ମହୁମାଛି ଆକ୍ରମଣରେ ଦୁଇ ଭାଇ ମୃତ, ପରିବାର ବେସାହାରା

କଲମପୁର/କେସିଙ୍ଗ : ମହୁମାଛି ଆକ୍ରମଣରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପଣ୍ଡିଗାଁ ପଞ୍ଚୟତ ପୁଟେସ ଗାଁରେ ଦୁଇ ଭାଇ ଲକ୍ଷ୍ମଣ ମାଝୀ ଓ ଲତ୍‌କୁ ମାଝୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଉଭୟଙ୍କ ପରିବାର ବେସାହାରା ହୋଇ ପଡ଼ିଛନ୍ତି। ଏହି ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପୁଟେସ ଗାଁର ଦୁଇ ଭାଇ ଲକ୍ଷ୍ମଣ ଓ ଲତକୁ ରବିବାର ଛେଳି ଚରାଇବାକୁ କ୍ଷେତକୁ ଯାଇଥିଲେ। ଏହି ସମୟରେ ହଠାତ୍‌ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ବଡ଼ ଭାଇ ଲକ୍ଷ୍ମଣଙ୍କ ମୃତ୍ୟୁ ହୋଇଥିବା ବେଳେ ସାନ ଭାଇ ଲତକୁଙ୍କୁ ଗୁରୁତର ଅବସ୍ଥାରେ କଲମପୁର ମେଡିକାଲକୁ ନିଆଯାଇଥିଲା। ହେଲେ ସେ ମଧ୍ୟ ରାତି ୨ଟାରେ ଆଖି ବୁଜି ଦେଇଥିଲେ। ଦୁଇ ଭାଇଙ୍କ ମୃତ୍ୟୁ ପରେ ଏମାନଙ୍କ ପରିବାର ବେସାହାରା ହୋଇପଡ଼ିଛଛନ୍ତି।

ବନ ବିଭାଗ ଗାଇଡ଼ଲାଇନରେ ମହୁମାଛି ଆକ୍ରମଣର ଶିକାର ହୋଇଥିବା ଲୋକମାନଙ୍କୁ ସାହାଯ୍ୟ ସୁବିଧାର ବ୍ୟବସ୍ଥା ନଥିବାରୁ ଦୁଇ ଭାଇଙ୍କ ଶବ ବ୍ୟବଚ୍ଛେଦ ହୋଇପାରି ନଥିଲା। ଏମାନେ ଅତ୍ୟନ୍ତ ଗରିବ ଥିବାରୁ ସରପଂଚ ବନଜବାସିନୀ ମହାପାତ୍ର ହଜାରେ ଟଙ୍କା ଦେଇଥିବା ବେଳେ ସେହି ଗାଁ ଓ ପାଖ ଗାଁର ଯୁବକମାନେ ମିଳିତ ଭାବେ ଦୁଇ ଭାଇଙ୍କର ଶବ ସତ୍କାର କରିଥିଲେ। ଘଟଣା ପରେ ଜିଲ୍ଲାପାଳ ସ୍ଥାନୀୟ ତହସିଲଦାର ଓ ବିଡିଓଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେବା ସହ ଗରିବଙ୍କ ପାଇଁ ଆସୁଥିବା ସହାୟତା ତୁରନ୍ତ ଯୋଗାଇବାକୁ କହିଛନ୍ତି।

ପ୍ରକାଶଯୋଗ୍ୟ ଯେ କିଛିଦିନ ତଳେ ଥୁଆମୂଳ ରାମପୁର ବ୍ଲକରେ ମହୁମାଛି ଆକ୍ରମଣରେ ଏମିତି ଆଈ ନାତିଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କୁ ମଧ୍ୟ କିଛି ସରକାରୀ ସାହାଯ୍ୟ ମିଳି ନଥିଲା। ବନବିଭାଗ ଗାଇଡ଼ଲାଇନରେ ପରିବର୍ତ୍ତନ କରୁ ନଥିବାରୁ ଏହିପରି ଅଭାବନୀୟ ଘଟଣା ଘଟୁଥିଲେ ମଧ୍ୟ ମୃତକଙ୍କ ପରିବାରକୁ କ୍ଷତିପୂରଣ ମିଳି ପାରୁ ନାହିଁ।

କଳାହାଣ୍ଡି ଜିଲ୍ଲାରେ ଯେଉଁଭଳି ଭାବେ ଦୁଇଟି ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଲାଣି ଏବଂ ଯେଉଁମାନଙ୍କର ମୃତ୍ୟୁ ଘଟିଛି ସେମାନେ ଅତ୍ୟନ୍ତ ଗରିବ। ମାତ୍ର କ୍ଷତିପୂରଣ ବ୍ୟବସ୍ଥା ନଥିବାରୁ ଏମାନେ କ୍ଷତିପୂରଣ ପାଉ ନାହାନ୍ତି। ଏଣୁ ଗାଇଡ଼ଲାଇନରେ ପରିବର୍ତ୍ତନର ଆବଶ୍ୟକତା ଅଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି। ସେହିପରି ଏହି ପରିବାର ପାଇଁ ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ନେଉ ବୋଲି ଅଂଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର