ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଦୁଇ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ (ବାପି) ଓ ଅରିନ୍ଦମ ସର୍ଖେଲ (ବାପି)ଙ୍କ ଗତି କୁଆଡେ? ଦୁଇ ବାପିଙ୍କ ଗତିବିଧି ଉପରେ ଏବେ ସାରା ଜିଲ୍ଲାର ନଜର ରହିଛି। ନିର୍ବାଚନ ପୂର୍ବରୁ ଦୁଇ ବାପି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ। କିନ୍ତୁ ଦୁଇ ଜଣଙ୍କ ନିର୍ବାଚନ କ୍ଷେତ୍ରରେ ବିଜେଡିକୁ ବଡ଼ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଲା। ଜଗତସିଂହପୁର ଓ ପାରାଦୀପ ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଜୟରେ କୌଣସି ପ୍ରତିବନ୍ଧକ ରହିବନି ବୋଲି ଯାହା ଆକଳନ କରାଯାଉଥିଲା, ଜିଲ୍ଲାର ସେହି ଦୁଇଟି ନିର୍ବାଚନ ମଣ୍ଡଳୀରେ ହିଁ ବିଜେଡିକୁ ପରାଜୟ ସାମ୍ନା କରିବାକୁ ପଡିଲା। ଏଭଳି ସ୍ଥିତିରେ ଦୁଇ ବରିଷ୍ଠ ନେତାଙ୍କର ବିଜେଡିରେ ଗ୍ରହଣୀୟତାକୁ ନେଇ ଆଶଙ୍କା ବଢୁଛି। ଅନ୍ୟପଟେ କିନ୍ତୁ ଦୁଇ ବରିଷ୍ଠ ନେତାଙ୍କ ମୂଳ ଦଳ କଂଗ୍ରେସରେ ଏକପ୍ରକାର ଶୂନ୍ୟସ୍ଥାନ ରହିଥିବାରୁ ସେମାନେ ହୁଏତ ନିଷ୍ପତ୍ତି ବଦଳାଇ ନିଜନିଜର ମୂଳ ଦଳକୁ ଫେରି ଯାଇ ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Advertisment

ଜିଲ୍ଲାର ଜଗତସିଂହପୁର ଓ ପାରାଦୀପ ଆସନରେ ବିଜେଡିର ପରାଜୟ ପରେ ସେଠାରୁ ବିଜେଡିର ପ୍ରାର୍ଥୀ ହୋଇଥିବା ପ୍ରଶାନ୍ତ ମୁଦୁଲି, ଗୀତାଞ୍ଜଳି ରାଉତରାୟ ଅଥବା ଅନ୍ୟ କୌଣସି ବରିଷ୍ଠ ନେତା ଏଯାଏ ସର୍ବ ସମ୍ମୁଖକୁ ଆସି ନାହାନ୍ତି କିମ୍ବା ଖୋଲାଖୋଲି କୌଣସି ମନ୍ତବ୍ୟ ଦେଇ ନାହାନ୍ତି। ଏପରିକି ଆଗାମୀ ଦିନରେ ସେମାନଙ୍କର କ’ଣ ଭୂମିକା ରହିବ, ସେ ନେଇ ମଧ୍ୟ କିଛି ସ୍ପଷ୍ଟ କରୁ ନାହାନ୍ତି। ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ରହିବେ ନା ବାଲିକୁଦା ଫେରିବେ ନା ରାଜନୀତିରୁ ସନ୍ନ୍ୟାସ ନେବେ ତାହାକୁ ନେଇ ଲୋକଙ୍କ ଭିତରେ କଳ୍ପନାଜଳ୍ପନା ଲାଗି ରହିଛି। ସେହିପରି ପାରାଦୀପ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କର ମଧ୍ୟ ସମାନ ଅବସ୍ଥା। ଦୁଇ ନେତା ଭୁବନେଶ୍ବରରେ ଡେରା ପକାଇଥିବା ବେଳେ କର୍ମୀଙ୍କ ସହ ଖୋଲାଖୋଲି ଗୁରୁତ୍ବପୂର୍ଣ୍ଣ ବୈଠକ କିମ୍ବା ଆଲୋଚନା ମଧ୍ୟ ଏଯାଏ କରି ନାହାନ୍ତି।

ଅନ୍ୟପକ୍ଷରେ ଚିରଞ୍ଜୀବ ଓ ବାପି ସର୍ଖେଲଙ୍କ ସହ ଯାଇଥିବା ସେମାନଙ୍କର ଅନେକ ଦୃଢ଼ ସମର୍ଥକ ଓ କର୍ମୀ ବିଜେଡି ସଂଗଠନ ଏବଂ ନେତାଙ୍କ ଠାରୁ ଦୂରେଇ ଗଲେଣି। ଏପରିକି କଂଗ୍ରେସ ଛାଡ଼ିବା ଏକ ବଡ଼ ଭୁଲ୍ ଥିଲା ବୋଲି ସେମାନେ ଖୋଲାଖୋଲି କହିବା ଆରମ୍ଭ କଲେଣି। ତେଣୁ ଦୁଇ ବାପି ପୁଣି କଂଗ୍ରେସ ସଂଗଠନକୁ ଫେରି ଯାଆନ୍ତୁ ବୋଲି ସେମାନେ ଚାହୁଛନ୍ତି। କିନ୍ତୁ ଏହାରି ଭିତରେ ଦୁଇ ନେତାଙ୍କୁ ବିରୋଧ କରି ଅନେକ କଂଗ୍ରେସ କର୍ମୀ ବିଜେପିକୁ ଭୋଟ ଦେଇଥିଲେ। ସେହିପରି ପଞ୍ଚାୟତ ସ୍ତରରେ କଂଗ୍ରେସର ଅନେକ ଛାମୁଆ କର୍ମୀ ଓ ସଂଗଠକ ବି ବିଜେପି ମୁହାଁ ହେଲେଣି। ଯଦି ଦୁଇ ନେତା ସାଧାରଣ ନିର୍ବାଚନରେ କଂଗ୍ରେସରୁ ନିର୍ବାଚନ ଲଢ଼ିଥାନ୍ତେ ତାହେଲେ ଉଭୟ ବ୍ୟକ୍ତିଗତ ଭାବେ ହୁଏତ ସଫଳ ହୋଇଥାନ୍ତେ ଏବଂ ଦଳ ବି ଫାଇଦାରେ ରହିଥାନ୍ତା ବୋଲି ଅନେକ ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି।

ପ୍ରାର୍ଥୀଙ୍କ ବିଜୟ ବା ପରାଜୟ ଯାହା ବି ହୋଇଥାନ୍ତା ଦଳୀୟ ସଂଗଠନ କିନ୍ତୁ ମଜଭୁତ୍ ରହିଥାନ୍ତା ବୋଲି କୁହାଯାଉଛି। ଅନ୍ୟପକ୍ଷରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ବିରୋଧ କରି ଚିରଞ୍ଜୀବ ବିଶ୍ବାଳ ଦଳ ଛାଡ଼ିଥିବା କହିଥିଲେ। ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଷ୍ପତ୍ତି ନେଇ ଦଳ ଛାଡ଼ି ବିଜେଡିରେ ମିଶିଥିଲେ। ତେଣୁ ଯଦି ରାଜ୍ୟ କଂଗ୍ରେସରେ ନେତୃତ୍ବ ପରିବର୍ତ୍ତନ ହୁଏ ତାହେଲେ ସେ ଦଳକୁ ଫେରିପାରନ୍ତି ବୋଲି କୁହାଯାଉଛି। ସେହିପରି ଆସନ୍ତା ଅକ୍ଟୋବର ମାସ, ଦୁର୍ଗାପୂଜା ସୁଦ୍ଧା ବାପି ସର୍ଖେଲ ମଧ୍ୟ ନିଜର ରାଜନୈତିକ ଭବିଷ୍ୟତ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ ବେ‌ାଲି ଚର୍ଚ୍ଚା ଜୋର ଧରିଛି।