କଟକ : ସରକାରୀ ସ୍କୁଲ୍‌ରେ ଚୁକ୍ତିଭିତ୍ତିକ ତାଲିମ୍‌ପ୍ରାପ୍ତ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ଦାୟର ଦୁଇଟି ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ୱେଟିଂ ଲିଷ୍ଟ ଜାରି କରିବା ବା ନ କରିବା ନିଷ୍ପତ୍ତି ନିଯୁକ୍ତିଦାତାଙ୍କ ଇଚ୍ଛାଧୀନ ପ୍ରସଂଗ ବୋଲି ହାଇକୋର୍ଟ କହିବା ସହିତ ଏ ନେଇ କୌଣସି ନିର୍ଦ୍ଦେଶ ପ୍ରଦାନ କରିବାକୁ ମନା କରିଛନ୍ତି। ନିଯୁକ୍ତି ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଏଭଳି ସ୍ଥିତିରେ ଏ ସଂପର୍କିତ ଦୁଇ ରିଟ୍ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ୍‌ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବି.ଏନ୍‌. ସାହୁ ଓ ଅନ୍ୟମାନଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି।

Advertisment

ସରକାରୀ ସ୍କୁଲରେ ୧୮୨୮ ଚୁକ୍ତିଭିତ୍ତିକ ତାଲିମପ୍ରାପ୍ତ ଶିକ୍ଷକ ପଦ ପୂରଣ ପାଇଁ ୨୦୧୯ ଫେବ୍ରୁଆରି ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆବେଦନକାରୀ କମ୍ପ୍ୟୁଟର ଆଧାରିତ ଯୋଗ୍ୟତା ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ସେମାନଙ୍କୁ ସାର୍ଟିଫିକେଟ ଯାଞ୍ଚ ପାଇଁ ଡକାଯାଇଥିଲା। ଏହି ପର୍ଯ୍ୟାୟରେ ମଧ୍ୟ ଆବେଦନକାରୀ ଯୋଗ୍ୟ ବିବେଚିତ ହୋଇଥିଲେ। କିନ୍ତୁ ଚୂଡାନ୍ତ ମେଧା ତାଲିକାରୁ ଆବେଦନକାରୀଙ୍କୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ୧୮୨୮ ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୧୫୪୮ ପ୍ରାର୍ଥୀଙ୍କୁ ନେଇ ଚୂଡାନ୍ତ ମେଧା ତାଲିକା କରାଯାଇଥିଲା। ଏହି ତାଲିକାରେ ଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୧୨୩୮ଜଣ ଚାକିରିରେ ଯୋଗ ଦେଇଥିଲେ। ଅବଶିଷ୍ଟ ପଦ ଖାଲି ପଡ଼ିଥିଲା। ଖାଲି ପଡ଼ିଥିବା ଏହି ପଦବିରେ ନିଯୁକ୍ତି ପାଇଁ ଆବେଦନକାରୀ ଦାବି କରିଥିଲେ।

ଖାଲି ପଡ଼ିଥିବା ପଦବି ପାଇଁ ୱେଟିଂ ଲିଷ୍ଟ ପ୍ରକାଶ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥ‌ିଲେ। ଆବେଦନକାରୀ କମ୍ପ୍ୟୁଟର୍‌ ପରୀକ୍ଷା ଓ ଅନ୍ୟ ସବୁ ମାନଦଣ୍ଡ ପୂରଣ କରୁଥିବା ବେଳେ ତାଙ୍କୁ ଆଇନ ଅନୁସାରେ ଖାଲି ପଡ଼ିଥିବା ପଦବିରେ ନିଯୁକ୍ତି ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ନିଯୁକ୍ତି ବିଜ୍ଞପ୍ତିରେ ୱେଟିଂ ଲିଷ୍ଟ ପ୍ରସ୍ତୁତ ନେଇ କୌଣସି ନିୟମ ଉଲ୍ଲେଖ ନଥିଲା ବୋଲି ସରକାରଙ୍କ ତରଫରୁ ଜବାବରେ ସ୍ପଷ୍ଟ କରାଯାଇଥିଲା। ଖାଲି ପଡ଼ିଥିବା ପଦବିଗୁଡିକୁ ପରବର୍ତ୍ତୀ ନିଯୁକ୍ତି ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା।