ଅନ୍ୟ ଜଣେ ହେଲେ ସରୋଜ ପତି। ଘର କେନ୍ଦ୍ରାପଡ଼ା ଟାଉନ ଥାନା ଅଧୀନସ୍ଥ ମହିପାଳରେ। ଟିଟୋର ଗୋ ଚାଲଣ କାରବାର ମାଷ୍ଟରମାଇଣ୍ଡ ବଟୁ ବୁଝୁଥିଲା ଓ ଆଇଟି ସେଲ ମୁଖ୍ୟ ହେଉଛି ସରୋଜ। ଦୁହିଁଙ୍କୁ ଆଜି କୋର୍ଟ ଚାଲାଣ କରିଛି ଏସ୍‌ଟିଏଫ୍‌।

ଗ୍ୟାଙ୍ଗଷ୍ଟର ଟିଟୋର ଗୋ-ଚାଲାଣ କାରବାରର ପର୍ଦାଫାସ କରିଛି ଏସ୍‌ଟିଏଫ୍‌। ରାଜ୍ୟ, ରାଜ୍ୟ ବାହାରେ ଏପରିକି ଦେଶ ବାହାରକୁ ହେଉଥିବା ଗୋ-ଚାଲାଣର ମୁଖ୍ୟ କାର୍ପଟଦାର ହେଉଛି ଟିଟୋ। ଏହି କାରବାରର ସିଂହ ଭାଗ ଯାଉଥିଲା ତା’ ପକେଟକୁ। ଏଥିପାଇଁ ସାରା ରାଜ୍ୟରେ ଟିଟୋ ନିଯୁକ୍ତି ଦେଇଥିଲା ବାହୁବଳି ଟୋକାଙ୍କୁ। ଗୋ ଚାଲାଣକାରୀଙ୍କୁ ସୁରକ୍ଷା ଦେବାକୁ ଟିଟୋ ସ୍କର୍ପିଓ, ଇନୋଭା ଭଳି ଗାଡି ଓ ମାଉଜର, ହକି ଷ୍ଟିକ୍‌, ମଧ୍ୟ ଯୋଗାଇ ଦେଇଥିଲା। ଟିଟୋ ପାଇଁ ଗୋ-ଚାଲାଣ କରୁଥିବା ମୁଖ୍ୟ ମାଷ୍ଟରମାଇଣ୍ଡ ବଟକୃଷ୍ଣ ପାଣି ଓରଫ୍‌ ବଟୁକୁ ଆଜି ରାଜଧାନୀ ଭୁବନେଶ୍ୱରରୁ ଗିରଫ କରିବା ପରେ ଏଭଳି କେତେକ ସଂଘାତିକ ତଥ୍ୟ ସାମ୍‌ନାକୁ ଆଣିଛି ଏସ୍‌ଟିଏଫ୍‌।

ଆଜି ଦୁଇ ଜଣଙ୍କୁ ଗିରଫ କରାଯିବା ପରେ ଏସ୍‌ଟିଏଫ୍‌ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ହିମାଂଶୁ ଲାଲ କହିଛନ୍ତି ଟିଟୋ ଗ୍ୟାଙ୍ଗ୍‌ ରାଜ୍ୟରେ ଚାଲୁଥିବା ଗୋ-ଚାଲାଣରେ ସଂପୃକ୍ତ ଥିବା ଖବର ମିଳିଥିଲା। ଟିଟୋ ଗ୍ୟାଙ୍ଗ୍‌ ଗୋରୁ ଗାଡି ଖୋର୍ଧାରୁ ବେଗୁନିଆ, ଭୁବନେଶ୍ୱର, କୋଲକାତା, ତିି୍ରପୁରା ଦେଇ ବାଂଲାଦେଶ ପଠାଉଥିଲେ। ଏଥିପାଇଁ ୩୫ରୁ ୪୦ ଜଣ ଯୁବକଙ୍କୁ ଟିଟୋ ନିଯୁକ୍ତି ଦେଇଥିଲା। ବଟୁ ଓ ତାର ସହଯୋଗୀମାନେ ବେଗୁନିଆରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଗୋରୁ ଗାଡିକୁ ସୁରକ୍ଷା ଯୋଗାଇ ଦେଉଥିଲେ। ବିଭିନ୍ନ ଟୋଲଗେଟ ଓ ଜାତୀୟ ରାଜପଥ କଡ଼ରେ ଥିବା ଥାନା କର୍ମଚାରୀଙ୍କ ସହିତ ବଟୁର ଉତ୍ତମ ସମ୍ପର୍କ ଥିଲା। ବିଭିନ୍ନ ଉପାୟରେ ବଟୁ ସେମାନଙ୍କୁ କରାୟତ କରି ଟିଟୋ ପାଇଁ ଏହି ର‍୍ୟାକେଟ ଚଳାଇଥିଲା। ଗୋଚାଲାଣ ବ୍ୟତୀତ ଗୋରୁ ଚମଡ଼ା କାରବାରରେ ସଂପୃକ୍ତ ଥିଲା ବଟୁ। ଏଥିପାଇଁ ଟିଟୋ ପାରାଦୀପରେ ଏକ ଗୋ ଚମଡ଼ା କାରଖାନା ଖୋଲିବାକୁ ଯୋଜନା କରିଥିଲା। ଏହା ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି ବୋଲି ଏସ୍‌ଟିଏଫ୍‌ ଏସ୍‌ପି ସତ୍ୟଜିତ ନାୟକ କହିଛନ୍ତି।

ଟିଟୋ ଲିଙ୍କ୍‌ରେ ରାଜଧାନୀରୁ ବଟୁ ଗିରଫ ହେବା ପରେ ଏବେ ଟିଟୋର ଚେର ଭୁବନେଶ୍ୱର ଓ ଖୋର୍ଧା ପର୍ଯର୍୍ୟନ୍ତ ଲମ୍ବିଥିବା ସ୍ପଷ୍ଟ ହୋଇ ଯାଇଛି। ଏ ନେଇ ଅଧିକ ଅନୁସନ୍ଧାନ ଜାରି ରହିଛି। ଖୁବ୍‌ ଶୀଘ୍ର ଗୋଚାଲାଣରେ ସଂପୃକ୍ତ ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ଡିଆଇଜି ଶ୍ରୀ ଲାଲ ସୂଚନା ଦେଇଛନ୍ତି।

ସେହିପରି ଟିଟୋର ଆଇଟି ସେଲ୍‌ ମୁଖ୍ୟ ସରୋଜ ପତିକୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଗତକାଲିଠାରୁ କେନ୍ଦ୍ରାପଡ଼ାରୁ ଉଠାଇ ଆଣିଥିଲା। ସେ ଟିଟୋର ସମସ୍ତ ଆଇଟି କାମ ବୁଝାବୁଝି କରୁଥିଲା। କେଉଁଠି କେଉଁ ଠିକାଦାର ଟେଣ୍ଡର ପାଇଲା, କେତେ ଟଙ୍କା ବିଲ ପାସ୍‌ ହେଲା, କେଉଁ ଠିକାଦାର କେତେ ଇନ୍‌କମ୍‌ ଟ୍ୟାକ୍ସ ଫାଇଲ୍‌ କଲା ଏ ସବୁ ତଥ୍ୟ ଟିଟୋକୁ ଯୋଗାଉଥିଲା ସରୋଜ। ଏହା ଛଡ଼ା କେନ୍ଦ୍ରାପଡ଼ା ଦିଲାରପୁରରେ ଥିବା ଟିଟୋର ଘରଠାରୁ ଏକ କିଲୋମିଟର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା କଣ୍ଟ୍ରୋଲ ରୁମ ମୁଖ୍ୟ ଥିଲା ସରୋଜ। ସେହି କଣ୍ଟ୍ରୋଲ ରୁମ୍‌ରେ ବସି ସରୋଜ ସମସ୍ତ ଘଟଣା ଉପରେ ନଜର ରଖୁଥିଲା। ଏହା ଛଡ଼ା ସେ ମଧ୍ୟ ଟେଣ୍ଡର ଫିକ୍ସିଂ ଓ ଦାଦାବଟି ଆଦାୟରେ ସଂପୃକ୍ତ ଥିଲା ବୋଲି ଏସ୍‌ପି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର