ମହିଳାଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରି ଶୋଷଣ: ଦୁଇ ଭାଇ ଗିରଫ

ବାଣପୁର : ଧରମଝିଅ କରି ମହିଳାଙ୍କ ମନରେ ବିଶ୍ବାସ ଜନ୍ମାଇଲେ। ନିଶା ଦେଇ ଆପତ୍ତିଜନକ ଫଟୋ ଓ ଭିଡିଓ ଉଠାଇଲେ। ପରେ ଭିଡିଓ ଭାଇରାଲ କରିଦେବା ଧମକ ଦେଇ ଲୁଟିନେଲେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଓ ସାମଗ୍ରୀ। ତା ପରେ ମଧ୍ୟ ମହିଳାଙ୍କ ନଗ୍ନ ଫଟୋକୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେଲେ। ଏପରି ଏକ ଚା‌ଞ୍ଚଲ୍ୟକର ଘଟଣାରେ ବାଣପୁର ପୁଲିସ ରବିବାର ସନ୍ଧ୍ୟାରେ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଜଣେ ଭାଇ ଓ ସେମାନଙ୍କ ମା’ ଫେରାର ହୋଇଯାଇଛନ୍ତି।

ଅଭିଯୋଗରୁ ପ୍ରକାଶ ଯେ ବାଣପୁର ଥାନା ଅଞ୍ଚଳର କବିତା (ଛଦ୍ମନାମ)ଙ୍କ ସ୍ବାମୀ ବିଦେଶରେ କାମ କରୁଛନ୍ତି। ଘରେ କବିତା ଏକା ରହୁଥିଲେ। ଏହାର ସୁଯୋଗ ନେଇ ପ୍ରାୟ ୨ ବର୍ଷ ପୂର୍ବେ ନିକଟସ୍ଥ ଖଜୁରୀଆ ଗ୍ରାମର ଅର୍ଜୁନ ରାଉତରାୟଙ୍କ ପତ୍ନୀ କଳାବତୀ ତାଙ୍କଠାରୁ ୫୦ହଜାର ଟଙ୍କା ଧାର ନେଇଥିଲେ। ତେବେ ଧାର ଟଙ୍କା ସୁଝିବା ବଦଳରେ କଳାବତୀ କବିତାଙ୍କୁ ଧରମ ଝିଅ କରି ତାଙ୍କ ସହ ସମ୍ପର୍କ ସୃଷ୍ଟି କରିଥିଲେ। ପରେ ତାଙ୍କ ଘରକୁ ଯା’ଆସ କରି କବିତାଙ୍କ ମନରେ ବିଶ୍ବାସ ଜନ୍ମାଇ ସମ୍ପର୍କ ନିବିଡ଼ କରିଥିଲେ। ତେବେ କବିତାଙ୍କ ସ୍ବାମୀ ବିଦେଶରୁ ପଠାଉଥିବା ଟଙ୍କା ଲୁଟ କରିବା ପାଇଁ ଚକ୍ରାନ୍ତ କରି କଳାବତୀ ତାଙ୍କୁ ଘରକୁ ଡାକି ନିଶା ଔଷଧ ମିଶା ପଣା ପିଇବାକୁ ଦେଇଥିଲେ। ପଣା ପିଇବା ପରେ କବିତା ଚେତାଶୂନ୍ୟ ହୋଇପଡିଥିଲେ। ଏତିକିବେଳେ କଳାବତୀଙ୍କ ପୁଅ କାଳିଆ, ବିଶ୍ବଜିତ ଓ ରାଜେନ୍ଦ୍ର ମୋବାଇଲରେ କବିତାଙ୍କ ଆପତ୍ତିଜନକ ଫଟୋ ଉଠାଇ ନେଇଥିଲେ। ପରେ ଏହି ଫଟୋ ଭାଇରାଲ କରିଦେବା ଧମକ ଦେଇ ସେମାନେ କବିତାଙ୍କଠାରୁ ନଗଦ ୨୦ ଲକ୍ଷ ଟଙ୍କା ସମେତ ସୁନାଚେନ, ଲ୍ୟାପଟପ୍, ସ୍କୁଟି ପରି ଦାମୀ ଜିନିଷମାନ ହାତେଇଥିଲେ। ଏପରିକି କାଳିଆ କବିତାଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଶାରୀରିକ ସମ୍ପର୍କ ସ୍ଥାପନ କରିବା ସହ ଏହାର ଭିଡିଓ ରେକର୍ଡିଂ କରିଥିଲେ। ତେବେ ତିନି ଭାଇଙ୍କ ଦାବି ବଢିବାରୁ କବିତା ସେମାନଙ୍କୁ ଟଙ୍କା ଦେବା ବନ୍ଦ କରି ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କାଳିଆ ଫଟୋ ଓ ଭିଡିଓ କବିତାଙ୍କ ସ୍ବାମୀ ଓ ପିଲାଙ୍କୁ ପଠାଇବା ସହ ହ୍ବାଟ୍ସଆପ୍‌ରେ ଭାଇରାଲ କରିଦେଇଥିଲେ। କବିତା ଏହାର ପ୍ରତିବାଦ କରିବାରୁ ଗ୍ରାମ ଛକରେ କାଳିଆ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇବା ସହ ଅଶ୍ଳୀଳ ଗାଳିଗୁଲଜ କରିଥିଲେ। ଏ ନେଇ ଶନିବାର ରାତିରେ କବିତା ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମକଦ୍ଦମା ରୁଜୁ କରି କବିତାଙ୍କ ଡାକ୍ତରୀମାଇନା କରାଇ ତଦନ୍ତ ଚଳାଇଥିଲେ। ରବିବାରେ କାଳିଆ ଓ ବିଶ୍ବଜିତ ଗମ୍ଭାରୀମୁଣ୍ତାରେ ଥିବା ମୋବାଇଲ ଟ୍ରାକିଂରୁ ପୁଲିସ ଜାଣିବାକୁ ପାଇଥିଲା। ମଧ୍ୟାହ୍ନରେ ପୁଲିସ ସେମାନଙ୍କୁ ଗିରଫ କରି ଡାକ୍ତରମାଇନା କରାଇ ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଅନ୍ୟମାନେ ଫେରାର ହୋଇଯାଇଛନ୍ତି। କାଳିଆ ନାମରେ ବାଣପୁର ଥାନାରେ ବିଭିନ୍ନ ସଙ୍ଗୀନ ଦଫାରେ ପୂର୍ବରୁ ୩ଟି ମକଦ୍ଦମା ତଦନ୍ତାଧୀନ ଥିବା ବେଳେ ଅନ୍ୟ ଏକ ଘଟଣାରେ ବିଚାର ସମୟରେ କୋର୍ଟରେ ହାଜର ହେଉନଥିବାରୁ କୋର୍ଟ ପକ୍ଷରୁ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିବା ତଦନ୍ତକାରୀ ଅଫିସର ସଞ୍ଜୀବ କୁମାର ପଟ୍ଟନାୟକଙ୍କଠାରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର