ଭୁବନେଶ୍ୱର : ସୁଧ ଆଳରେ ବ୍ୟାଙ୍କ୍ରୁ ୧ କୋଟି ୧୫ ଲକ୍ଷ ଟଙ୍କା ଆତ୍ମସାତ୍ କରିବା ଅଭିଯୋଗରେ ଇଓଡବ୍ଲୁ(ଅର୍ଥନୈତିକ ଅପରାଧ ଶାଖା) ଅନୁଗୁଳ ୟୁନାଇେଟେଡ୍ ସେଣ୍ଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କ୍ର ଦୁଇ ପୂର୍ବତନ ଅଧିକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ, ପୂର୍ବତନ ଆକାଉଣ୍ଟାଣ୍ଟ ଢେଙ୍କାନାଳ ତୁମୁସିଂହା ଥାନା ଅଧୀନ କନ୍ତିଓପୁଟ ସାହିର ସହଦେବ ସାହୁ ଓ ପୂର୍ବତନ ବ୍ୟାଙ୍କିଙ୍ଗ୍ ଆସିଷ୍ଟାଣ୍ଟ୍ କଙ୍କଡ଼ାହାଡ଼ର ଶାନ୍ତନୁ କୁମାର ବରାଳ। ଉଭୟଙ୍କୁ ଇଓଡବ୍ଲୁ ଆଜି କାମାକ୍ଷାନଗର ଏସ୍ଡିଜେଏମ୍ଙ୍କ ନିକଟରେ ଉପସ୍ଥାପନ କରିଥିଲା। ସେଠାରେ ଜାମିନ୍ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଜେଲ୍ ହାଜତ୍କୁ ପଠାଇ ଦିଆଯାଇଛି। ଅନୁଗୁଳ ୟୁନାଇେଟେଡ୍ ସେଣ୍ଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କ୍ର ସମ୍ପାଦକ ଭକ୍ତେଶ୍ବର ମଲ୍ଲିକଙ୍କ ଅଭିଯୋଗକ୍ରମେ ସେମାନଙ୍କୁ ଗିରଫ କରାଯାଇଥିବା ଇଓଡବ୍ଲୁ କହିଛି। ମାମଲାର ଅନୁସନ୍ଧାନ ଚାଲିଛି। ଆବଶ୍ୟକ ପଡ଼ିଲେ, ସେମାନଙ୍କୁ ରିମାଣ୍ଡରେ ଅଣାଯିବ। ଅନ୍ୟ କେହି ସମ୍ପୃକ୍ତ ଥିଲେ, ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଇଓଡବ୍ଲୁ ପକ୍ଷରୁ ସୂଚନା ମିଳିଛି। ଲୋକଙ୍କର ଜମା ଥିବା ଅର୍ଥର ସୁଧ ପୈଠ କରିଥିବା ଦର୍ଶାଇ ଏହି ଦୁଇ ଅଭିଯୁକ୍ତ ମୋଟା ଅଙ୍କର ଅର୍ଥ ଆତ୍ମସାତ୍ କରିଥିବା ପ୍ରାଥମିକ ତଦନ୍ତରେ ପ୍ରମାଣିତ ହୋଇଛି। ତେବେ ଅନ୍ୟତମ ଅଭିଯୁକ୍ତ ଏୟୁସିସି ବ୍ୟାଙ୍କ କାମାକ୍ଷାନଗର ଶାଖାର ଅତିରିକ୍ତ ଶାଖା ପରିଚାଳକ ସଂଜୟ ଶତପଥୀ ଫେରାର ଅଛନ୍ତି।
୨୦୧୫-୧୬ ମସିହାରେ ଏହି ଦୁଇ ଅଧିକାରୀ ଅନୁଗୁଳ ୟୁନାଇେଟେଡ୍ ସେଣ୍ଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କ୍ର କାମାକ୍ଷାନଗର ଶାଖାରେ କାର୍ଯ୍ୟରତ ଥିଲେ। ସେତେବେଳେ ସେମାନେ ୬୫ଟି ଆକାଉଣ୍ଟକୁ ୧୮୭ଟି କାରବାର(ଟ୍ରାଞ୍ଜାକ୍ସନ)ରେ ୧ କୋଟି ୧୫ ଲକ୍ଷ ୧୬ ହଜାର ୩ଶହ ଟଙ୍କା ସ୍ଥାନାନ୍ତର କରିଥିଲେ। ଟଙ୍କା ସ୍ଥାନାନ୍ତର ହୋଇଥିବା ଏହି ୬୫ ଆକାଉଣ୍ଟ ମଧ୍ୟରେ ସଞ୍ଚୟ, କ୍ୟାସ୍ କ୍ରେଡିଟ୍ ଓ କରେଣ୍ଟ ଆକାଉଣ୍ଟ ରହିଥିଲା। ଏଥିରେ ଜମା ଥିବା ଅର୍ଥର ସୁଧ ବାବଦରେ ବିଭିନ୍ନ ସମୟରେ ଏହି ସବୁ ଅର୍ଥକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଯେଉଁ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରାଯାଇଥିଲା, ସେମାନେ ସେହି ପରିମାଣର ସୁଧ ପାଇବା ଯୋଗ୍ୟ ନଥିଲେ। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଏହି ସବୁ ଅର୍ଥ ସୁଧ ଆଳରେ ସମ୍ପୃକ୍ତ ଆକାଉଣ୍ଟକୁ ଯିବା ପରେ ପରେ ସେହି ପରିମାଣର ଅର୍ଥ ଉଠାଇ ନିଆଯାଇଥିଲା। ବ୍ୟାଙ୍କ୍ ପକ୍ଷରୁ ଦିଆଯାଇଥିବା ଆଇଡି ବ୍ୟବହାର କରି ଏହି ଦୁଇ ଅଧିକାରୀ ଜାଲ୍ ଦସ୍ତଖତ କରି ଅର୍ଥ ସ୍ଥାନାନ୍ତର ସହ ଉଠାଣ କରିଥିଲେ।