ବେଙ୍ଗାଲୁରୁରେ ଧରାପଡ଼ିଲେ ଦୁଇ ଏଟିଏମ୍ ଲୁଟେରା: ଷ୍ଟେଟ୍ ବ୍ୟାଙ୍କ ଏଟିଏମ୍‌ ତାଡ଼ି ଲୁଟିଥିଲେ ୨୧ ଲକ୍ଷ

ମାଷ୍ଟରମାଇଣ୍ଡ ସମେତ ୫ ଫେରାର

ଭୁବନେଶ୍ବର: ରାଜ୍ୟର ପ୍ରଥମ ଏଟିଏମ୍‌ ତାଡ଼ି ନେଇ ଲୁଟିବା ମାମଲାରେ କମିସନରେଟ୍‌ ପୁଲିସକୁ ଶେଷରେ ଆଂଶିକ ସଫଳତା ମିଳିଛି। ଦୁଇ ବାଂଲାଦେଶୀ ଡକାୟତଙ୍କୁ ପୁଲିସ ବେଙ୍ଗାଲୁରୁରୁ ଧରିବାରେ ସଫଳ ହୋଇଥିଲେ ବି ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ ସମେତ ୫ ଜଣ ଫେରାର୍ ହୋଇଯାଇଛନ୍ତି। ଏମିତିକି ଏଟିଏମ୍‌ରୁ ଲୁଟି ନେଇଥିବା ୨୧ ଲକ୍ଷ ଟଙ୍କାରୁ ପୁଲିସ ପାହୁଲାଟିଏ ଆଦାୟ କରିପାରିନାହିଁ। ସବୁତକ ଟଙ୍କା ବାଂଲାଦେଶ ପାର୍‌ ହୋଇଯାଇଛି ବୋଲି ଜଣାପଡ଼ିଛି। ଧରାପଡ଼ିଥିବା ଦୁଇ ଡକାୟତ ହେଲେ ବଙ୍ଗଳାଦେଶ ବଗେରହତ୍‌ ଅଞ୍ଚଳର ଖୋକନ୍‌ ମୋଲ୍ଲା(୩୫) ଓ ମିଜାନୁର୍‌ ରେହେମନ୍‌ ମୋଲ୍ଲା(୩୯)। ସେମାନଙ୍କ ଠାରୁ ୫ଟି ମୋବାଇଲ୍‌, ଦୁଇଟି ଆଧାର କାର୍ଡ, ଚୋରିରେ ବ୍ୟବହୃତ ୩ଟି ଶାବଳକୁ ପୁଲିସ ଜବତ କରିଛି। ଆଜି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ଗ୍ୟାଙ୍ଗ୍‌ ବାବଦରେ ସୂଚନା ଦେଇଛନ୍ତି। ଫେରାର୍ ମାଷ୍ଟରମାଇଣ୍ଡ ଓ ଗ୍ୟାଙ୍ଗ୍‌ର ଅନ୍ୟମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି।

ସିପି ଶ୍ରୀ ପ୍ରିୟଦର୍ଶୀଙ୍କ ସୂଚନାନୁସାରେ ଏହି ୭ ଜଣିଆ ଗ୍ୟାଙ୍ଗ୍‌ ଏକ ଆନ୍ତର୍ଜାତିକ ଏଟିଏମ୍‌ ଲୁଟେରା ଦଳ। ଏହି ଗ୍ୟାଙ୍ଗ୍‌ ନେପାଳ, ଭୁଟାନ୍‌, ବଙ୍ଗଳାଦେଶ, ମିଆଁମାର ଭଳି ଦେଶରେ ଏଟିଏମ୍‌ ଲୁଟିଥିବା ଜଣାପଡ଼ିଛି। ତେବେ ଭାରତରେ ଏହି ଗ୍ୟାଙ୍ଗ୍‌ ବେଙ୍ଗାଲୁର୍‌, ଗୋଆ ଓ ଦିଲ୍ଲୀରେ ବି ଏଟିଏମ୍‌ ଲୁଟ୍‌ କରିବାରେ ସକ୍ଷମ ହୋଇଛନ୍ତି। କମିସନରେଟ୍‌ ପୁଲିସ ବେଙ୍ଗାଲୁରୁରେ ଚଢ଼ଉ କଲାବେଳେ ୫ ଜଣ ଖସି ଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି। ସେମାନେ ଯେମିତି ବାଂଲାଦେଶକୁ ଖସି ନପଳାନ୍ତି, ସେଥିପାଇଁ ବାଂଲାଦେଶ ସୀମାନ୍ତ ସବୁ ଥାନାକୁ ସତର୍କ କରାଇ ଦିଆଯାଇଛି। ଗିରଫ ଦୁଇ ଜଣଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବା ପରେ ଅନ୍ୟମାନଙ୍କୁ ଠାବ କରାଯାଇପାରିବ ବୋଲି ପୁଲିସ ଆଶାବାଦୀ ରହିଛି।

