ରାଉରକେଲା : ରାଉରକେଲାରୁ ପୁଣି ଏକ ଜିଏସ୍ଟି ମହାଠକେଇ ଉପରୁ ପର୍ଦ୍ଦା ଉନ୍ମୋଚିତ ହୋଇଛି। କୋଟି କୋଟି ଟଙ୍କାର ଜିଏସ୍ଟି ଠକିଥିବା ଅଭିଯୋଗରେ ପୂର୍ବରୁ ରାଉରକେଲାର ୭ ଜଣ ବ୍ୟବସାୟୀ ଗିରଫ ହୋଇସାରିଥିବାବେଳେ ଆଜି ପୁଣି ଦୁଇ ଜଣ ବ୍ୟବସାୟୀ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ସିଭିଲ୍ଟାଉନସିପ୍ ସ୍ଥିତ ଜି.ଏସ. ୟୁନିଟ୍ରେଡ୍ର ଅମିତ ବେରିୱାଲ ଓ ବାସନ୍ତୀକଲୋନି ସ୍ଥିତ ବି.ବି. ଆସୋସିଏଟ୍ର ସୁବାସ ଚନ୍ଦ୍ର ସ୍ବାଇଁ। ଏହି ଦୁଇ ଅଭିଯୁକ୍ତ ଜାଲ୍ ବିଲ୍ ବ୍ୟବହାର କରି ୧୨୩ କୋଟି ଟଙ୍କାର ଜିଏସ୍ଟି ଠକେଇ ଅଭିଯୋଗରେ ରାଜ୍ୟ ସରକାରଙ୍କ ଜିଏସ୍ଟି ଏନ୍ଫୋର୍ସମେଣ୍ଟ୍ ବିଭାଗ ସେମାନଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତଙ୍କୁ ଆଜି ଭୋର୍ ପ୍ରାୟ ୩ଟାରେ କଟକ ଓ ରାଉରକେଲା ଜିଏସ୍ଟି ଦଳ ଦୁଇ ଭାଗରେ ବିଭକ୍ତ ହୋଇ ଏକକାଳୀନ ଚଢ଼ଉ କରିଥିଲେ। ଉଭୟଙ୍କୁ ନିଜ ନିଜ ବାସଭବନରୁ ଭୋର୍ରୁ ଉଠାଇ ନେଇ ଉଦିତନଗର ଥାନାରେ ଅଟକ ରଖିଥିଲେ। ଦିନସାରା ପଚରାଉଚରା କରିବା ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ସ୍ଥାନୀୟ ଏସ୍ଡିଜେଏମ୍ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ଖାରଜ ହେବାରୁ ସେମାନଙ୍କୁ ସ୍ଥାନୀୟ ସ୍ବତନ୍ତ୍ର କାରାଗାରକୁ ପଠାଇ ଦିଆଯାଇଛି।
ଅଭିଯୁକ୍ତ ଅମିତ ବେରିୱାଲଙ୍କର ସିଭିଲ ଟାଉନସିପ୍ରେ ଜି.ଏସ. ୟୁନି ଟ୍ରେଡ୍ ଓ ସୁବାସ ଚନ୍ଦ୍ର ସ୍ବାଇଁଙ୍କ ବାସନ୍ତୀ କଲୋନିରେ ବି.ବି. ଆସୋସିଏଟ୍ ନାମରେ ନିଜର ବ୍ୟକ୍ତିଗତ ବ୍ୟାବସାୟିକ ପ୍ରତିଷ୍ଠାନ ରହିଛି। ଏହା ବାଦ୍ ଏମାନେ ୨୮ଟି ଜାଲ୍ ବ୍ୟାବସାୟିକ ପ୍ରତିଷ୍ଠାନ ତିଆରି କରିଥିଲେ। ନିଜର ବ୍ୟକ୍ତିଗତ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଜାଲ୍ ବ୍ୟାବସାୟିକ ପ୍ରତିଷ୍ଠାନ ମାଧ୍ୟମରେ ଜାଲ୍ ବିଲ୍ ଜରିଆରେ ୪୯୩ କୋଟି ଟଙ୍କାର ଜିନିଷ କିଣିଥିବା ଓ ୬୮୭ କୋଟି ଟଙ୍କାର ସାମଗ୍ରୀ ବିକ୍ରି କରିଥିବା ଦର୍ଶାଇଥିଲେ। ଏଭଳି ଚଞ୍ଚକତା କରି ଉଭୟ ୧୨୩ କୋଟି ଟଙ୍କାର ଜିଏସ୍ଟି ଠକି ନେଇଥିଲେ। ଏମାନେ କିଛି ଗୃହିଣୀ, କ୍ରେନ୍ ଚାଳକ, ଦିନ ମଜୁରିଆ, ଘରୋଇ ଶିକ୍ଷକ, ବେକାର ଯୁବକଯୁବତୀଙ୍କୁ ରୋଜଗାର ଦେବା ଆଳରେ ସେମାନଙ୍କଠାରୁ ଆଧାର କାର୍ଡ, ବ୍ୟାଙ୍କ୍ ପାସବୁକ, ପାନ୍ କାର୍ଡ, ଫଟୋ ଆଦି ଆବଶ୍ୟକ କାଗଜପତ୍ର ନେଇ ଯାଇଥିଲେ। ସେହି କାଗଜପତ୍ର ମାଧ୍ୟମରେ ୨୮ଟି ଜାଲ୍ ବ୍ୟବସାୟ ପ୍ରତିଷ୍ଠାନ ତିଆରି କରି ତାଙ୍କ ନାଁରେ ଜିଏସ୍ଟି ପଞ୍ଜିକରଣ କରିଥିଲେ। ଉକ୍ତ ଜାଲ୍ ବ୍ୟାବସାୟିକ ପ୍ରତିଷ୍ଠାନ ମାଧ୍ୟମରେ କୌଣସି ଜିନିଷ କିଣାବିକା ନ କରି ଜାଲ୍ ବିଲ୍ ଜରିଆରେ ଇନ୍ପୁଟ ଟ୍ୟାକ୍ସ କ୍ରେଡିଟ୍ ରାଜ୍ୟ ଓ ବାହାର ରାଜ୍ୟର ବ୍ୟବସାୟୀମାନଙ୍କୁ ହସ୍ତାନ୍ତର କରୁଥିଲେ। ଏମିତିକି ସେମାନେ ବିଭିନ୍ନ ପଞ୍ଜୀକୃତ ବ୍ୟବସାୟୀଙ୍କଠାରୁ ବିନା ବିଲ୍ ଓ ବିନା ଟିକସ ପଇଠ କରି ସାମଗ୍ରୀ କିଣୁଥିଲେ। ଉକ୍ତ ଚୋରା ସାମଗ୍ରୀକୁ ବୈଧ ରୂପେ ବିକ୍ରି ଦର୍ଶାଇବା ପାଇଁ ସେମାନେ ସୃଷ୍ଟି କରିଥିବା ଜାଲ୍ ବ୍ୟବସାୟ ପ୍ରତିଷ୍ଠାନ ନାମରେ ଜାଲ୍ କିଣା ବିଲ୍ ପ୍ରସ୍ତୁତ କରୁଥିଲେ ଏବଂ ଉକ୍ତ ବିଲ୍ରେ ଦର୍ଶାଇଥିବା ଇନ୍ଡକ୍ଟ ଟ୍ୟାକ୍ସ କ୍ରେଡିଟ୍କୁ ବ୍ୟବହାର କରି ଟିକସ ଫାଙ୍କୁଥିଲେ। ଏହି ଦୁଇ ଅଭିଯୁକ୍ତ ଏହି ଘଟଣାର ମୁଖ୍ୟ ଥିବା ଜଣାପଡ଼ିଛି। ତେବେ ଏହି ମାମଲାରେ ଆହୁରି ଅନେକ ଅସାଧୁ ବ୍ୟବସାୟୀ ସଂଶ୍ଲିଷ୍ଟ ଥିବା ଜିଏସ୍ଟି ବିଭାଗ ପ୍ରାଥମିକ ତଦନ୍ତ ଜାଣିବାକୁ ପାଇଛି। ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି।