ଟ୍ରକ୍‌ ଓ ଅଟୋ ଧକ୍କାରେ ୨ ବାଇକ୍‌ ଆରୋହୀ ଗୁରୁତର

ଛେଣ୍ଡିପଦା/ଚିଲିକା: ଭିନ୍ନ ଭିନ୍ନ ସ୍ଥାନରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଜଣ ଗୁରୁତର ହୋଇଛନ୍ତି। ବାଇକକୁ ଧକ୍କା ଦେଇ ଟ୍ରକ ଫେରାର ହୋଇଛି। ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ଆହତ ହୋଇ ଅନୁଗୁଳ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଆଜି ଦିନ ସାଢେ ୧୨ ଟାରେ ଜରପଡା ଥାନା ଜାମୁଣ୍ଡା ଗ୍ରାମର ଦୁଷ୍ମନ୍ତ ବେହେରା(୩୪) ଓଡ଼ି-୧୯-ଏମ-୯୧୮୩ ନମ୍ବର ବାଇକରେ ଛେଣ୍ଡିପଦାରୁ ଘରକୁ ଫେରୁଥିଲେ। ଛେଣ୍ଡିପଦା-ଜରପଡା ରାସ୍ତାର ଦୁର୍ଗାପୁର ଘଟି ନିକଟରେ ଜରପଡା ଆଡୁ ଛେଣ୍ଡିପଦା ଆଡକୁ ଯାଉଥିବା ଟ୍ରକ ବାଇକକୁ ଧକ୍କା ଦେଇ ଫେରାର ହୋଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଦୁଷ୍ମନ୍ତକୁ ଅନୁଗୁଳ ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବରପାଇ ଜରପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାରେ ଚୁରମାର ବାଇକକୁ ଜବତ କରି ତଦନ୍ତ ଚଳେଇଛି।

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରିମୁଣ୍ଡା ସୁନାଖଳା ରାସ୍ତା ମଧ୍ୟସ୍ଥ କୁଲେଇ ଛକ ନିକଟରେ ଆଜି ମଧ୍ୟାହ୍ନରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି।  ଅଟୋ ରିକ୍ସା ଧକ୍କାରେ ବାଇକ୍ ଆରୋହୀ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ଆହତଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ତାଙ୍କୁ ଟାଙ୍ଗୀ ମେଡିକାଲରୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତଙ୍କ ନାମ ମୁନା ପ୍ରତିହାରୀ (୨୫ ବର୍ଷ) ଏବଂ ତାଙ୍କ ଘର ବାଣପୁର ଥାନା କୁଲେଇ ଗ୍ରାମରେ ବୋଲି ଜଣାପଡିଛି। ସେ ବାଇକ୍ ଯୋଗେ ଘରକୁ ଯାଉଥିବା ବେଳେ ଏକ ଅଟୋ ରିକ୍ସା ଧକ୍କା ଦେଇଥିଲା। ଖବର ପାଇ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଉଦ୍ଧାର କରି ତାଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲା।

ସମ୍ବନ୍ଧିତ ଖବର