ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ

ନୂଆଗାଁ/ଓଡ଼ଗାଁ: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ଓ ଓଡ଼ଗାଁ ଥାନା ଅନ୍ତର୍ଗତ ଗୁମୀ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ପୋଖରୀରେ ବୁଡ଼ି ଗାଁର ଦୁଇଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ଖବରରୁ ପ୍ରକାଶ, ଆଜି ଗୁମୀ ଗ୍ରାମର ଶ୍ରୀମନ୍ତ ସାମନ୍ତରାୟଙ୍କ ଝିଅ ମାମା (୮) ଏବଂ ଶରତ ସାହୁଙ୍କ ଝିଅ ସୁନି (୧୦) ଟ୍ୟୁସନ୍‌ ଯାଇଥିଲେ। ସକାଳ ୮ଟା ୩୦ରେ ଟ୍ୟୁସନ୍‌ରୁ ଫେରି ଦୁହେଁ ମିଶି ଗାଧୋଇବାକୁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ସେଠାରେ ଦୁହେଁ ଗାଧୋଉଥିବା ସମୟରେ ପୋଖରୀରେ ମାମା ବୁଡ଼ି ଯାଇଥିଲା। ମାମା ଚିତ୍କାର କରିବାରୁ ପାଖରେ ଥିବା ସୁନି ତାକୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ବୁଡି ଯାଇଥିଲା। ଦୁହେଁ ପୋଖରୀ ଭିତରେ ଉବୁଟୁବୁ ହେଉଥିଲେ ମଧ୍ୟ ଗାଁର କୋଣସି ବ୍ୟକ୍ତି ଜାଣି ପାରିନଥିଲେ। ନୂତନ ଭାବେ ମୋ ପୋଖରୀ ନିର୍ମାଣ ହୋଇଥିବାରୁ ସେଠାକୁ ଗ୍ରାମବାସୀଙ୍କ ଚଳପ୍ରଚଳ ପ୍ରାୟ ନଥାଏ। ପରିବାର ଲୋକେ ପିଲାଙ୍କ ଫେରିବା ବିଳମ୍ବ ହେବାରୁ ବ୍ୟତିବ୍ୟସ୍ତ ହୋଇ ଖୋଜାଖୋଜି କରିଥିଲେ। ଏହାର କିଛି ସମୟ ପରେ ସେହି ପୋଖରୀକୁ ଲାଗି ରହିଥିବା ଗାଁ ପୋଖରୀକୁ ମାମାର ଦାଦା ଗାଧୋଇବାକୁ ଯିବା ସମୟରେ ନୂଆ ପୋଖରୀରେ ଦୁଇଜଣ ପିଲା ଭାସୁଥିବା ଦେଖିବାକୁ ପାଇଥିଲେ। ସେ ଗ୍ରାମବାସୀମାନଙ୍କୁ ଖବର ଦେଇଥିଲେ। ଗ୍ରାମବାସୀଙ୍କ ସହଯୋଗରେ ଦୁଇଜଣ ଶିଶୁଙ୍କୁ ପୋଖରୀରୁ ଉଦ୍ଧାର କରାଯାଇଥିଲା। ଉଭୟଙ୍କୁ ଚିକିତ୍ସା ପାଇଁ ବାହାଡ଼ାଝୋଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ଦୁଇଜଣ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ।

ବଣ ଭୋଜି କରିବାକୁ ଆସି ପୁଅକୁ ହରାଇଲେ ଗୁଣ୍ଡିଚାଘାଘୀ ଜଳ ପ୍ରପାତରେ ବାଳକର ସଲିଳ ସମାଧି
ଘଟଗାଁ: ବଣ ଭୋଜିର ଆନନ୍ଦ ମଧ୍ୟରେ ପୁଅକୁ ସବୁଦିନ ପାଇଁ ହରାଇଲେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ନନ୍ଦ ପ୍ରଧାନ। ମଙ୍ଗଳବାର ପୂର୍ବାହ୍ନରେ ତାରିଣୀ ପୀଠ ଘଟଗାଁ ନିକଟସ୍ଥ ଗୁଣ୍ଡିଚାଘାଗୀ ଜଳପ୍ରପାତରେ ଗାଧୋଇବା ବେଳେ ଶ୍ରୀ ପ୍ରଧାନଙ୍କର ୧୨ ବର୍ଷର ପୁଅ ହିତେଶ ପ୍ରଧାନ ପାଣିରେ ବୁଡ଼ି ପ୍ରାଣ ହରାଇଛି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ନନ୍ଦ ପ୍ରଧାନଙ୍କ ପରିବାର ଓ ତାଙ୍କ ସଂପର୍କୀୟ ଆଜି ଏକ ଗାଡ଼ିରେ ମା’ତାରିଣୀଙ୍କ ଦର୍ଶନ ପାଇଁ ଘଟଗାଁ ଆସିଥିଲେ। ସକାଳେ ମା’ଙ୍କର ଦର୍ଶନ ଓ ପୂଜାର୍ଚ୍ଚନା ପରେ ସମସ୍ତେ ନିକଟସ୍ଥ ଗୁଣ୍ଡିଚାଘାଗୀ ଜଳପ୍ରପାତକୁ ବଣଭୋଜି ପାଇଁ ଯାଇଥିଲେ। ପରିବାର ଲୋକେ ସେଠାରେ ଭୋଜି କରୁଥିବା ବେଳେ ପିଲାମାନେ ଜଳ ପ୍ରପାତରେ ଗାଧୋଇବାର ମଜା ନେଉଥିଲେ। ଏତିକି ବେଳେ ଶ୍ରୀ ପ୍ରଧାନଙ୍କ ପୁଅ ହିତେଶର ଗୋଡ଼ ଖସି ଯାଇଥିଲା। ହିତେଶ ପାଣିରେ ବୁଡ଼ିଯିବା ଦେଖି ପାଖରେ ଥିବା ଦାଦାଝିଅ ଭଉଣୀ ଚିତ୍କାର କରିବାରୁ ସମସ୍ତେ ଧାଇଁ ଆସିଥିଲେ। ପାଣି ଭିତରେ ଖୋଜାଖୋଜି କରିଥିଲେ ବି ହିତେଶର କିଛି ପତ୍ତା ମିଳିନଥିଲା। ପରେ ଘଟଗାଁ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳକୁ ଆସି ବହୁ ସମୟ ଖୋଜିବା ପରେ ହିତେଶକୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର