ଜେଇଇ ଆଡଭାନ୍ସଡ୍‌ରେ ଚମକିଲେ ଦୁଇ ଭାଇ

୧୧ତମ ସ୍ଥାନରେ ଦିବ୍ୟାଂଶୁ, ୨୨୬ତମ ସ୍ଥାନରେ ଦୀପ୍ତାଂଶୁ

ଭୁବନେଶ୍ବର : ସ୍କୁଲରେ ପଢ଼ିବା ସମୟରୁ ଲକ୍ଷ୍ୟ ଥିଲା ଇଞ୍ଜିନିୟର ହେବେ। ଆଇଆଇଟିରେ ଉଚ୍ଚଶିକ୍ଷା ଗ୍ରହଣ କରିବେ। ଗବେଷଣା କ୍ଷେତ୍ରରେ ମନୋନିବେଶ କରିବେ। ଯେଉଁଥିପାଇଁ ଦୁଇ ଭାଇ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରି ଦେଇଥିଲେ। ସାମାଜିକ ଗଣମାଧ୍ୟମଠାରୁ ଦୂରେଇ ରହିଥିଲେ। କ୍ଲାସରୁମ୍‌ ଶିକ୍ଷା ସାଙ୍ଗକୁ ଘରେ ରହି ପାଠପଢ଼ାରେ ମନୋନିବେଶ କରିଥିଲେ। ଦିନ ରାତି ପାଠପଢ଼ାରେ ମଜ୍ଜି ରହିଥିଲେ। ପରିଣାମ ସ୍ବରୂପ ଉଭୟ ଏବେ ଜେଇଇ ଆଡଭାନ୍ସଡ୍‌ରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଛନ୍ତି। ଜଣେ ଓଡ଼ିଶା ଟପର୍‌ ହୋଇଛନ୍ତି। ଅନ୍ୟ ଜଣେ ଦେଶର ୨୫୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜକୁ ସାମିଲ କରିପାରିଛନ୍ତି।

ଏହି ଦୁଇ ଭାଇ ହେଲେ ଜେଇଇ ଆଡଭାନ୍ସଡ୍‌ରେ ଓଡ଼ିଶା ଟପର୍‌ ହୋଇଥିବା ଦିବ୍ୟାଂଶୁ ମାଲୁ ଓ ଦେଶର ୨୫୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମଧ୍ୟରେ ରହିଥିବା ଦୀପ୍ତାଂଶୁ ମାଲୁ। ସର୍ବଭାରତୀୟସ୍ତରରେ ଦିବ୍ୟାଂଶୁ ୧୧ତମ ଓ ଦୀପ୍ତାଂଶୁ ୨୨୬ତମ ସ୍ଥାନରେ ରହି ନିଜ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଇନ୍‌ଫୋସିସ୍‌ରେ ସିନିଅର ପ୍ରିନ୍ସିପାଲ ଆର୍କିଟେକଚର ଥିବା‌ ଚନ୍ଦନ ମାଲୁ ଓ ଗୃହିଣୀ ସ୍ବାତୀ ମାଲୁଙ୍କ ପୁତ୍ର ଦ୍ବୟଙ୍କ ସଫଳତା ନେଇ ଆଜି ସାରା ଓଡ଼ିଶାରୁ ଶୁଭେଚ୍ଛାର ସୁଅ ଛୁଟିଥିଲା। କିଏ ଫୁଲତୋଡ଼ା ଧରି ଭୁବନେଶ୍ବରସ୍ଥିତ ବାସଭବନରେ ପହଞ୍ଚିଥିଲେ ତ ଆଉ କିଏ ମିଠା ଖୁଆଇ ଖୁସି ମନାଇଥିଲେ। ଏଭଳି ସଫଳତା ମିଳିବା ପରେ ପରିବାର ସହ ମିଶି ଉଭୟ ଭାଇ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଭବିଷ୍ୟତରେ ଆଇଆଇଟି ବମ୍ବେରେ ପଢ଼ିବାକୁ ଉଭୟ ଲକ୍ଷ୍ୟ ଥିବା ‘ସମ୍ବାଦ’ ସହ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି।

ଦିବ୍ୟାଂଶୁ ଓ ଦୀପ୍ତାଂଶୁ କହିଛନ୍ତି ଯେ କଠିନ ପରିଶ୍ରମ ଯୋଗୁଁ ଆଜି ଏଭଳି ସଫଳତା ମିଳିଛି। ୮ମ ଶ୍ରେଣୀରେ ପଢ଼ିବା ଦିନରୁ ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଥିଲୁ। ଯେଉଁଥିପାଇଁ ଦୈନିକ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରୁଥିଲୁ। ସମୟର ସଦ୍‌ବିନିଯୋଗ କିଭଳି ହୋଇପାରିବ ସେଥିପାଇଁ ପାଠପଢ଼ାର ରୁଟିନ୍‌ ପ୍ରସ୍ତୁତ କରୁଥିଲୁ। ବି‌ଶେଷକରି ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପରେ ସ୍କୁଲ ପାଠପଢ଼ା ସହ କୋଚିଂକୁ ପ୍ରାଥମିକତା ଦେଉଥିଲୁ। ଯେତେବେଳେ ବି ପଢ଼ୁଥିଲୁ ଭଲ ଭାବେ ଓ ଗୁରୁତ୍ବର ସହ ଶିକ୍ଷା ଗ୍ରହଣ କରୁଥିଲୁ। ଜେଇଇ ମେନ୍‌ରେ ସଫଳତା ମିଳିବା ପରେ ଆଡଭାନ୍ସଡ୍‌ ଲାଗି ପ୍ରସ୍ତୁତି ଆରମ୍ଭ କରି ଦେଇଥିଲୁ। ଅନ୍ୟମାନଙ୍କଠାରୁ ଦୂରେଇ ରହିଥିଲୁ। ବାପା, ମା’ଙ୍କ ଆଶୀର୍ବାଦ ପାଇଁ ଆଜି ଏଭଳି ସଫଳତା ମିଳିଛି। କୋଭିଡ୍‌ ପରି ସମୟରେ ଜେଇଇ ଲାଗି ପ୍ରସ୍ତୁତ ହେବା ବହୁତ କଷ୍ଟକର ଥିଲା ବୋଲି ସେମାନେ ମତପ୍ରକାଶ କରିଛନ୍ତି।

ଉଭୟଙ୍କ ମା’ ‌ସ୍ବାତୀ ମାଲୁ କହିଛନ୍ତି ଯେ ପିଲାଙ୍କ ସଫଳତା ପରେ ପରିବାରରେ ଖୁସିର ମାହୋଲ ଖେଳିଯାଇଛି। ଉଭୟ ଭଲ କରିବେ ବୋଲି ଆମେ ଆଶା ରଖିଥିଲୁ। ଭଗବାନଙ୍କ ଆଶୀର୍ବାଦ ସାଙ୍ଗକୁ ସେମାନଙ୍କ କଠିନ ପରିଶ୍ରମ ଆଜି ସଫଳତା ଆଣି ଦେଇଛି। ଦିବ୍ୟାଂଶୁ ଗବେଷଣା ସହ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ କ୍ୟାରିଅର କରିବାକୁ ଲକ୍ଷ୍ୟ ରଖିଛି। ଆମେ ଯେତେବେଳେ ବି ଯାହା ପରାମର୍ଶ ଦେଉଥିଲୁ ସେମାନେ ତାହାକୁ ଗ୍ରହଣ କରୁଥିଲେ।

ସମ୍ବନ୍ଧିତ ଖବର