୨ଶହ ଟଙ୍କା ପାଇଁ ଦୁଇଭାଇଙ୍କ ଜୀବନ ଗଲା : ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇ ମୃତ

ଲୋକଙ୍କ ମାଡ଼ରେ ଗୁରୁତର ଅଭିଯୁକ୍ତଙ୍କ ଡାକ୍ତରଖାନାରେ ମୃତ୍ୟୁ, ପୂର୍ବରୁ କକାକୁ ହତ୍ୟା କରିଥିଲା ଅଭିଯୁକ୍ତ

କାଳିଆପାଣି : ମାତ୍ର ୨ଶହ ଟଙ୍କା ପାଇଁ ଯାଇଛି ୨ଭାଇଙ୍କ ଜୀବନ। ଯାଜପୁର ଜିଲ୍ଲା କାଳିଆପାଣି ଥାନା ରାଁସୋଳ ପଞ୍ଚାୟତ ୧୦ ନଂ ୱାର୍ଡ ଅନ୍ତର୍ଗତ ମହ୍ଲାରସାହି ମାଙ୍କେଡ଼ିଆ ବସ୍ତିରେ ଘଟିଛି ଏଭଳି ହତ୍ୟାକାଣ୍ଡ।। ସାନଭାଇ ଟାଙ୍ଗିଆ ଚୋଟରେ ବଡ଼ଭାଇର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଲୋକଙ୍କ ମାଡ଼ରେ ଗୁରୁତର ଆହତ ସାନଭାଇର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ମୃତକ ୨ଜଣଙ୍କ ହେଲେ ସ୍ବର୍ଗତ ଗୁନୁରୁ ମାଙ୍କେଡ଼ିଆଙ୍କ ପୁଅ ନଣ୍ଡା(୫୦)ଏବଂ ରସିକ ଓରଫ୍‌ ରସି(୪୬)।

ଆଜି ମଜୁରି ଟଙ୍କା ଭାଗବଣ୍ଟାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଖବରପାଇ ଥାନା ଅଧିକାରୀ ରମାକାନ୍ତ ମୁଦୁଲି ସଦଳବଳ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥି‌ଲେ। ସେତେବେଳେ ନଣ୍ଡା ମାଙ୍କେଡ଼ିଆ ଭୂଇଁରେ ଲୋଟି ଛଟପଟ ହେଉଥିଲେ। ନିଶାସକ୍ତ ଅବସ୍ଥାରେ ଥିବା ସାନଭାଇ ରସିକଙ୍କୁ ଲୋକେ କାବୁ କରି ମାଡ଼ ମାରିବାରୁ ସେ ଲହୁ ଲୁହାଣ ହୋଇଥିଲେ। ଗୁରୁତର ନଣ୍ଡା ଓ ରସିଙ୍କୁ ଆମ୍ବୁଲାନ୍ସରେ ୨୫ କିଲୋମିଟର ଦୂର ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇବା ବେଳକୁ ଦେଢ଼ଘଣ୍ଟା ବିତିଯାଇଥିଲା। ‌ଡାକ୍ତର ସେଠାରେ ପ୍ରଥମେ ନଣ୍ଡାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ରସିକଙ୍କ ମୃତ୍ୟୁ ଘଟିଥିଲା। ପୁଲିସ କେସ ନମ୍ବର ୮୦/୨୦୨୦ରେ ମାମଲା ରୁଜୁ କରିଛି।

ଘଟଣାରୁ ପ୍ରକାଶ ଯେ, ନଣ୍ଡା ଓ ରସିକ ଦୁହେଁ ୨ ସପ୍ତାହ ଧରି କାଳିଆପାଣିରେ ବୁଦା ସଫା କାମରେ ନିୟୋଜିତ ଥିଲେ। ଗତ ଶନିବାର ଠିକାଦାର ପକ୍ଷରୁ ଦୁଇଭାଇଙ୍କୁ ମଜୁରି ପ୍ରଦାନ କରାଯାଇଥିଲା। ଖୁଚୁରା ନଥିବାରୁ ବଡ଼ଭାଇ ପାଇବାକୁ ଥିବା ଅବଶିଷ୍ଟ ୨ଶହ ଟଙ୍କା ପ୍ରାପ୍ୟକୁ ସାନଭାଇ ରସିକୁ ଦେଇଥିଲେ। ୫ଶହ ଟଙ୍କିଆ ଭଙ୍ଗାଇ ବଡ଼ଭାଇକୁ ତାଙ୍କା ପ୍ରାପ୍ୟ ଦେବାକୁ ରସିକଙ୍କଚ କୁହାଯାଇଥିଲେ ମଧ୍ୟ ସେ ଦେଇନଥିଲେ। ଆଜି ଦୁଇଭାଇ କାମରୁ ଫେରି ଖାଇବାକୁ ଆସିଥିଲେ। ରସିକ କିନ୍ତୁ ଅଧାବାଟରୁ ମଦ ପିଇ ଘର ଫେରିଥିଲା। ଏହି ସମୟରେ ନଣ୍ଡା ଟଙ୍କା ମାଗିଥିଲେ। ରସିକ ହାତରେ ୨ଶହ ଟଙ୍କିଆଟିଏ ଧରି ବାରମ୍ବାର ଦେଖାଉଥିଲେ ମଧ୍ୟ ଭାଇକୁ ଦେଇନଥିଲା। ଏଇଠୁ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ଓ ଗଣ୍ଡଗୋଳ ହୋଇଥିଲା। ରସିକ ହଠାତ୍‌ ଘରୁ ଏକ ଧାରୁଆ ଟାଙ୍ଗିଆ ଆଣି ନଣ୍ଡାଙ୍କ ମେରୁଦଣ୍ଡରେ ଶକ୍ତ ଚୋଟ ପକାଇଥିଲା। ନଣ୍ଡା ସେଇଠି ଟଳି ପଡ଼ିଥିଲେ। ହତ୍ୟାରେ ବ୍ୟବହୃତ ରକ୍ତଭିଜା ଟାଙ୍ଗିଆକୁ ପୁଲିସ ଜବତ କରିଥିଲା। ଘଟଣା ପରେ ସ୍ଥାନୀୟ ଲୋକେ ରସିକକୁ କାବୁ କରି ନିସ୍ତୁକ ପିଟିଥିଲେ। ଉଲ୍ଲେଖଯୋଗ୍ୟ, ଗତ ୧୫ ବର୍ଷ ପୂର୍ବେ ରସିକ ଅନୁରୂପ ଭାବେ ନିଜ କକା ଧାଚାଲ ମାଙ୍କେଡ଼ିଆଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା।

ସମ୍ବନ୍ଧିତ ଖବର