ହିଞ୍ଜିଳିକାଟୁ : ବର ବେଶ ପଡ଼ି ଦୁଇ ଭାଇ ଘୋଡ଼ାରେ ଚଢ଼ିଲେ ଆଉ ଗାଁ ଦାଣ୍ଡ ବୁଲିଲେ। ବାଜାବାଜଣା ଓ ସଂପର୍କୀୟଙ୍କ ଭିଡ଼ରେ ପରିବେଶ ଦୁଲୁକି ଉଠିଥିଲା। ଗ୍ରାମବାସୀ ଦେଖଣାହାରୀ ସାଜିଥିଲେ। ସାମାଜିକ ଦୂରତା ରକ୍ଷା ତ ଦୂରର କଥା, ବର ସମେତ କାହା ମୁହଁରେ ଖଣ୍ଡିଏ ମାସ୍କ୍ ବି ନଥିଲା। ବରଯାତ୍ରୀରେ ଅନେକ ମହିଳା ଓ ଶିଶୁ ବି ଥିଲେ। ରାତାରାତି ବାହାଘର ବି ସରିଗଲା। ଶେଷରେ ସୋସିଆଲ୍ ମିଡ଼ିଆରେ ଦୁଇ ଭାଇ ଘୋଡ଼ାରେ ବସି ଶୋଭାଯାତ୍ରାରେ ବୁଲିବା ଫଟୋ ଓ ଭିଡ଼ିଓ ଭାଇରାଲ୍ ହେବା ପରେ ପ୍ରଶାସନ ଏବଂ ପୁଲିସ ଜଳକା ପାଲଟିଯାଇଥିଲେ। ଆଉ ଭୋର୍ରେ ତରବରିଆ ଭାବେ ଗାଁରେ ଚଢ଼ଉ କରି ଦୁଇ ଭାଇ ଓ ବାପାଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଲେ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଅଧୀନ ଦୁର୍ବନ୍ଧ ପଞ୍ଚାୟତ ଗୋଦରାପଲ୍ଲୀ ଗ୍ରାମରେ କୋଭିଡ୍ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ଏଭଳି ବାହାଘର ଓ ଶୋଭାଯାତ୍ରା ଆୟୋଜନ ପ୍ରଶାସନ ଏବଂ ଜିଲ୍ଲାପାଳ କ୍ଷମତାପ୍ରାପ୍ତ ସରପଞ୍ଚଙ୍କୁ ଅକଳରେ ପକାଇଦେଇଛି।
ମିଳିଥିବା ସୂଚନାନୁସାରେ, କେ.ରାମମୂର୍ତ୍ତିଙ୍କ ଦୁଇ ପୁଅ ବସନ୍ତ ଓ ସୁଶାନ୍ତଙ୍କ ବାହାଘର ପାଇଁ ଗତକାଲି ଦିନ ଧାର୍ଯ୍ୟ ହୋଇଥିଲା। ପ୍ରଶାସନର ବାରମ୍ବାର ତାଗିଦ୍ ଓ ସଚେତନତା ସତ୍ତ୍ବେ ଆୟୋଜକ ଏଥିପାଇଁ ଅନୁମତି ମଧ୍ୟ ଲୋଡ଼ି ନଥିଲେ। ଅତିଥିଙ୍କ ଭିଡ଼ ଜମିଥିବା ବେଳେ ଦୁଇ ପୁଅ ରାତିରେ ଘୋଡ଼ାରେ ଚଢ଼ି ଆଡ଼ମ୍ବର ସହକାରେ ଗାଁ ବୁଲିଥିଲେ। ଶୋଭାଯାତ୍ରା ସରିବା ପରେ ରାତାରାତି ବିବାହ ସଂପନ୍ନ ହୋଇଥିଲା। ଆଜି ଭୋଜି ହେବାର ଥିଲା।
କିନ୍ତୁ ଘଟଣା ଜଣାପଡ଼ିବା ପରେ ସଂଗେ ସଂଗେ ବିଡିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡ଼ା ଓ ଥାନାଧିକାରୀ ଅଭିମନ୍ୟୁ ଦାଶ ସଦଳବଳେ ଚଢ଼ଉ କରି ଦୁଇ ପୁଅ ଏବଂ ବାପାଙ୍କୁ ଥାନାକୁ ଆଣିଥିଲେ। ତହସିଲଦାରଙ୍କ ଏତଲା କ୍ରମେ କେସ୍ ନମ୍ବର ୨୫୪ ଅନୁସାରେ ଏକ ମାମଲା ରୁଜୁ ହୋଇଥିଲା। ତେବେ ଏତେ ଆଡ଼ମ୍ବରରେ ବିବାହ ଆୟୋଜନ ହୋଇଥିବା ବେଳେ ପଞ୍ଚାୟତର ଅଧିକାରୀ ଓ ଜନପ୍ରତିନିଧି ମାନେ କିପରି ଜାଣିପାରିଲେନି, ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।