ଶ୍ରେୟ ନେବାକୁ ଦୁଇ ବିଜେଡି ବିଧାୟକଙ୍କ କସରତ!

ରାଉରକେଲା: ସହରବାସୀଙ୍କ ବହୁ ପ୍ରତିକ୍ଷୀତ ଦାବି, କୋଏଲ ନଦୀରେ ବ୍ରିଜ୍‌ ଏବଂ ବ୍ୟାରେଜ୍‌ ନିର୍ମାଣ ଶେଷରେ ପୂରଣ ହେବାକୁ ଯାଉଛି। ଗତ ୧୨ ତାରିଖ କ୍ୟାବିନେଟ୍‌ ବୈଠକରେ ରାଜ୍ୟ ସରକାର ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। କୋଏଲ ନଦୀରେ ହମିରପୁର ନିକଟରେ ହେବାକୁ ଥିବା ଏହି ପ୍ରକଳ୍ପର ନିର୍ମାଣ ଓ ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ୩୧୩ କୋଟି ୧୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ଆସନ୍ତା ୩୦ ମାସ ଭିତରେ ନିର୍ମାଣକାର୍ଯ୍ୟ ସମ୍ପନ୍ନ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଏହି ପ୍ରକଳ୍ପ ପାଇଁ ଏବେ ଶ୍ରେୟ ନେବାକୁ ରଘୁନାଥପଲ୍ଲୀ ବିଜେଡି ବିଧାୟକ ସୁବ୍ରତ ତରାଇ ଓ ରାଉରକେଲା ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକ ପ୍ରୟାସ ଆରମ୍ଭ କରିଦେଇଥିବା ପରି ମନେ ହୁଏ। ସମାନ ପ୍ରସଙ୍ଗକୁ ନେଇ ଦୁଇ ବିଧାୟକଙ୍କ ପୃଥକ୍‌ ପୃଥକ୍‌ ସାମ୍ବାଦିକ ସମ୍ମିଳନୀ, ସମ୍ଭବତଃ ଶ୍ରେୟ ପାଇଁ କସରତକୁ ଦର୍ଶାଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।

କୋଏଲ ବ୍ରିଜ୍‌ ଓ ବ୍ୟାରେଜ୍‌କୁ ଅର୍ଥ ମଞ୍ଜୁରୀ ପ୍ରସଙ୍ଗ

ଦୁଇ ବିଧାୟକଙ୍କ ପୃଥକ୍‌ ପୃଥକ୍‌ ସାମ୍ବାଦିକ ସମ୍ମିଳନୀ

ଗତ ୧୪ ତାରିଖ‌ ପାନ୍ଥନିବାସରେ ରାଉରକେଲା ବିଧାୟକ ଶ୍ରୀ ନାୟକ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଥିଲେ। ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କଠାରୁ ଆରମ୍ଭକରି ବରିଷ୍ଠ ନେତା, ନେତ୍ରୀ ସାମିଲ ଥିଲେ। ଏହାର ଦିନକ ପରେ, ଅର୍ଥାତ୍‌ ଗତକାଲି ସନ୍ଧ୍ୟାରେ ରଘୁନାଥପଲ୍ଲୀ ବିଧାୟକ ଶ୍ରୀ ତରାଇ ସେକ୍ଟର-୨ ସେହନାଇ ମଣ୍ଡପରେ ସାମ୍ବାଦିକ ସମ୍ମିଳନୀ ଡାକି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଏଥିରେ ମଧ୍ୟ ଜଣେ ବରିଷ୍ଠ ରାଜ୍ୟସ୍ତରୀୟ ନେତ୍ରୀ ଉପସ୍ଥିତ ଥିଲେ। ଉଭୟ ରାଉରକେଲା ଓ ରଘୁନାଥପଲ୍ଲୀ ବିଧାୟକଙ୍କ ମଧ୍ୟରେ ମନୋମାଲିନ୍ୟ ଅଭାବ ଥିବା ଚର୍ଚ୍ଚା ହେବା କିଛି ନୂଆ କଥା ନୁହେଁ। ବର୍ଷବର୍ଷ ହେଲା ଉଭୟଙ୍କ ମଧ୍ୟରେ ଏଭଳି ଅଦୃଶ୍ୟ ମତଭେଦ ରହିଥିବା କୁହାଯାଏ। ଅବଶ୍ୟ, ଉଭୟେ କିନ୍ତୁ କେବେ ବି ଖୋଲାଖୋଲି ପରସ୍ପରକୁ ସମାଲୋଚନା କିମ୍ବା ଦୋଷାରୋପ କରିନାହାନ୍ତି। କିନ୍ତୁ ୨୦୧୨ ମେ’ ୯ ମିଡ୍‌ନାଇଟ ଅପରେସନ ପରେ ଶ୍ରୀ ନାୟକଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାଦ୍‌ ଦେଇ ଶ୍ରୀ ତରାଇଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯିବାପରଠାରୁ ଉଭୟଙ୍କ ମଧ୍ୟରେ ଯେ ମଧୁର ସମ୍ପର୍କ ଆଉ ନାହିଁ, ଏହି ଚର୍ଚ୍ଚା ବର୍ଷବର୍ଷ ହେଲା ଲାଗିରହିଛି। ପୃଥକ୍‌ ପୃଥକ୍‌ ସାମ୍ବାଦିକ ସମ୍ମିଳନୀ ଡାକିବା ଏହି ଚର୍ଚ୍ଚାକୁ ଯେ ଖୋରାକ୍‌ ଯୋଉଛି, ତାହା ନିଃସନ୍ଦେହ।

ଜନସାଧାରଣ, ଚାଷୀକୂଳ ଉପକୃତ ହେବେ: ସୁବ୍ରତ

ସେକ୍ଟର-୨ ସେହନାଇ ମଣ୍ଡପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକଳ୍ପ ପାଇ ଅର୍ଥ ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦୀଘ ଦିନର ସମସ୍ୟା ସମାଧାନ ହେବବୋଲି କହିଛନ୍ତି। କହିଲେ, ଗତ କିଛି ବର୍ଷ ହେଲା କୋଏଲ ନଦୀର ଜଳସ୍ତର ହ୍ରାସ ପାଉଥିବାରୁ ଜନସାଧାରଣ ପାନୀୟ ଜଳ ସମସ୍ୟା ସହ ଯାବତୀୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ଏକାଧିକାରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲି। ବିଭାଗୀୟ ଅଧିକାରୀଙ୍କ ସହ ସ୍ଥାନୀୟ ଞ୍ଚଳକୁ ଯାଇ ଏକାଧିକବାର ସ୍ଥିତି ଅନୁଧ୍ୟାନ କରିଥିଲି। ପରବର୍ତ୍ତୀ ସମୟରେ ଆବଶ୍ୟକତାକୁ ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀ ପ୍ରସ୍ତାବକୁ ଗ୍ରହଣ କରିଥିଲେ।

ଏମିତିକି ଗତ ୨୦୧୩ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ଏହି ବ୍ୟାରେଜ୍‌ର ଶୀଳାନ୍ୟାସ କରିଥିଲେ। କିନ୍ତୁ ପ୍ରକଳ୍ପର ନିର୍ମାଣ ପାଇଁ କେତେକ ବୈଷୟିକ ସମସ୍ୟା ରହିଥିଲା। ଇତିମଧ୍ୟରେ ବିଜେଡି କର୍ମକର୍ତ୍ତାଙ୍କ ଉଦ୍ରମ, ବିଭାଗୀୟ ଅଧିକାରୀଙ୍କ ସହଯୋଗ ଓ ସ୍ଥାନୀୟ ଜନସାଧାରଣଙ୍କ ସମର୍ଥନ ଯୋଗୁଁ ପ୍ରକଳ୍ପ ସାର୍ଥକ ହେବାକୁ ଯାଉଛି। ଏହାଦ୍ବାରା କେବଳ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ନୁହେଁ, ବରଂ ରାଉରକେଲା, ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣ ଲାଭବାନ ହେବେ। ଜନସାଧାରଣଙ୍କ ପାନୀୟ ଜଳ ସମସ୍ୟାର ସମାଧାନ ସହିତ ଚାଷୀକୂଳ ଉପଯୁକ୍ତ ହେବବୋଲି ଶ୍ରୀ ତରାଇ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେବିଜେଡି ରାଜ୍ୟ ପରିଷଦ ସଦସ୍ୟ ସୁଧୀର ସୁନ୍ଦର ରାୟ, ନଗର ସଭାପତି ଆତ୍ତ୍ର୍ ମହାରଣା, ମହିଳା ବିଜେଡି ରାଜ୍ୟ ଉପସଭାନେତ୍ରୀ ମୀନତି ଦେବତା, ରଘୁନାଥପଲ୍ଲୀ ମହିଳା ବିଜେଡି ସଭାନେତ୍ରୀ ଇନ୍ଦିରା ନାୟକ, ଯୁବ ସଭାପତି ପ୍ରଭାକର ଚୌଧୁରୀ, ଛାତ୍ର ସଭାପତି ରାକେଶ ସ୍ବାଇଁ, ମିଡିଆ ସଂଯୋଜକ ସଞ୍ଜୀବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର