୧୨ ବର୍ଷ ପରେ ଶିକୁଳି ଖୋଲିଲା, ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ୍‌ ପରେ ମିଳିଲା ଚିକିତ୍ସା

କଟକ :୧୨ବର୍ଷ ହେଲା ଶିକୁଳିରେ ବନ୍ଧା ହୋଇ ପଡିଥିଲେ କଳାହାଣ୍ଡିର ଦୁଇ ଭାଇ। ବାପା, ମା’ ନଥିବା ଦୁଇ ଭାଇ ଶିକୁଳିରେ ବନ୍ଧା ହୋଇ ଏଣେ ତେଣେ ବି ବୁଲୁଥିଲେ। ଜଣେ ସ୍ବେଚ୍ଛାସେବୀ ଏସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ୍‌ କରିବା ପରେ ସ୍ବାସ୍ଥ୍ୟ ସଚିବ ତୁରନ୍ତ ସେମାନଙ୍କ ଚିକିତ୍ସା ପାଇଁ ଏସ୍‌ସିବି ଉତ୍କୃଷ୍ଟ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଗତକାଲି ବିଳମ୍ବିତ ରାତିରେ ଦୁଇଭାଇ କ୍ଷିତ ଧରୁଆ (୪୫) ଓ ଲଳିତ ଧରୁଆ(୩୮)ଙ୍କୁ ମାନସିକ ପ୍ରତିଷ୍ଠାନରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଛି। ଦୁଇ ଭାଇଙ୍କ ଗୋଡରୁ ଶିକୁଳି ଖୋଲାଯାଇଛି।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ ଖୁଣ୍ଟିଆ ପଞ୍ଚାୟତ ବାରବଖରା ଗାଁର ସ୍ବର୍ଗତ ବେଣୁଧର ଧରୁଆଙ୍କ ଦୁଇପୁଅ କ୍ଷିତ(୪୫) ଓ ଲଳିତ(୩୮)ଜନ୍ମରୁ ସୁସ୍ଥ ଥିଲେ। କିନ୍ତୁ ୧୬ବର୍ଷ ବୟସ ବେଳକୁ ସାମାନ୍ୟ ଜ୍ବର ହେବାପରଠାରୁ ସେମାନଙ୍କଠାରେ ମାନସିକ ବିକାରଗ୍ରସ୍ତ ଲକ୍ଷଣ ଦେଖା ଦେଇଥିଲା। ଲଲିତର ମଧ୍ୟ ସମାନ ଅବସ୍ଥା। ପରିବାରବର୍ଗ ଦୁଇଭାଇଙ୍କୁ ଆଖପାଖ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ। କିନ୍ତୁ କୌଣସି ସୁଫଳ ପାଇନଥିଲେ। ବାପା, ମା’ ଉଭୟଙ୍କ ମୃତ୍ୟୁ ଘଟିଥିବାବେଳେ ଏକମାତ୍ର ଉଭଣୀ ମଧ୍ୟ ବାହାହୋଇ ସାରିଛନ୍ତି। ଏଭଳି ସ୍ଥିତିରେ ଦୁଇଭାଇ ଅସହାୟ ଅବସ୍ଥାରେ ବୁଲୁଥିଲେ। ଏ ସଂପର୍କରେ ସ୍ବେଚ୍ଛାସେବୀ ଦିବସ କୁମାର ସାହୁ ଟ୍ବିଟ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପରେ ସ୍ବାସ୍ଥ୍ୟ ସଚିବ ଏସ୍‌ସିବି ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ସାରଦା ପ୍ରସନ୍ନ ସ୍ବାଇଁଙ୍କୁ ତୁରନ୍ତ ଦୁଇ ଭାଇଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଥିଲେ। କଳାହାଣ୍ଡି ଜିଲ୍ଲପ୍ରଶାସନ ଓ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ମିଳିତ ଉଦ୍ୟମରେ ୨ ଭାଇଙ୍କୁ ତାଙ୍କ ଗାଁରୁ ଉଦ୍ଧାର କରାଯାଇ ଏସ୍‌ସିବି ମାନସିକ ପ୍ରତିଷ୍ଠାନରେ ଭର୍ତ୍ତି କରାଯାଇଛି। ଏସଂପର୍କରେ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ସ୍ବାଇଁ କହିଛନ୍ତି ଯେ ଉଭୟଙ୍କର ଚିକିତ୍ସା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସେମାନଙ୍କର ଗୋଡରୁ ଶିକୁଳି ଖୋଲି ଦିଆଯାଇଛି। ଆଗକୁ ଆବଶ୍ୟକତା ଅନୁଯାୟୀ ସେମାନଙ୍କର ଚିକିତ୍ସା କରାଯିବ।

ସମ୍ବନ୍ଧିତ ଖବର