ସୂଚନାଯୋଗ୍ୟ ଯେ ଧଉଳି ଥାନା ଲିଙ୍ଗିପୁର ଇନ୍ଦିରା କଲୋନିସ୍ଥିତ ଏସ୍‌ବିଆଇ ଏଟିମ୍‌କୁ ତାଡ଼ି ନେଇ ଏହି ଗ୍ୟାଙ୍ଗ୍‌ ୨୧ଲକ୍ଷ ଟଙ୍କା ଲୁଟି ନେଇଥିଲା। ଆଶ୍ଚର୍ଯ୍ୟଜନକ ଭାବେ ଏଟିଏମ୍‌ର ଟଙ୍କା ରହୁଥିବା ଚାମ୍ବରକୁ ତାଡ଼ି ନେବା ପରେ ଦୟାନଦୀ କୂଳରେ ଏକ ଜଙ୍ଗଲିଆ ସ୍ଥାନରେ ତାକୁ ଭାଙ୍ଗିଥିଲେ ଓ ଟଙ୍କାତକ ବାହାର କରିବା ଚାମ୍ବରକୁ ସେଠାରେ ଫୋପାଡ଼ି ଫେରାର୍ ହୋଇ ଯାଇଥିଲେ। ସେମାନେ ବରମୁଣ୍ଡାରୁ ବସ୍‌ ଯୋଗେ ଆନ୍ଧ୍ରପ୍ରଦେଶ ପଳାଇବା ପରେ ସେଠାରୁ ବେଙ୍ଗାଲୁରୁ ଯାଇଥିଲେ। ବେଙ୍ଗାଲୁରୁରେ ସେମାନେ ପୁଣି ଏମିତି କୌଣସି ଏଟିଏମ୍‌ ତାଡ଼ିନେବା ଯୋଜନା କରୁଥିବା ବେଳେ କମିସନରେଟ୍‌ ପୁଲିସ ସେମାନଙ୍କୁ କାବୁ କରିଥିଲା। ଏହି ଗ୍ୟାଙ୍ଗ୍‌କୁ ଠାବ କରିବା କମିସନରେଟ୍‌ ପୁଲିସ ପାଇଁ ଚ୍ୟାଲେଞ୍ଜ୍ ହୋଇଥିଲା। ତେବେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶଙ୍କ ତତ୍ତ୍ବାବଧାନରେ ସ୍ପେସାଲ୍‌ ସ୍କ୍ବାଡ୍‌ ମୁଖ୍ୟ ଏସିପି ସଂଜୀବ ଶତପଥୀ ଓ ସହିଦନଗର ଥାନା ଆଇଆଇସି ହିମାଂଶୁ ଭୂଷଣ ସ୍ବାଇଁ ଓ ଚିତ୍ତରଞ୍ଜନ ରାଉତଙ୍କୁ ନେଇ ଗଠିତ ଏକ ସ୍ବତନ୍ତ୍ର ଟିମ୍‌ ଏଥିରେ ସଫଳ ହୋଇଛି।

ସମ୍ବନ୍ଧିତ ଖବର