ବିଷମକଟକ/ରାମନାଗୁଡ଼ା: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ସୁଣ୍ଢିଢ଼ାମୁଣି ପଞ୍ଚାୟତର ରଙ୍ଗମାଟି ଗାଁ ନିକଟରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଗୋଟିଏ ପରିବାରର ଦୁଇ ଭାଇଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। ଅନ୍ୟ ଜଣେ ଭାଇ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଅନ୍ୟପଟେ ମୃତକଙ୍କ ଗାଁରେ ଶୋକର ଛାୟା ଖେଳି ଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ବିଷମକଟକ ବ୍ଲକ ଦୁର୍ଗୀ ପଞ୍ଚାୟତ ଅନ୍ତର୍ଗତ କୁନ୍ଧନପଦର ଗାଁର ଗୋଟିଏ ପରିବାରର ୩ଭାଇ ଚିଣ୍ଟୁ କୁମୁରିକା (୨୨), ପିଙ୍କୁ କୁମୁରିକା (୨୦) ଏବଂ ଗୋବି କୁମୁରିକା (୨୬) କୌଣସି କାମରେ ବାଇକ ଯୋଗେ ରାମନାଗୁଡ଼ା ଯାଇଥିଲେ। ଆଜି ଅପରାହ୍ନରେ ସେମାନେ ଘରକୁ ଫେରିବା ସମୟରେ ରଙ୍ଗମାଟି ନିକଟରେ ବିପରିତ ଦିଗରୁ ଆସୁଥିବା ଗୋଟିଏ ବଲେରୋ ମୁହାଁମୁହିଁ ବାଇକକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଚିଣ୍ଟୁ ଏବଂ ପିଙ୍କୁ କୁମୁରିକାଙ୍କ ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଲୋକ ଗୁରୁତର ଆହତ ଗୋବି କୁମୁରିକାଙ୍କୁ ଉଦ୍ଧାର କରି ରାମନାଗୁଡ଼ା ମେଡିକାଲକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣା ଖବର ପାଇ ମୃତକଙ୍କ ପରିବାର ଏବଂ ସଂପର୍କୀୟ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଘଟଣା ପରେ ବଲେରୋ ଡ୍ରାଇଭର କେଉଁଆଡ଼େ ଫେରାର ହୋଇଯାଇଥିଲା। ଯାହାକୁ ନେଇ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ମୃତକଙ୍କ ସଂପର୍କୀୟ ଏବଂ ସ୍ଥାନୀୟ ଲୋକ କ୍ଷତିପୂରଣ ଦାବିରେ ବିଷମକଟକ-ରାମନାଗୁଡ଼ା ରାସ୍ତାରେ ଶବ ରଖି ରାସ୍ତାରୋକ କରିଥିଲେ। ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ବି ଶେଷ ଖବର ସୁଦ୍ଧା ରାସ୍ତା ଅବରୋଧ ହଟି ନଥିଲା। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଘଟଣା ସ୍ଥଳରେ ଫୋର୍ସ ମୁତୟନ କରାଯାଇଛି। ସୂଚନାଯୋଗ୍ୟ, ମୃତକ ଦ୍ବୟ ବିରିଶି କୁମୁରୁକା ଏବଂ ଚକ୍ରପାଣି କୁମୁରୁକାଙ୍କ ପୁଅ ହୋଇଥିବା ବେଳେ ଆହତ ବୈରାଗୀ କୁମୁରୁକାଙ୍କ ପୁଅ ବୋଲି ଜଣାପଡ଼ିଛି।