ସମୁଦ୍ର ସ୍ନାନ ପଡ଼ିଲା ମହଙ୍ଗା: ଦୁଇ ବଙ୍ଗୀୟ ପର୍ଯ୍ୟଟକ ନିଖୋଜ

ଭୋଗରାଇ/ଚନ୍ଦନେଶ୍ୱର : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ତାଳସାରି ସମୁଦ୍ରରେ ସ୍ନାନ କରୁଥିବାବେଳେ ଦୁଇଜଣ ବଙ୍ଗୀୟ ପର୍ଯ୍ୟଟକ ସମୁଦ୍ର ଲହଡିରେ ଭାସିଯାଇ ନିଖୋଜ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ମଧ୍ୟମ ଗ୍ରାମ ଅଞ୍ଚଳରୁ ୮ ଜଣ ବନ୍ଧୁ ସାଙ୍ଗ ହୋଇ ଦୀଘା ବୁଲିବାକୁ ଆସିଥିଲେ। ଦୀଘାରୁ ଓଡ଼ିଶାର ବିସ୍ତୀର୍ଣ୍ଣ ମନଲୋଭା ସୌନ୍ଦର୍ଯ୍ୟପୂର୍ଣ୍ଣ ଉଦୟପୁର ଓ ତାଳସାରୀ ବେଳାଭୂମି ସେମାନଙ୍କୁ ଆକୃଷ୍ଟ କରିଥିଲା। ପ୍ରଥମେ ସେମାନେ ଉଦୟପୁରରୁ ବୁଲାବୁଲି ସାରି ତଳସାରୀ ବେଳାଭୂମିଠାରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଅଭୟଦୀପ ଆଚାର୍ଯ୍ୟ(୨୩) ଓ ଦେବଶ୍ରୀ ସିଂହ (୨୨) ଦୁଇ ବନ୍ଧୁ ସମୁଦ୍ର ସ୍ନାନ ପାଇଁ ବାହାରି ଥିଲେ। ସାଙ୍ଗରେ ଆସିଥିବା ଅନ୍ୟ ବନ୍ଧୁମାନେ ସେମାନଙ୍କୁ ବାରଣ କରିଥିଲେ। ମାତ୍ର,  ବନ୍ଧୁମାନଙ୍କ ବାରଣକୁ ଖାତିର ନ କରି ସେମାନେ ସମୁଦ୍ର ସ୍ନାନ ପାଇଁ ଯାଇଥିଲେ। କିଛି ସମୟ ମଧ୍ୟରେ ସେମାନେ ଅଶାନ୍ତ ସମୁଦ୍ରର ଲହଡ଼ିରେ ଭାସି ନିଖୋଜ ହୋଇ ଯାଇଥିଲେ। ଖବର ପାଇ ତାଳସାରୀ ମେରାଇନ ଥାନା ଅଧୀକାରିଣୀ ସୁଜାତା ମଲ୍ଲିକ ଓ ଏଏସଆଇ ଭଗବାନ ଚନ୍ଦ୍ର ଦାସ ସହ ପୁଲିସ ବାହିନୀ ସେମାନଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ନିଖୋଜ ପର୍ଯ୍ୟଟକଙ୍କ କୌଣସି ସୂଚନା ମିଳିନାହିଁ।

ଅପରପକ୍ଷରେ ସାଙ୍ଗରେ ଆସିଥିବା ୬ଜଣ ବନ୍ଧୁ ତୂଳିକା ରାୟଚୌଧୁରୀ, ରାଜଶ୍ରୀ ମିତ୍ର, ସୌଭିକ ମଣ୍ଡଳ, ବନିତା ମଣ୍ଡଳ, ଇନ୍ଦ୍ରନୀଲ ଘୋଷ, ସମ୍ରାଟ କର ତାଳସାରି ସାମୁଦ୍ରିକ ଥାନାରେ ସେମାନଙ୍କର ଦୁଇବନ୍ଧୁ ନିଖୋଜ ହେବାନେଇ ଏକ ଲିଖିତ ଅଭିଯୋଗ କରିଥିବା ଘଟଣା ଜଣାପଡ଼ିଛି।

ସମ୍ବନ୍ଧିତ ଖବର