ବିସ୍ଫୋରଣରେ ୨ ଯବାନ ସହିଦ

ଗୁଳି ବିନିମୟରେ ବହୁ ନକ୍ସଲ ମୃତାହତ ଆଶଙ୍କା

ମାଲକାନଗିରି : ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ଗତକାଲି ରାତିରେ ବୋମା ବିସ୍ଫୋରଣ ଘଟି ୨ ଯବାନ ସହିଦ୍‌ ହୋଇଛନ୍ତି। ସେହିପରି ପାଲଟା ଆକ୍ରମଣରେ ୪ରୁ ୫ଜଣ ନକ୍ସଲ ନିହତ ହୋଇଥିବା ଅନୁମାନ କରାଯାଉଛି।

ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ୧୩୪ ବିଏସଏଫ ବାଟାଲିୟନ ଯବାନ ଏବଂ ଡିଭିଏଫ ଟିମ୍‌ ସମେତ ଜିଲ୍ଲା ପୁଲିସ କମ୍ବିଂ ଅପରେସନରେ ବାହାରିଥିଲେ। ରାଓଘାଟ ଥାନା ଅନ୍ତର୍ଗତ କିଲେନାର ଏବଂ କୋନକୋଡି ଗ୍ରାମ ମଧ୍ୟ ଭାଗ ଜଂଗଲରେ ପୂର୍ବରୁ ନକ୍ସଲ ଆମ୍ବୁସ ଲଗାଇ ବସିଥିଲେ। ଯବାନ ପହଞ୍ଚିବା କ୍ଷଣି ଗୋଟିଏ କଲଭର୍ଟକୁ ବୋମା ଲଗାଇ ବିସ୍ଫୋରଣ କରିଥିଲେ। ଯାହାଫଳରେ କଲଭର୍ଟ ନିକଟରେ ରହିଥିବା ବିଏସଏଫର ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଗଂଜେନ୍ଦ୍ର ସିଂ ଏବଂ କନେଷ୍ଟବଳ ଅମରେଶ କୁମାରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ବିସ୍ଫୋରଣ ପରେ ଯବାନମାନେ ପାଲଟା ଆକ୍ରମଣ କରିଥିଲେ। ପ୍ରାୟ ଏକ ଘଣ୍ଟା ଧରି ଗୁଳି ବିନିମୟ ଘଟିଥିଲା। ଶେଷରେ ନକ୍ସଲ ଜଂଗଲରେ ଖସିଯିବାରେ ସଫଳ ହୋଇଥିଲେ।

ଯବାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ବହୁ ସ୍ଥାନରେ ରକ୍ତ ଛିଟା ପଡିଥିବା ଦେଖିବାକୁ ପାଇଥିଲେ। ତେଣୁ ୪ରୁ ୫ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଏନେଇ କାଂକେର ଡିଆଇଜି ରତନଲାଲ ଡଙ୍ଗି ସ୍ୱୀକାର କରିବା ସହ ଦୁଇ ଯବାନ ସହିଦ ହୋଇଥିବା କହିଛନ୍ତି। ଡିଆଇଜିଙ୍କ କହିବା ଅନୁଯାୟୀ ଘଟଣାସ୍ଥଳରେ ମୃତ ନକ୍ସଲଙ୍କୁ ଘୋଷାଡି ଘୋଷାଡି ନେବାର ଚିହ୍ନ ରହିଛି। ତେଣୁ ବହୁ ନକ୍ସଲ ମଧ୍ୟ ମୃତ୍ୟୁବରଣ କରିଥିବା ସ୍ପଷ୍ଟ ହୋଇଥିଲେ ହେଁ ଶବ ମିଳିନାହିଁ।

ସମ୍ବନ୍ଧିତ ଖବର