ସାଙ୍ଗ ହୋଇ ଗାଧୋଉଥିଲେ, ବୁଡ଼ିଗଲେ ଦୁଇ ବାଳକ

ଖଇରା/ବାଲିଆପାଳ: ବାଲେଶ୍ୱର ଜିଲ୍ଲା ଖଇରା ଥାନା ମିରିପୁର ଖଇରା ଶାସନ ଗାଁ’ରେ ଘଟିଛି ଅଘଟଣ। ନିକଟସ୍ଥ କାଂଶବାଂଶ ନଦୀରେ ତିନି ଜଣ ନବମ ଶ୍ରେଣୀ ଛାତ୍ର ସାଙ୍ଗ ହୋଇ ଗାଧୋଉଥିବା ବେଳେ ବୁଡ଼ିଯାଇ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ; ଗାଁ’ର ରମାକାନ୍ତ ଦାଶଙ୍କ ପୁଅ କିଶୋର ଦାଶ। କିଶୋର ମହମ୍ମଦପୁର ହାଇସ୍କୁଲରେ ପଢୁଥିଲେ। ଆଜି ବାର୍ଷିକ ପରୀକ୍ଷା ସରିବା ପରେ ସେ ଓ ତାଙ୍କର ଅନ୍ୟ ଦୁଇଜଣ ସହପାଠୀ କାଂଶବାଂଶ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ପାଣିରେ ବୁଡ଼ିଯାଇଥିଲେ କିଶୋର। ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ନହେବାରୁ ଗ୍ରାମବାସୀଙ୍କୁ ଡାକ ପକାଇଥିଲେ। ଗାଁ ଲୋକେ କିଶୋରଙ୍କୁ ଉଦ୍ଧାର କରି ସିମୁଳିଆ ଡାକ୍ତରଖାନା ଓ ସେଠାରୁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟକୁ ନେଇ ଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କିଶୋରଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଖଇରା ଅଞ୍ଚଳରେ ‌ଶୋକ ଖେଳିଯାଇଛି।

ସେହିପରି ବାଲିଆପାଳ ଥାନା ଅନ୍ତର୍ଗତ କଚୁଆପଡ଼ା ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ୧୬ ବର୍ଷ ବୟସ୍କ ବାଳକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ବାଳକ ଜଣକ ହେଲେ; ଗ୍ରାମର ତ୍ରିଲୋଚନ ମହୁରୀଙ୍କ ଏକମାତ୍ର ପୁଅ ମନୁ। ମନୁ ଆଜି ଦ୍ୱି-ପ୍ରହରରେ ତାଙ୍କର କିଛି ସାଙ୍ଗଙ୍କ ସହ ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ତାଙ୍କର ଗୋଡ଼ ଖସିଯିବାରୁ ଗଭୀର ପାଣିରେ ବୁଡ଼ିଯାଇଥିଲେ। ସାଙ୍ଗମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକ ପହଞ୍ଚି ମନୁଙ୍କୁ ଉଦ୍ଧାର କରିବା ସହ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର