ପ୍ରତିଶ୍ରୁତି ଦେଇ ଭୁଲି ଗଲେ : ଜୀବନ ଯନ୍ତ୍ରଣାରେ ଦୁଇ ବାଳକ

ଥୁଆପାଲି: ଭେଡେନ ବ୍ଲକ ବକଟି ପଞ୍ଚାୟତ କୁଶନପୁରୀ -ଛନାପତିଟିକ୍ରାରେ ଅଜଣା ରୋଗରେ ୩ ଜଣ ପୁଅକୁ ହରାଇ ସାରିଥିବା ମଳୟ ସିକା ଓ ଯଶୋବନ୍ତି ସିକା ଏବେ ଶଯ୍ୟାଶାୟୀ ଚତୁର୍ଥ ପୁଅ ଷଷ୍ଠୀର ଜୀବନ ବଞ୍ଚାଇବାକୁ ଲାଗି ପଡ଼ିଛନ୍ତି। କିନ୍ତୁ ଏଥିରେ ଅର୍ଥ ବାଧକ ସାଜିଛି। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇଥିଲା। ଅଧିକାରୀମାନେ ମଳୟ ଘରକୁ ଆସି ରୋଗାକ୍ରାନ୍ତ ବାଳକର ଚିକିତ୍ସା ପାଇଁ ପ୍ରଥମେ ଭେଡ଼େନ ପରେ ବରଗଡ଼ ଓ ବୁର୍ଲା ନେଇ ପରୀକ୍ଷା ନିରୀକ୍ଷା କରିଥିଲେ। ଚିକିତ୍ସା ପାଇଁ ପାଖାପାଖି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ରିପୋର୍ଟ ଆସିବା ପରେ ଷଷ୍ଠୀକୁ ସମସ୍ତେ ଘରେ ଥୋଇ ପଳାଇଥିଲେ ବୋଲି ମା’ ଅଭିଯୋଗ କରିଛନ୍ତି। କିନ୍ତୁ ୧୯ ମାସ ବିତି ଯାଇଥିଲେ ସୁଦ୍ଧା ଚିକିତ୍ସା ପାଇଁ କିଛି ସୁବିଧା କରାଯାଇନାହିଁ। ଖଟରେ ପଡ଼ି ସେ ଜୀବନ ସହ ସଂଗ୍ରାମ କରୁଛି। ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ସଂପୂର୍ଣ୍ଣ ଭୁଲି ଯାଇଛି। ମଳୟଙ୍କ ପ୍ରଥମ ପୁଅ କମଳାକାନ୍ତ ୨୦୦୦ ମସିହାରେ ଜନ୍ମ ଲାଭ କରିଥିଲା। ୫ବର୍ଷ ସବୁ ଠିକ ଥିଲା। କିନ୍ତୁ ପରେ ଚଳାବୁଲା କରି ନପାରି ମୃତ୍ୟୁବରଣ କଲା। ଦ୍ବିତୀୟ ପୁଅ ଉଦ୍ଧବ ମଧ୍ୟ ସମାନ ହିସାବରେ ଆରପାରିକୁ ଚାଲିଗଲା।

ତୃତୀୟ ପୁଅ ଭିନ୍ନକ୍ଷମ ଭାବେ ଜନ୍ମ ହୋଇ ପରେ ପ୍ରାଣ ହରାଇଲା। ଚତୁର୍ଥ ପୁଅର ବି ଅନୁରୂପ ଅବସ୍ଥା ଦେଖି ସିକା ଦମ୍ପତ୍ତି ସହାୟତା ପାଇଁ ଗୁହାରି କରିଥିଲେ। କିନ୍ତୁ ପ୍ରତିଶ୍ରୁତି ବଦଳରେ ତାଙ୍କୁ କିଛି ମିଳିନାହିଁ। ଠିକ ସେହିପରି ପପଙ୍ଗା ପଞ୍ଚାୟତ ବଡ଼ପିପିଲିପାଲି ଗାଁର ରାମ ଜାଲ ଓ ସୁବାସିନୀ ଜାଲଙ୍କ ପୁତ୍ର ଶଙ୍କର କ୍ଷେତ୍ରରେ ଘଟିଛି। ଜନ୍ମ ବେଳେ ମଳଦ୍ବାର ନଥିବାରୁ  ତାକୁ ପ୍ରଥମେ ବୁର୍ଲା ଓ ପରେ କଟକ ନେଇଥିଲେ । ସେଠାରେ ଅସ୍ତ୍ରୋପଚାର କରାଯାଇ ପେଟ ଉପରୁ ମଳମୂତ୍ର ବାହାର କରିବା ପାଇଁ ବ୍ୟବସ୍ଥା କରାଗଲା। ସେତିକି ବେଳେ ଶଂକରକୁ ୮ବର୍ଷ ହୋଇଥିଲା। ୧୦ବର୍ଷ ପରେ ମଳଦ୍ବାର ଅସ୍ତ୍ରୋପଚାର କରାଯିବ ବୋଲି ଡାକ୍ତର କହିଥିଲେ। ଶଂକରକୁ ମଧ୍ୟ ପ୍ରଶାସନ ଓ ସ୍ବାସ୍ଥ୍ୟ ଅଧିକାରୀ ଭେଟି ଚିକିତ୍ସା ସୁବିଧା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିଛି ମାସ ପୂର୍ବେ ଶଙ୍କରର ଚିକିତ୍ସା ପାଇଁ ଜାଲ ଦମ୍ପତ୍ତି କଟକ ଯାଇ ସରକାରୀ କାଗଜପତ୍ର ଦେଖାଇ ଚିକିତ୍ସା କରାଇବା ପାଇଁ ଗୁହାରି କରିଥିଲେ‌ ହେଁ ତାଙ୍କୁ ଫେରାଇ ଦିଆଯାଇଥିଲା। ଫଳରେ ପୁଅର ଚିକିତ୍ସା ପାଇଁ ଜାଲ୍‌ ଦମ୍ପତ୍ତି ଅସହାୟ ହୋଇ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର