ସୁନ୍ଦରମ ଫାଇନାନ୍ସରେ ୧.୪୩ କୋଟି ଠକେଇ ଘଟଣା : ଦୁଇ ଭାଇଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ

ଭୁବନେଶ୍ବର : ସୁନ୍ଦରମ୍‌ ଫାଇନାନ୍ସରେ ୧.୪୩ କୋଟି ଟଙ୍କା ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଆଜି ଦୁଇ ଭାଇଙ୍କୁ ଗିରଫ କରିଛି। ସେମାନେ ହେଲେ, ସଂସ୍ଥାର କାର୍ଯ୍ୟ ନିର୍ବାହୀ ଶଶିକାନ୍ତ ସାହୁ ଓ ସାନ ଭାଇ ଶ୍ରୀକାନ୍ତ ସାହୁ। ଦୁହିଁଙ୍କୁ କ୍ରାଇମବ୍ରାଞ୍ଚ ଭଦ୍ରକରୁ ଗିରଫ କରିଛି। ଆଜି ଦୁହିଁଙ୍କୁ ବାଲେଶ୍ବର କୋର୍ଟକୁ ଚାଲାଣ କରାଯାଇଛି।

କ୍ରାଇମ ବ୍ରାଞ୍ଚଠାରୁ ମିଳିଥିବା ସୂଚନା ମୁତାବକ, ଶ୍ରୀକାନ୍ତ ଜାଲ୍‌ କାଗଜପତ୍ରରେ ୨୦୧୮ ମସିହାରେ କରତାର ହାରଭେଷ୍ଟ ନାମକ ଏକ ସଂସ୍ଥାର ୧୧ଜଣ କର୍ମଚାରୀଙ୍କ ନାଁରେ ପାଖାପାଖି ୧.୪୩ କୋଟି ଟଙ୍କାର ଋଣ ପାଇଁ ଆବେଦନ କରିଥିଲେ। ସୁନ୍ଦରମ୍‌ ଫାଇନାନ୍ସର କାର୍ଯ୍ୟନିର୍ବାହୀ ତଥା ବଡ଼ଭାଇ ଶଶିକାନ୍ତ ଏହି ଆବେଦନକୁ ମଞ୍ଜୁର କରିଥିଲେ। କିନ୍ତୁ ପରବର୍ତୀ ସମୟରେ ଏହି ଋଣକୁ କେହି ସୁଝି ନ ଥିଲେ। ଏହା ପରେ ସଂସ୍ଥା ପକ୍ଷରୁ ଘଟଣାର ଖୋଳତାଡ଼ ହୋଇଥିଲା। ତଦନ୍ତ ବେଳେ ଜଣା ପଡ଼ିଥିଲା, ସୁନ୍ଦରମ୍‌ ଫାଇନାନ୍ସର କାର୍ଯ୍ୟନିର୍ବାହୀ ଶଶିକାନ୍ତ ହିଁ ଏହାର ମାଷ୍ଟରମାଇଣ୍ଡ। ଜାଲ୍‌ କାଗଜପତ୍ର ପ୍ରୁସ୍ତତ କରି ସେ ଏଭଳି ଠକେଇ କରିଛନ୍ତି।

ଏ ନେଇ ସଂସ୍ଥା ପକ୍ଷରୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ନିକଟରେ ଅଭିଯୋଗ କରାଯିବା ପରେ ଏକ ମାମଲା ରୁଜୁ କରାଯାଇଥିଲା। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଆଜି ଦୁଇ ଭାଇଙ୍କୁ ଗିରଫ କରିଛି। ତଦନ୍ତ ଜାରି ରହିଛି। ଅନ୍ୟମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି କ୍ରାଇମ ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର