ଦୁଇ ପରିବାର ଭିତରେ ବନ୍ଧା ରାଜନୀତି

ବଲାଙ୍ଗୀର : ବଲାଙ୍ଗୀର ରାଜନୀତିରେ ପରିବାରବାଦ ଏବେ ଚର୍ଚ୍ଚାରେ। ବଲାଙ୍ଗୀର ଲୋକସଭା ଓ ବିଧାନସଭା ଆସନ ଏବେ ଦୁଇ ପରିବାର ଭିତରେ ବନ୍ଧା। ରାଜ ପରିବାରର କଳିକେଶ ନାରାୟଣ ସିଂହଦେଓ ବିଜେଡିର ଲୋକସଭା ପ୍ରାର୍ଥୀ। ତାଙ୍କ ଭାଇ ଅର୍କେଶ ନାରାୟଣ ସିଂହଦେଓ ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ। ଦୁଇ ଭାଇ ଏଥର ବିଜେଡିର ପ୍ରାର୍ଥୀ ହୋଇଛନ୍ତି। ସେପଟେ ରାଜନୀତିକୁ ବେଶ ବୁଝି ପାରିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ବୟସ ଅଧିକ ହେଲେ ପୁଅ ବୟସର ନେତାଙ୍କ ସହ ଲଢ଼ିବାକୁ ପଡ଼ିବ। ଏଥିପାଇଁ ତାଙ୍କ ପୁଅଙ୍କୁ ସେ ପ୍ରୋଜେକ୍ଟ କରି ଆସୁଥିଲେ। ଆଗକୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା ବି କରିଥିଲେ। କିନ୍ତୁ ଦଳ ଓ ତାଙ୍କ ସମର୍ଥକ ତାଙ୍କୁ ପୁଣି ଥରେ ପ୍ରାର୍ଥୀ ହେବାକୁ ଅନୁରୋଧ କରିଥିଲେ। ଶେଷରେ କଂଗ୍ରେସରୁ ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ ହୋଇ ପୁଣି ଥରେ ନରସିଂହ ମିଶ୍ର ମୈଦାନକୁ ଓହ୍ଲାଇଛନ୍ତି। ହେଲେ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର ମଧ୍ୟ ଏଥର କଂଗ୍ରେସରୁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ଏଥର ନିର୍ବାଚନରେ ରାଜ ପରିବାର ଓ ମିଶ୍ର ପରିବାର ଭିତରେ ଜୋରଦାର ଲଢ଼େଇ ହେବ ବୋଲି ଅନୁମାନ କରାଯାଉଛି। କିନ୍ତୁ ଏହି ଲଢ଼େଇର ସୁଯୋଗ ଅପେକ୍ଷାରେ ବିଜେପି ରହିଛି। ମୋଟାମୋଟି ଦେଖିବାକୁ ଗଲେ ଦୁଇ ପରିବାର ଭିତରେ ବଲାଙ୍ଗୀର ରାଜନୀତି ଏବେ ବନ୍ଧା ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର