ଟାଟା ମୋଟର୍ସରେ ଚାକିରି ଠକେଇ, ପ୍ରଦୀପଙ୍କ ନାଁରେ ୨ ମାମଲା ରୁଜୁ

ବ୍ରହ୍ମପୁର/ଗୋଳନ୍ଥରା : ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ଘଟଣାରେ ଗିରଫ ହୋଇ ଜେଲ୍‌ରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ମାମଲା ରୁଜୁ ହେବାରେ ଲାଗିଛି। କ୍ରାଇମବ୍ରାଞ୍ଚ୍‌ ପରେ ଏବେ ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନାରେ ପ୍ରଦୀପଙ୍କ ବିରୋଧରେ ଆଉ ୨ଟି ମାମଲା ରୁଜୁ ହୋଇଛି। ରଙ୍ଗେଇଲୁଣ୍ଡା ବ୍ଲକ ଗୋଳନ୍ଥରା ଥାନା ଅନ୍ତର୍ଗତ କେଲୁଆପଲ୍ଲୀ ପଞ୍ଚାୟତ ଗୁଣପୁର ଅଞ୍ଚଳର ଲକ୍ଷ୍ମୀନାରାୟଣ ନାମକ ଜଣେ ବ୍ୟକ୍ତି ତାଙ୍କ ପୁଅକୁ ଚାକିରି କରାଇ ଦେବା ଲାଗି ୬ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ। କିନ୍ତୁ ଚାକିରି ନ ମିଳିବା ପରେ ସେ ଗୋଳନ୍ଥରା ଥାନାରେ ଏତଲା ଦେଇଛନ୍ତି। ଶ୍ରୀ ନାଏକଙ୍କ ଏତଲାକୁ ଭିତ୍ତି କରି ପୁଲିସ ବିଧାୟକ ପ୍ରଦୀପଙ୍କ ବିରୋଧରେ ଧାରା ୪୧୯/୪୨୦/୪୬୭/୪୬୮/୪୬୯/୪୭୧/୧୨୦(ବି)ରେ ୩୭୪/୨୦ରେ ଏକ ମାମଲା ରୁଜୁ କରିଛି। ଥାନା ଅଧିକାରୀ ବାବୁଲି ନାଏକ ଏହି କେସ୍‌ର ତଦନ୍ତ କରୁଥିବା ଜଣାପଡ଼ିଛି।
ସେହିପରି ଗୋଳନ୍ଥରା ଥାନା ଅନ୍ତର୍ଗତ ଚିକରଡ଼ାର ପ୍ରଶାନ୍ତ ନାମକ ବ୍ୟକ୍ତି ଟାଟାରେ ଚାକିରି କରିବା ଲାଗି ୩ଲକ୍ଷ ଟଙ୍କା ଦେଇଥିଲେ। ଚାକିରି ନ ମିଳିବାରୁ ସେ ଗୋଳନ୍ଥରା ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି। ପୁଲିସ ଧାରା ୪୨୦/୩୪ରେ ମାମଲା ନମ୍ବର ୩୮୪/୨୦ ରୁଜୁ କରିଛି। ଏସ୍‌ଆଇ ପି.କେ ସାହୁ ଏହାର ତଦନ୍ତ କରୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି, ଗୋଳନ୍ଥରା ଥାନାରେ ୨ଟି ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକଇେ ମାମଲାରେ ଗତ ସେପ୍ଟେମ୍ବର ମାସରେ କ୍ରାଇମବ୍ରାଞ୍ଚ ସାଇବର ଥାନାରେ କେସ୍‌ ନମ୍ବର ୨୬/୨୦ରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଅଭୟଙ୍କ ପୁଅ ଆକଶ ପାଠକଙ୍କୁ ଗିରଫ କରିଥିଲା। ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଗୋପାଳପୁର ନିର୍ବାଚନମଣ୍ଡଳୀ ଅଞ୍ଚଳର ୬୮ଜଣ ଯୁବକଙ୍କ ଠାରୁ ଅର୍ଥ ଠକି ନେଇଥିବା ଅଭିଯୋଗ ଆସିଥିଲା। ଆକାଶଙ୍କ ସହ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କ ବିବାହ ସ୍ଥିର ହୋଇଥିଲା। ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ସହଯୋଗରେ ଆକାଶ ଏହି ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଜନବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଧାୟକ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କାର କରା ଯାଇଥିଲା। ପରବର୍ତ୍ତୀ ସମୟରେ କ୍ରାଇମ୍‌ବ୍ରାଞ୍ଚ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା।
ସମ୍ବନ୍ଧିତ ଖବର