ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଆଜି ପୁଣି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବିଜେଡିକୁ ଟାର୍ଗେଟ୍ କରିଛନ୍ତି। ସେ ଖୋଲାଖୋଲି କହିଛନ୍ତି ଯେ ବିଜେଡି ଚାପରେ ଦୀପାଳି ଦାସ ତାଙ୍କ ବାପାଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖୁନାହାନ୍ତି। ଏହାସହ ଶ୍ରୀ ପୁରୋହିତ କହିଛନ୍ତି ଯେ ସିବିଆଇ ତଦନ୍ତ ପାଇଁ ନବଙ୍କ ପରିବାର ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇଲେ ବିଜେଡିର ଦୁଇଟି ବଡ଼ ମୁଣ୍ଡ ଫସିଯିବେ। ସେମାନେ ଜେଲ୍‌କୁ ଯିବେ। ସେଥିପାଇଁ ଦୀପାଳିଙ୍କ ଉପରେ ବିଜେଡିର ଚାପ ବଢ଼ିଛି। ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ନଦେବାକୁ ବିଜେଡି ଦୀପାଳିଙ୍କୁ ମନା କରିଛି।  ବିଜେଡି ଦୀପାଳିଙ୍କୁ ବୁଝାଇ ‌ଦେଇଛି ଯେ ଯଦି ସରକାର ସିବିଆଇ ତଦନ୍ତ କରିବା କଥା କରନ୍ତୁ। ତୁ ଏଥିରେ ପଶନି। ବିଜେଡିର ଚାପ ଯୋଗୁ ସେ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇ ପାରୁନାହାନ୍ତି। ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଦୁଇ ଜଣଙ୍କ ନାଁ ଚର୍ଚ୍ଚାରେ ଥିଲା। ଜଣେ ଆଇଏଏସ୍ ଅଧିକାରୀ ଥିଲେ, ଯିଏ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିଲେ। ଆଉ ଜଣେ ବିଜେଡିର ବଡ଼ ନେତା ଥିଲେ, ଯିଏ ସାରା ରାଜ୍ୟକୁ ଚଳାଉଥିଲେ। ସେହି ଦୁଇ ଜଣଙ୍କ ମଧ୍ୟରେ ଏକପ୍ରକାରର ବୁଝାମଣା ଥିଲା। ନବୀନ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ମୁଖ୍ୟମନ୍ତ୍ରୀ ହେବାକୁ ସେମାନଙ୍କ ଭିତରେ ବୁଝାମଣା ଥିଲା।

ନବଙ୍କ ପରିବାର ଉପରେ ଚାପ ସୃଷ୍ଟି କରୁଛି ବିଜେଡି

Advertisment

ଏହାସହ ଶ୍ରୀ ପୁରୋହିତ କହିଛନ୍ତି ଯେ ନବ ଦାସ ଶନି ମନ୍ଦିରରୁ ଆସିବା ପରେ କାଳେ ମୁଖ୍ୟମନ୍ତ୍ରୀ ହୋଇଯିବେ ସେଥିପାଇଁ ସେମାନେ ତାଙ୍କୁ ରାସ୍ତାରୁ ହଟେଇ ଦେଲେ। ଗୋପାଳ ଦାସ ଜରିଆରେ ଯେଉଁମାନେ ନବ ଦାସଙ୍କୁ ମାରିଲେ ସେମାନଙ୍କ ବିଷୟରେ ରାଜ୍ୟବାସୀଙ୍କର ଜାଣିବାର ଅଧିକାର ଅଛି। ସିବିଆଇ ତଦନ୍ତ ହେଲେ ହିଁ ଏହାର ପର୍ଦ୍ଦାଫାସ ହେବ। ବିଜେପି ସରକାର ଚାହୁଛି ନବ ଦାସଙ୍କ ହତ୍ୟାକାଣ୍ଡର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ। ସେଥିପାଇଁ କ୍ରାଇମବ୍ରାଞ୍ଚ ଦୀପାଳି ଓ ବିଶାଳଙ୍କୁ ନୋଟିସ୍‌ କରିଛି। ରାଜ୍ୟ ସରକାର ବି କହିଥିଲେ ସିବିଆଇ ତଦନ୍ତ ପାଇଁ ନବ ଦାସଙ୍କ ପରିବାର ପକ୍ଷରୁ ଲିଖିତ ଭାବେ ଜଣାଗଲେ ଏହାକୁ ବିଚାର କରାଯିବ। ଦୀପାଳି ବି କହିଥିଲେ ଏନେଇ ସେ ପରିବାର ସହ ବିଚାରବିମର୍ଶ କରୁଛନ୍ତି। ହେଲେ ବିଜେଡିର ଚାପ ଯୋଗୁ ସେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ପାରୁନାହାନ୍ତି। ଅପରପକ୍ଷେ ପୂର୍ବରୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ଦିଶାହୀନ କରି ଫାଇଲ୍‌ କ୍ଲୋଜ କରି ରଖିଛି। ନବଙ୍କ ପରିବାର ଯଦି କିଛି ଆପତ୍ତି ଅଭିଯୋଗ କି ଅଧିକ ତଥ୍ୟ ନ ଦେବେ ତେବେ ନବଙ୍କ ଫାଇଲ୍‌ ସବୁଦିନ ପାଇଁ ବନ୍ଦ ହୋଇଯିବ। ତେଣୁ ନବଙ୍କ ପରିବାର ତୁରନ୍ତ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାନ୍ତୁ ବୋଲି ଶ୍ରୀ ପୁରୋହିତ କହିଛନ୍ତି।