ସାଙ୍ଗ ହୋଇ ଶୋଇଥିଲେ, ସାଙ୍ଗ ହୋଇ ଚାଲିଗଲେ; ସର୍ପାଘାତରେ ଦୁଇ ଭାଇଙ୍କ ମୃତ୍ୟୁ

ଦଶପଲ୍ଲା : ଦୁଇଭାଇ ସବୁଦିନ ଏକାଠି ଖେଳାବୁଲା କରିବା ସହ ଏକାଠି ଶୋଉଥିଲେ। ଶେଷରେ ଏକାଠି ଆଖି ବୁଜିବା ପରେ ଗାଁ ଶ୍ମଶାନରେ ଏକାଠି ଜଳିଛି ଜୁଇ। ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଯାଇଛି ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ତଥା ଦଶପଲ୍ଲା ବ୍ଲକ୍‌ର କଳସାଖମଣ ପଞ୍ଚାୟତର କାଣିପଦର ଗ୍ରାମରେ। ସର୍ପାଘାତରେ ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ସାରା ଅଞ୍ଚଳ ସ୍ତବ୍ଧ ହୋଇ ଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ବାନାମ୍ବର ଜାନୀଙ୍କ ପୁଅ ଜିତୁ ଜାନୀ (୨୦) ଏବଂ ବିନୋଦ ଜାନୀଙ୍କ ପୁଅ ସିଦ୍ଧାନ୍ତ ଜାନୀ (୧୯) ଉଭୟ ଦାଦା ଓ ବଡ଼ ବାପାଙ୍କ ପୁଅ ଓ ଦୁଇ ଭାଇ। ପିଲାଟି ଦିନରୁ ଏକାଠି ପାଠ ପଢ଼ିବା ସହ ଖେଳାବୁଲା କରିଥାନ୍ତି। ଏପରିକି ଅଧିକାଂଶ ସମୟ ରାତିରେ ଖାଇପିଇ ସାରି ଏକାଠି ଶୋଇଯାଆନ୍ତି। ସବୁଦିନ ଭଲି ଶୁକ୍ରବାର ରାତିରେ ଉଭୟ ଖାଇପିଇ ସାରି ବିନୋଦଙ୍କ ଘରେ ଶୋଇ ଯାଇଥିଲେ। ପାଖରେ ମଧ୍ୟ ଘରର କିଛି ସଦସ୍ୟ ଶୋଇଥିଲେ। ମାତ୍ର ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ସେମାନଙ୍କୁ କ’ଣ କାମୁଡ଼ି ଦେଇଥିବା କହିଥିଲେ। ହେଲେ ଖୋଜାଖୋଜି କରିବା ସମୟରେ କାହାରିକୁ ଦେଖିବାକୁ ପାଇନଥିଲେ। ସଙ୍ଗେସଙ୍ଗେ ପରିବାର ଲୋକ ଝଡ଼ାଫୁଙ୍କା କରିବା ସହ କନ୍ଧମାଳ ଜିଲ୍ଲା ବ୍ରାହ୍ମଣପାଦ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ବେଳକୁ ଉଭୟଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ଫୁଲବାଣୀସ୍ଥିତ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଚିକିତ୍ସା ଚାଲିଥିବା ବେଳେ ଶନିବାର ପୂର୍ବାହ୍ଣ ପ୍ରାୟ ୮ଟାରେ ଉଭୟ ଆଖି ବୁଜିଥିଲେ। ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଥିଲା। ଖବର ପାଇ ଫୁଲବାଣୀ ପୁଲିସ ଶବ ଜବତ କରିବା ସହ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଛି। ଅପରାହ୍ଣରେ ଗାଁରେ ମୃତଦେହ ପହଞ୍ଚିବା ପରେ ଗାଁ ଶ୍ମଶାନରେ ଶୋାକାକୁଳ ପରିବେଶ ମଧ୍ୟରେ ଉଭୟଙ୍କ ଶବ ସତ୍କାର କରାଯାଇଛି।

ସମ୍ବନ୍ଧିତ ଖବର