ଦୁଇ ଵାଇକକୁ ଦଳିଦେଲା ଟ୍ରକ୍

ସୁନ୍ଦରଗଡ଼: ଆଜି ସକାଳ ୯ଟାରେ ହେମଗିର ଥାନା ରତନପୁର ଵସୁନ୍ଧରା ମେଟାଲିକର ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ୍ ଦୁଇ ବାଇକ୍ ଉପରେ ଚଢ଼ିଯାଇଛି। ଫଳରେ ଵାଇକ୍ ଦୁଇଟି ଚୁନା ହୋଇଯାଇଛି। ବାଇକକୁ ରାସ୍ତା କଡରେ ଠିଆ କରି ଦୁଇ ଆରୋହୀ ଜଳଖିଆ ଖାଇବାକୁ ଦୋକାନକୁ ଯାଇଥିଲେ। ଫାକ୍ଟ୍ରିକୁ ଦ୍ରୁତଗତିରେ ଯାଉଥିବା ଟ୍ରକଟି ଵାଇକ୍ ଉପରେ ଚଢିଯାଇଥିଲା। ଘଟଣା ପରେ ସେଠାରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ମାଲିକ ଦୁଇ ନୂଆ ବାଇକ୍ କିଣିଦେଵାର ଚୁକ୍ତି କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।
ସୂଚନାଯୋଗ୍ୟ, ବାଙ୍କିଵାହାଲ- ଟପରିଆ ରାସ୍ତାରେ ଏମସିଏଲର କୋଇଲା ପରିବହନ ବନ୍ଦ ଦାବିରେ ଜନଶକ୍ତି ବିକାଶ ପରିଷଦ ଟପରିଆ ଠାରେ ଅଢ଼େଇ ମାସ ଧରି ଧାରଣା ଦେଇଥିଲା। ଘଟଣାକ୍ରମରେ ଆନ୍ଦୋଳନକାରୀଙ୍କ ବ୍ୟାପକ ଗିରଫଦାରି, ସ୍କୁଲ ପିଲାଙ୍କ ଧାରଣା, ହାଇକୋର୍ଟଙ୍କ ଆଦେଶ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାପାଳ କଟକଣା ଓ ସର୍ତ୍ତ ମୁତାବକ ଗାଡ଼ି ଚଳାଚଳକୁ ଅନୁମତି ଦେଇଥିଲେ। କୋଇଲା ଓ ଅନ୍ୟ ଖଣିଜଦ୍ରବ୍ୟ ଵୋଝେଇ ଭାରିଯାନ ପରସ୍ପର ଶହେ ମିଟର ଦୂରତାରେ ଧିମା ଗତିରେ ଚଳାଚଳ କରିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଅନେକ ସମୟରେ ଗାଡ଼ିଗୁଡ଼ିକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରୁଥିବାବେଳେ ଛୋଟ ବଡ଼ ଦୁର୍ଘଟଣା ଘଟି ଚାଲିଛି।

ଦୁଇ ଦିନ ତଳେ ରତନପୁରରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରେଲର ଗୋଟିଏ ଘରକୁ ଧକ୍କା ଦେଇଥିଲା। ପରିବାର ଲୋକେ ତୁରନ୍ତ ପଦାକୁ ବାହାରି ଆସିବାରୁ ରକ୍ଷା ପାଇଯାଇଥିଲେ। ଆଜି ପୁଣି ଏ ଦୁର୍ଘଟଣା ଘଟିଛି। ନିର୍ଦ୍ଦେଶକୁ ମାନୁ ନଥିବା ଗାଡ଼ିମାଲିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳଵାସୀ ଦାଵି କରିଛନ୍ତି।

ସମ୍ବନ୍ଧିତ ଖବର