ସିବିଏସ୍‌ଇ ଦଶମ ଓ ଦ୍ବାଦଶରେ ୫୦% ସିଲାବସ୍‌, ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା

ନଭେମ୍ବର-ଡିସେମ୍ବରରେ ଟର୍ମ-୧ ପରୀକ୍ଷା, ମାର୍ଚ୍ଚ-ଏପ୍ରିଲରେ ଟର୍ମ-୨ ପରୀକ୍ଷା

ଭୁବନେଶ୍ବର : କରୋନା କାଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ସିବିଏସ୍‌ଇ (କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ) ପକ୍ଷରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ବଡ଼ଧରଣର ପରିବର୍ତ୍ତନ କରାଯାଇଛି। ୨୦୨୧-୨୨ ଶିକ୍ଷାବର୍ଷର ଛାତ୍ରଛାତ୍ରୀ ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ଦେବେ। ଏହାକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ମୋଟ୍‌ ସିଲାବସ୍‌ର ୫୦% ଲେଖାଏଁ ପାଠକୁ ନେଇ ଟର୍ମ-୧ ଓ ଟର୍ମ-୨ ପରୀକ୍ଷା କରାଯିବ। ଉଭୟ ପରୀକ୍ଷାର ମାର୍କକୁ ମିଶାଇ ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପାଇବ।

ବିଜ୍ଞପ୍ତି ଅନୁଯାୟୀ, ପରୀକ୍ଷା ପାଇଁ ସିବିଏସ୍‌ଇ ପକ୍ଷରୁ ପ୍ରଶ୍ନପତ୍ର ସହ ମାର୍କିଂ ପଦ୍ଧତି ସ୍କୁଲଗୁଡ଼ିକୁ ପଠାଇବ। ଏକ୍ସଟରନାଲ ସୁପରି‌ନ୍‌ଟେଣ୍ଡେଣ୍ଟ ଓ ସିବିଏସ୍‌ଇ ଦ୍ବାରା ନିଯୁକ୍ତ ନୀରକ୍ଷକଙ୍କ ତତ୍ତ୍ବାବଧାନରେ ପରୀକ୍ଷା ହେବ। ଟର୍ମ-୧ ପରୀକ୍ଷା ନଭେମ୍ବର ଓ ଡିସେମ୍ବର ମାସରେ କରିବାକୁ ସ୍ଥିର ହୋଇଛି। ୫୦% ସିଲାବସ୍‌ ଶେଷ ହେବା ପରେ ଟର୍ମ ପରୀକ୍ଷା ହେବ। ପରୀକ୍ଷାଗୁଡ଼ିକର ସମୟ ଅବଧି ୯୦ ମିନିଟ୍‌ ରହିବ। ପ୍ରଶ୍ନପତ୍ରରେ ମଲ୍‌ଟିପୁଲ୍‌ ଚଏସ୍‌ ପ୍ରଶ୍ନ ଆସିବ। ୪ରୁ ୮ସପ୍ତାହ ଧରି ଦେଶ ଓ ବିଦେଶରେ ଥିବା ସିବିଏସ୍‌ଇ ଅଧୀନ ବିଦ୍ୟାଳୟରେ ପରୀକ୍ଷା ଅନୁଷ୍ଠିତ ହେବ। ସେହି ଅନୁଯାୟୀ ବୋର୍ଡ ପକ୍ଷରୁ ସ୍କୁଲଗୁଡ଼ିକୁ ତା‌ରିଖ ଜଣାଇ ଦିଆଯିବ। ସେହିପରି ଟର୍ମ-୨ ପରୀକ୍ଷା ମାର୍ଚ୍ଚ ଓ ଏପ୍ରିଲରେ କରାଯିବ। ବାକି ୫୦% ସିଲାବସ୍‌ ଆଧାରରେ ପ୍ରଶ୍ନପତ୍ର ଆସିବ। ଦୁଇ ଘଣ୍ଟା ଅବଧିର ଏହି ପରୀକ୍ଷାରେ ସଂକ୍ଷିପ୍ତ ଓ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ। ଯଦି କରୋନା ସ୍ଥିତିରେ ସୁଧାର ନ ଆସେ, ‌ ଶେଷ ମୁହୂର୍ତ୍ତରେ ୯୦ ମାର୍କର ମଲଟିପୁଲ୍‌ ଚଏସ୍‌ର ପରୀକ୍ଷା କରାଯିବ। ବୋର୍ଡ ପକ୍ଷରୁ ମାର୍ଚ୍ଚ ମାସରେ ଜାରି ହୋଇଥିବା ସଂକ୍ଷିପ୍ତ ସିଲାବସ୍‌ ଅନୁସାରେ ପାଠପଢ଼ା ହେବ।

କରୋନା ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ସ୍କୁଲଗୁଡ଼ିକ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷାଦାନ ଜାରି ରଖିବେ। ବିଭିନ୍ନ ସମୟରେ ଛାତ୍ରଛାତ୍ରୀଙ୍କ ୟୁନିଟ୍‌ ଟେଷ୍ଟ କରାଇବେ। ବର୍ଷ ସାରା ବିଦ୍ୟାଳୟରେ ହୋଇଥିବା ବିଭିନ୍ନ ଆସେସ୍‌ମେଣ୍ଟ ଆଧାରରେ ଛାତ୍ରଛାତ୍ରୀଙ୍କ ଚରିତ୍ର ପଞ୍ଜିକା ପ୍ରସ୍ତୁତ କରିବେ। ସିବିଏସ୍‌ଇ ଆଇଟି ପ୍ଲାଟଫର୍ମରେ ଇଣ୍ଟରନାଲ ଆସେସ୍‌ମେଣ୍ଟ ମାର୍କଗୁଡ଼ିକ ଦାଖଲ କରିବେ। ବୋର୍ଡ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ବ୍ୟାଙ୍କ ଯୋଗାଇ ଦିଆଯିବ। ଏଥିସହ ଶିକ୍ଷକ ତାଲିମ୍‌ କାର୍ଯ୍ୟକ୍ରମ ମଧ୍ୟ କରାଯିବ। ଯଦି ଶିକ୍ଷାବର୍ଷ ଭିତରେ ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରେ, ତେବେ କେଉଁ ପଦ୍ଧତିରେ ପରୀକ୍ଷା କରାଯିବ, ସେନେଇ ସିବିଏସ୍‌ଇ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ହୋଇଛି। ଶିକ୍ଷାବିତ୍‌, ଘରୋଇ ଓ ସରକାରୀ ବିଦ୍ୟାଳୟ କର୍ତ୍ତୃପକ୍ଷ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହ ବ୍ୟାପକ ବିଚାରବିମର୍ଶ କରାଯିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସିବିଏସ୍‌ଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର