ରାୟଗଡ଼ା: ଶୂନ୍ୟ ମୃତ୍ୟୁ ସପ୍ତାହର ଆଜି ଶେଷ ଦିନ। ଏହି ସପ୍ତାହରେ ପରିବହନ ବିଭାଗ ଓ ପୁଲିସ ବିଭାଗ ପକ୍ଷରୁ ପ୍ରତି ଛକରେ ହେଲମେଟ ଓ ଗାଡ଼ି କଡକାଡି ଭାବେ ଯାଞ୍ଚ କରାଯାଉଛି। ସେହିପରି ବିଭିନ୍ନ ସ୍ଥାନରେ ସିସିଟିଭି ଜରିଆରେ ମଧ୍ୟ ନଜର ରଖିଛି ପୁଲିସ। ଏଥିସହ ଅମାନିଆ ଚାଳକଙ୍କ ବିରୋଧରେ ମୋଟା ଅଙ୍କର ଜରିମାନା ଆଦାୟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବର୍ତ୍ତମାନ ଏତେ ଆଧୁନିକୀକରଣ ହେବା ପରେ ମଧ୍ୟ ଉଭୟ ପରିବହନ ଓ ପୁଲିସ ଆଖିରେ ଧୂଳି ଦେଇ ରାୟଗଡ଼ା ସହରରେ ଗୋଟିଏ ନମ୍ବରରେ ଘୁରି ବୁଲୁଛି ଦୁଇଟି ଗାଡ଼ି।
ସୁଚନାଅନୁଯାୟୀ ବୁଧବାର ନାରାୟଣ ପାଣଗ୍ରାହୀ ନାମକ ଜଣେ ବ୍ୟକ୍ତି ବିନା କାରଣରେ ତାଂକ ଫୋନକୁ ମେସେଜ ଜରିଆରେ ଗାଡ଼ି ଚଲାଇ ଅମାନିଆ କରିଥିବା ନେଇ ଜରିମାନା ପାଇଁ ଚାଲାଣ ଆସିଛି। ସେ ରାୟଗଡ଼ା ସହରରେ ଉପସ୍ଥିତ ନଥିବା ବେଳେ ଏଭଳି ମେସେଜ ନେଇ ସେ ଦ୍ବନ୍ଦରେ ପଡିଥିଲେ। ତେବେ ଗାଡି ନମ୍ବର ଓଡ଼ି-୧୮-ଜି-୦୮୬୮ ନମ୍ବର ଥିବା ଏକ ସ୍କୁଟିରେ ଜଣେ ବ୍ୟକ୍ତି ମୋବାଇଲ୍ ଫୋନରେ କଥା ହୋଇ ଗାଡ଼ି ଚଳାଉଥିବା ଫଟୋ ଥାଇ ୫ ହଜାର ଟଙ୍କା ଜରିମାନା ପୈଠ କରିବାକୁ ଏକ ଅନଲାଇନ ଚାଲାଣ ମେସେଜ ନାରାୟଣଙ୍କ ଫୋନକୁ ଆସିଥିଲା।
ତେବେ ନାରାୟଣଙ୍କ ପାଖରେ ଓଡ଼ି-୧୮-ଜି- ୦୮୬୮ ନମ୍ବରରେ ଏକ ହୋଣ୍ଡା ସାଇନ୍ ଗାଡ଼ିଥିବା ବେଳେ ଏଭଳି ଚାଲାନ ଦେଖି ସେ ଚକିତ ହେଇପଡିଥିଲେ। ପରିବହନ ବିଭାଗର ଅନଲାଇନ୍ ପୋର୍ଟାଲରେ ଉକ୍ତ ଗାଡ଼ି ନମ୍ବରଟି ହୋଣ୍ଡା ସାଇନ୍ ଗାଡ଼ିର ନମ୍ବର ଉଲ୍ଲେଖ ରହିଥିବା ବେଳେ ଗାଡ଼ି ଯାଞ୍ଚ କରୁଥିବା ପୁଲିସ ଅଧିକାରୀ କିଭଳି ସଠିକ୍ ଯାଞ୍ଚ ନକରି ଚାଲାଣ କରିଛନ୍ତି ତାହା ଏବେ ସବଠୁ ବଡ଼ ପ୍ରଶ୍ନ। ଏଭଳି ଘଟଣା ଲୋକଲୋଚନକୁ ଆସିବା ପରେ ଏବେ ପୁଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ସମ୍ପର୍କରେ ପରିବହନ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସେ ଏଭଳି ତ୍ରୁଟିକୁ ସିଧାସଳଖ ଗ୍ରହଣ ନ କରିଥିଲେ ମଧ୍ୟ ଏନେଇ ତଦନ୍ତ କରାଯିବା ବୋଲି କହିଥିଲେ।ଏହି ଘଟଣା ସମ୍ପର୍କରେ ନାରାୟଣ ରାୟଗଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ହୋଇଥିବା ତ୍ରୁଟିକୁ ସଂଶୋଧନ କରିବା ନିମନ୍ତେ ପରିବହନ ବିଭାଗକୁ ଅବଗତ କରାଇବା ନେଇ ପ୍ରତିଶୃତି ଦେଇଛନ୍ତି।