ଫୁଲବାଣୀ : ବାଇକ୍‌କୁ ପିଟିଲା କାର୍‌, ୨ ଭାଇ ମୃତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ-ଫିରିଙ୍ଗିଆ ରାସ୍ତା ବରପଦା ନିକଟରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ଗୋଟିଏ କାର୍ ମୁହାଁମୁହିଁ ଧକ୍କା ଦେବା ଫଳରେ ବାଇକ୍‌ ଆରୋହୀ ୨ ଭାଇଙ୍କ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଛି। ଏଥିରେ କାର୍‌ ଚାଳକ ବି ଗୁରୁତର ଆହତ ହୋଇଛନ୍ତି।

ଗୋଛାପଡ଼ା ଥାନା ଅଲିମାଡ଼ା ଗାଁର ପ୍ରଦୀପ ବଗାର(୨୮) ଓ ତାଙ୍କ ଦାଦା ପୁଅ ଭାଇ ନରେଶ ବଗାର(୨୪) ଦୁହେଁ ଆଜି ଏକ ବାଇକ୍‌(ଓଡି-୧୨-ଇ-୮୨୧୧)ରେ ଫୁଲବାଣୀ ଆସିଥିଲେ। ଗୋଟିଏ ନୂଆ ମୋବାଇଲ୍‌ ଫୋନ୍‌ କିଣି ଘରକୁ ଫେରୁଥିଲେ। ଦିନ ୧୧ଟାବେଳେ ଫୁଲବାଣୀକୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌( ଓଡି-୧୪-ଏ-୮୯୯୭)ବରପଦା ନିକଟ‌ ବୁଲାଣିରେ ସେମାନଙ୍କୁ ଜୋର୍‌ରେ ଧକ୍କା ଦେଇଥିଲା। ଫଳରେ ସେମାନେ ତଳକୁ ଛିଟିକି ପଡ଼ିଥିଲେ। ଦୁଇ ଭାଇ ପ୍ରଦୀପ ଓ ନରେଶଙ୍କ ଘଟଣାସ୍ଥଳରେ ହିଁ ଶୋଚନୀୟ ମୃତ୍ୟୁ ଘଟିଥିଲା। ଧକ୍କା ଦେବା ପରେ କାର୍‌ଟି ରାସ୍ତା ତଳକୁ ଖସି ପଡ଼ିଥିଲା। ଫଳରେ, ସେଥିରେ ଚାଳକ ଭୁବନେଶ୍ବରର ଜିତେନ୍ଦ୍ର ପାତ୍ର ଚାପି ହୋଇ ରହି ଯାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବ‌ନେଶ୍ବରକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ସଦର ଥାନାଧିକାରୀ ଆଦିତ୍ୟ ପ୍ରସାଦ ସେଠୀ ପହଞ୍ଚି ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଦୁର୍ଘଟଣାଗ୍ରସ୍ତ କାର୍‌ ଓ ବାଇକ୍‌କୁ ପୁଲିସ ଜବତ କରିଥିବା ବେଳେ ଦୁଇ ଭାଇଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନି। ପ୍ରଦୀପ ବିବାହିତ। ପତ୍ନୀ ଓ ଦୁଇ ପିଲାଙ୍କୁ ନେଇ ତାଙ୍କର ସଂସାର। ତେବେ, ନରେଶ ଅବିବାହିତ ଥିଲେ। ଏହି ଦୁଃଖଦ ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର