ନାରାୟଣପାଟଣା : ନାରାୟଣପାଟଣା ବ୍ଲକ୍ ଉପକଣ୍ଠସ୍ଥ ଦେଇ ପ୍ରବାହିତ ହେଉଥିବା ଝଂଜାବତୀ ନଦୀ ଉପରେ ନିର୍ମାଣ ହେବ ଦୁଇଟି ନୂତନ ପୋଲ। ଗୋଟିଏ ଢେପାଗୁଡ଼ା ଗାଁ ନିକଟରେ ଥିବା ପୁରୁଣା ପୋଲ ସ୍ଥାନରେ ଏବଂ ଅନ୍ୟଟି ନାରାୟଣପାଟଣା ସଦର ହରିଜନ ସାହି ନିକଟରେ ନିର୍ମାଣ ହେବ ବୋଲି ଜଣାପଡ଼ିଛି।

Advertisment

ଢେପଗୁଡ଼ା ଠାରେ ଥିବା ପୁରୁଣା ପୋଲ ତଳୁଆ ହୋଇଥିବା ଯୋଗୁଁ ବର୍ଷା ଦିନ ଆସିଲେ ବାରମ୍ବାର ପୋଲ ଉପର ଦେଇ ବନ୍ୟାଜଳ ପ୍ରବାହିତ ହେଉଛି। ଯଦ୍ବାରା ଅନେକ ସମୟରେ ଯାତାୟାତ ଠପ୍ ହୋଇଯାଉଛି। ଏହି ରାସ୍ତା ନାରାୟଣପାଟଣା ବ୍ଲକ୍ ସଦର ମହକୁମାରୁ ପୋଡ଼ାପଦର ଏବଂ ତଳଗୁମାଣ୍ଡି ପଞ୍ଚାୟତକୁ ସଂଯୋଗ ହୋଇଛି। ଏଥିସହ ଏହି ରାସ୍ତା ଦେଇ ପଡ଼ୋଶୀ ସେମିଳିଗୁଡ଼ା ବ୍ଲକ୍ ଏବଂ କୋରାପୁଟ ଜିଲ୍ଲା ସଦର ମହକୁମାକୁ ମଧ୍ୟ ଯାତାୟାତ ହୋଇଥାଏ। ତେବେ ଏହି ରାସ୍ତା ପୂର୍ବରୁ ଅତି ଶୋଚନୀୟ ଅବସ୍ଥାରେ ରହିଥିଲା ବେଳେ ବର୍ତ୍ତମାନ ଗ୍ରାମ୍ୟ ଉନ୍ନୟନ ବିଭାଜନ ଦ୍ବାରା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପୋଡ଼ାପଦର ପଞ୍ଚାୟତର ପ୍ରତ୍ୟେକ ଗାଁକୁ ଏବଂ ତଳଗୁମାଣ୍ଡି ପଞ୍ଚାୟତ ସହ ସେମିଳିଗୁଡ଼ା ବ୍ଲକକୁ ପକ୍କା ରାସ୍ତା ନିର୍ମାଣ ହୋଇଛି। ତେଣୁ ଏହି ରାସ୍ତା ଦେଇ ନିୟମିତ ଗାଡ଼ିମୋଟର ଯାତାୟାତ କରୁଥିବା ବେଳେ ଟ୍ରାଫିକ୍ ମଧ୍ୟ ବଢ଼ିଛି। ତେବେ ଲୋକଙ୍କ ଗମନାଗମନ ସୁବିଧାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଢେପାଗୁଡ଼ା ନଦୀ ଉପରେ ନୂତନ ପୋଲ ନିର୍ମାଣ କରିବାକୁ ଗ୍ରାମ୍ୟ ନିର୍ମାଣ ବିଭାଜନ ନିଷ୍ପତ୍ତି ନେଇଛି। ଏହାର ଡିପିଆର ପ୍ରସ୍ତୁତ ହୋଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ଯାଇଥିବା ବେଳେ ଖୁବ୍ ଶୀଘ୍ର ଅନୁମୋଦନ ହୋଇ ଟେଣ୍ଡର ଆହ୍ବାନ କରାଯାଇ ପୋଲ ନିର୍ମାଣ କାମ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି। ଏହି ନୂତନ ପୋଲ ୬୦ ମିଟର ଲମ୍ବା ଏବଂ ୭.୫ମିଟର ଓସାରରେ ପ୍ରାୟ ୪ କୋଟି ଟଙ୍କାରେ ନିର୍ମାଣ କରିବା ପାଇଁ ବ୍ୟୟ ଅଟକଳ କରାଯାଇଥିବା ଜଣାପଡ଼ିଛି।

ସେହିପରି ନାରାୟଣପାଟଣା ହରିଜନ ସାହି ନିକଟସ୍ଥ ନଦୀ ଉପରେ ମଧ୍ୟ ନୂତନ ପୋଲ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ଏହି ପୋଲ ନିର୍ମାଣ ହେଲେ ବିକ୍ରମପୁର ଗ୍ରାମକୁ ସିଧାସଳଖ ଯୋଗାଯୋଗ ହେବ। ଏଠାରେ ନୂତନ ପୋଲ ୮୦ ମିଟର ଲମ୍ବା ଏବଂ ୭.୫ମିଟର ଓସାରରେ ନିର୍ମାଣ ହେବାକୁ ଥିବା ବେଳେ ଏଥିପାଇଁ ପ୍ରାୟ ୫ କୋଟି ଟଙ୍କା ବ୍ୟୟବରାଦ କରାଯିବ ବୋଲି ଜଣାପଡ଼ିଛି। ଏବେ ବି ବିକ୍ରମପୁର ଗ୍ରାମ ସମେତ ଡୁମସିଲ ଏବଂ ଆଖପାଖ ଗ୍ରାମର ଲୋକ ଏହି ନଦୀ ପାର ହୋଇ ନାରାୟଣପାଟଣା ସଦର ମହକୁମାକୁ ଆସୁଛନ୍ତି। ନାରାୟଣପାଟଣାରୁ ବିକ୍ରମପୁର ଗ୍ରାମକୁ ଗାଡ଼ି ଯାତାୟାତ ପାଇଁ ପ୍ରାୟ ୫ କିମି ରାସ୍ତା ବୁଲି ଯିବାକୁ ପଡ଼ୁଛି। ତେବେ ଏହି ନଦୀ ଉପରେ ନୂତନ ପୋଲ ନିର୍ମାଣ ହେଲେ ନାରାୟଣପାଟଣା ସଦରକୁ ଆସିବାକୁ ଦୂରତା କମିବା ସହ ଲୋକେ ଆଉ ପୂର୍ବ ପରି ନଦୀ ପାର ହେବାକୁ ପଡ଼ିବ ନାହିଁ।