ବଡ଼ଗାଁ : ଟ୍ରାକ୍ଟର ଧକ୍କାରେ ଦୁଇଭାଇ ମୃତ

ବଡ଼ଗାଁ : ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ବରଙ୍ଗlକଛାର ପଞ୍ଚାୟତର କୁମବାହାଲ ଗାଁରେ ଟ୍ରାକ୍ଟର୍‌ ଧକ୍କାରେ ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି। ସେମାନେ ଏକ ମୋଟରବାଇକ୍‌ରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ପୁଲିସ ଉଭୟଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି। ମୃତକ ଦୁଇ ଭାଇ ହେଲେ ବରଙ୍ଗାକଛାର ଗ୍ରାମରକ୍ଷୀ ଗୁରୁଚରଣ ସୁନୟାନିଙ୍କ ପୁଅ କେରୋଟି ସୁନୟାନି (୨୬) ଓ ଯୁଗେଶ୍ବର ସୁନୟାନି (୩୨)। ବଡ଼ଭାଇ ଲାଇନ୍‌ମ୍ୟାନ୍‌ ଭାବେ କାମ କରୁଥିବା ଯୁଗେଶ୍ବରଙ୍କୁ ଘରକୁ ନେବା ପାଇଁ ଏକ ମୋଟରବାଇକ୍‌ ନେଇ ଜରଙ୍ଗଲୋଇ ଛକକୁ ଆସିଥିଲେ l ସେଠାରୁ ଦୁଇଭାଇ ଘରକୁ ଫେରୁଥିବା ବେଳେ କୁମବାହାଲ ପାଖରେ ବାଇକ୍‌ଟି ଏକ ନମ୍ବରବିହୀନ ନୂଆ ଟ୍ରାକ୍ଟର୍‌ ପଛରେ ପିଟି ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର