ମାଲକାନଗିରି/ଦେବଗଡ଼ : ମାଲକାନଗିରି ସୀମାନ୍ତ ଓ ଦେବଗଡ଼ ଜିଲ୍ଲାରେ ପୁଲିସ୍ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ୨ ଜଣ ଯବାନ୍ ସହିତ ହୋଇଥିଲାବେଳେ ଦେବଗଡ଼ର ରୁକୁଡ଼ା ଜଙ୍ଗଲରେ କମ୍ବିଂ ଅପରେସନ୍ ଜୋର୍ଦାର୍ ହୋଇଥିବା ଜଣାପଡ଼ିଛି। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ପୁଖଞ୍ଜର ଅଂଚଳରେ ଏହି ଘଟଣା ଘଟିଛି। ଆଜି ସକାଳେ କମ୍ବିଂ ସାରିବା ପରେ ଯବାନ କ୍ୟାମ୍ପକୁ ଫେରୁଥିଲେ। ତେବେ ଜଂଗଲରେ ପୂର୍ବରୁ ନକ୍ସଲ ଆମ୍ବୁସ ଲଗାଇ ବସିଥିଲେ। ଯବାନ ନିଜକୁ ପ୍ରସ୍ତୁତ କରିବା ପୂର୍ବରୁ ସେମାନେ ଅତର୍କିତ ଗୁଳି ବର୍ଷଣ କରିଥିଲେ। ଯାହାଫଳରେ ଯବାନ ନିଜକୁ ସୁରକ୍ଷା ଦେଇପାରିନଥିଲେ। ଦୁଇ ଜଣ ଯବାନ ଘଟଣା ସ୍ଥଳରେ ହିଁ ସହିଦ ହୋଇଯାଇଥିଲେ।
ସେହିଭଳି,ଦେବଗଡ଼ ଜିଲ୍ଲାର ଲଇମୁରା ଫାଣ୍ଡି ଅନ୍ତର୍ଗତ ରୁକୁଡ଼ା ଗାଁ ନିକଟ ଜଙ୍ଗଲରେ ମାଓ କ୍ୟାମ୍ପ୍ ଚାଲିଥିବା କୌଣସି ସୂତ୍ରରୁ ଖବର ପାଇ ପୁଲିସ୍ ସହ ଏସଓଜି ଓ ଡିଭିଏଫ ମିଳିତ ଚଢ଼ଉ କରିଥିଲେ। ଫଳରେ ଜଙ୍ଗଲରେ ପୁଲିସ୍ ଓ ମାଓବାଦୀ ମୁହାଁମୁହିଁ ହେବା ସହ ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି। ସେଥିରେ କେତେକ ମୃତାହତ ହୋଇଛନ୍ତି ସେ ସଂପର୍କରେ କୌଣସି ସୂଚନା ମିଳି ନାହିଁ। ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ସ୍ଥାନ ଛାଡ଼ି ଫେରାର୍ ମାରିଥିବା ଜଣାପଡ଼ିଛି। ଉକ୍ତ ସ୍ଥାନରୁ ସୋଲାର ଲାଇଟ୍ ସହ କାର୍ବାଇନ ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ବର୍ତ୍ତମାନ ପୁଲିସ ପକ୍ଷରୁ ଉକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ଏ ସଂପର୍କରେ ଦେବଗଡ଼ ଏସ୍ପି ଅନୁପମା ଜେମ୍ସଙ୍କୁ ପଚାରିବାରେ ଉକ୍ତ ସ୍ଥାନରେ କୁମ୍ବିଂ ଅପରେସନ ଜାରି ରହିଛି, ସରିଲା ପରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି।
୨ ଜଣଙ୍କୁ ହତ୍ୟା କଲେ ନକ୍ସଲ
ମାଲକାନଗିରି : ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ନକ୍ସଲ ପୁଣି ହିଂସାକାଣ୍ଡ ଘଟାଇଛନ୍ତି। ସରପଞ୍ଚକୁ ଟାର୍ଗେଟ କରି ନିର୍ମମ ଭାବେ ହତ୍ୟା କରିଛନ୍ତି।
ସୂଚନା ଅନୁଯାୟୀ, ଇନ୍ଦ୍ରାବତୀ ନଦୀ କୂଳରେ ରହିଥିବା ପାହୁରନାର ଗ୍ରାମରେ ଗତକାଲି ପ୍ରାୟ ୧୫ରୁ ୨୦ ନକ୍ସଲ ପହଞ୍ଚି ପାଟିତୁଣ୍ଡ କରିଥିଲେ। ତେଣୁ ଲୋକେ ଘର ବାହାରକୁ ଚାଲି ଆସିଥିଲେ। ଏହାପରେ ଗାଁରେ ବୈଠକ ହୋଇଥିବା ବେଳେ ଇନ୍ଦ୍ରାବତୀ ନଦୀରେ ପୋଲ ନିର୍ମାଣକୁ ସରପଞ୍ଚ ସମର୍ଥନ କରୁଥିବା ନେଇ ଅଭିଯୋଗ ହୋଇଥିଲା। ତେଣୁ ସରପଞ୍ଚ ଓ ତାଙ୍କ ପୁଅଙ୍କ ସହ ଗ୍ରାମର କିଛି ଜଣଙ୍କୁ ନକ୍ସଲ ମାଡ଼ ମାରିଥିଲେ। ନିର୍ଦ୍ଧୁମ ମାଡ ମାରିବା ପରେ ସରପଞ୍ଚ କୋସିରାମଙ୍କୁ ଗ୍ରାମବାସୀଙ୍କ ସାମ୍ନାରେ ହିଁ ଗୁଳି କରି ହତ୍ୟା କରିଥିଲେ। ଇନ୍ଦ୍ରାବତୀ ନଦୀରେ ବ୍ରିଜ ନିର୍ମାଣ ପାଇଁ କେହି ମଧ୍ୟ ଦାବି କଲେ ସମସ୍ତଙ୍କୁ ଏଭଳି ଦଣ୍ଡ ମିଳିବ ବୋଲି ନକ୍ସଲ ଚେତାବନୀ ଦେଇଥିଲେ। ସେହିଭଳି, ପୁଲିସ୍ ଇନ୍ଫର୍ମର ସନ୍ଦେହରେ ବେଠିଆ ଥାନା ଅନ୍ତର୍ଗତ ରେଙ୍ଗାବାହୀ ଗ୍ରାମର ମିଲନ ହାଲଦାରକୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡ଼ିଛି।