ବିରଳ ପକ୍ଷୀ ଶିକାର ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ

ବାମରା : ବାମରା ୱାଇଲ୍‌ଡ ଲାଇଫ ଡିଭିଜନ ଅନ୍ତର୍ଗତ ଖଳାଶୁଣୀ ରେଂଜ(ସେଙ୍କଚୁରି)ରେ ବିଲୁପ୍ତ ବିରଳ ପ୍ରଜାତିର ପକ୍ଷୀ ଶିକାର ଅଭିଯୋଗରେ ୨ ଶିକାରୀଙ୍କୁ ଗିରଫ ଯାଇଛି। ଶୁକ୍ରବାର ରାତ୍ରିରେ ବନ ବିଭାଗ ଦ୍ୱାରା ପାଟ୍ରୋଲିଂ କରୁଥିବା ସମୟରେ ସେମାନେ ହାବୁଡ଼ରେ ପଡ଼ିଥିଲେ। ତାଙ୍କଠାରୁ ୩ଟି ମୃତ ପକ୍ଷୀ, ଗୋଟିଏ ଟର୍ଚ୍ଚ, ଶିକାରରେ ବ୍ୟବହୃତ ଗୁଲେସ ତଥା ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ବାମରା ଡିଏଫଓ ଫାଲଗୁନି ସାରଥୀ ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ଜେକେ ବେହେରା, ଖଳାଶୁଣୀ ରେଞ୍ଜ ଅଫିସର ରବିନ କିସ୍କୁ, ଫରେଷ୍ଟର ଅନୁରାଧା ଖର୍ସେଲ, ଫରେଷ୍ଟ ଗାର୍ଡ ସୁଦୀପ ପଟେଲଙ୍କ ସମେତ ଅନ୍ୟ କର୍ମଚାରୀମାନେ ଏକ ସ୍ବତନ୍ତ୍ର ଟିମ ତିଆରି କରି ପାଟ୍ରୋଲିଂ କରୁଥିଲେ। ଏହି କ୍ରମରେ ବେଆଇନ ପକ୍ଷୀ ଶିକାର କରି ଚମ୍ପଟ ମାରୁଥିବା  ଚୈତୁ ସିଂ ଓ ଦୁର୍ଗା ଭଇଁସାକୁ କାବୁ କରିଥିଲେ। ପକ୍ଷୀ ଶିକାରରେ ସଂପୃକ୍ତ ଉଭୟ ଅଭିଯୁକ୍ତଙ୍କୁ ୨୫ ହଜାର ଟଙ୍କା ଜରିମାନା ସହିତ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁସାରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି। ଶନିବାର ଦିନ କୁଚିଣ୍ଡା କୋର୍ଟ ଚାଲାଣ କରାଯାଇଥିବାବେଳେ, ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଡିଏଫଓ ଶ୍ରୀ ମଲ୍ଲିକଙ୍କଠାରୁ ପ୍ରକାଶ।

ସମ୍ବନ୍ଧିତ ଖବର