ଗୋଆରୁ ଆସିଛି ଭୂତାଣୁ : ୨ ଭାଇ ମୃତ, ୭ ଆକ୍ରାନ୍ତ; ସ୍ୱାସ୍ଥ୍ୟ ପରୀକ୍ଷା ଦାବି କଲେ ଲୋକେ

ଭୋଗରାଇ : ଗୋଆରେ ହୋଟେଲ୍‌ ବୟ ଭାବେ କାମ କରୁଥିବା ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଭୋଗରାଇ ଅଞ୍ଚଳର ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି। କୌଣସି ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୁହିଁଙ୍କର ମୃତ୍ୟୁ ହୋଇଛି। ଅସୁସ୍ଥ ହୋଇ ପଡ଼ିଥିବା ଏହି ଅଞ୍ଚଳର ଅନ୍ୟ ୭ ଜଣ ଘରକୁ ଫେରି ଆସୁଥିବା ଜଣାପଡ଼ିଛି। ଏକ ଶୋକାକୁଳ ପରିବେଶ ଭିତରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। କାଳେ ସେମାନେ କୌଣସି ଭୂତାଣୁଜନିତ ରୋଗରେ ଆକ୍ରାନ୍ତ ହୋଇଥିବେ, ସେଥିପାଇଁ ସମସ୍ତ ଅସୁସ୍ଥଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ପ୍ରଶାସନ ନିକଟରେ ଦାବି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଭୋଗରାଇ ଅଞ୍ଚଳର କିଛି ଯୁବକ ଗୋଆର ଏକ ହୋଟେଲ୍‌ରେ କାମ କରୁଥିଲେ। ଗତ ୪ ଦିନ ତଳେ ଭୋଗରାଇ ଥାନା ଅନ୍ତର୍ଗତ ନିମାତପୁରର ଅମୂଲ୍ୟ ଜେନାଙ୍କ ପୁଅ ଉତ୍ତମ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ। ତାଙ୍କୁ ଜ୍ୱର ହେବା ସହ ପେଟ ଯନ୍ତ୍ରଣା ହୋଇଥିଲା। ଔଷଧ ଖାଇଥିଲେ ବି କିଛି ଫଳ ମିଳିନଥିଲା। ତେବେ ତାଙ୍କୁ ଡାକ୍ତରଖାନା ନିଆଯାଉଥିବା ବେଳେ ବାଟରେ ମୃତ୍ୟୁ ଘଟିଥିଲା। ହୋଟେଲ୍‌ ମାଲିକ ମୃତଶରୀରକୁ ବିମାନ ଯୋଗେ କଲିକତା ପଠାଇଥିଲେ। ଆଜି ବିମାନବନ୍ଦରରୁ ପରିବାର ଲୋକ ଉତ୍ତମଙ୍କ ମରଶରୀରକୁ ଆଣିବା ସହ ଶେଷକୃତ୍ୟ ସଂପନ୍ନ କରିଥିଲେ। ଏଇ ସମୟରେ ତାଙ୍କ ବଡ଼ଭାଇ ବରେନ୍ଦ୍ରଙ୍କ ଦେହରେ ବି ସମାନ ଲକ୍ଷଣ ପ୍ରକାଶ ପାଇଥିଲା। ଜ୍ୱର ଓ ପେଟବ୍ୟଥା ହୋଇ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିବା ଖବର ଆସିଥିଲା। ଅନ୍ୟ ୭ ଜଣ ବି ଅନୁରୂପ ଭାବେ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ତେବେ, ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କୌଣସି ଭୂତାଣୁ ଜନିତ ରୋଗରେ ଶିକାର ହୋଇ ଦୁଇଭାଇ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଅସୁସ୍ଥ ହୋଇଥିବା ଆଲୋଚନା ହେଉଛି। ସ୍ଥାନୀୟ ଲୋକମାନେ ଫେରନ୍ତା ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର