ପାଣି ଭର୍ତି ଖାଲରେ ପଡ଼ି ଦୁଇ ଶିଶୁକନ୍ୟା ମୃତ

କୁଳିଅଣା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ୍‌ ଚାନ୍ଦୁଆ ଗ୍ରାମରେ ଘଟିଛି ଛାତିଥରା ଘଟଣା। ଗାଁ ନିକଟ ଏକ ବିଲ ଭିତରେ ଥିବା ଖାଲରେ ପଡ଼ି ବିଶ୍ବନାଥ ବେଶ୍ରାଙ୍କ ୩ ବର୍ଷର ଶିଶୁକନ୍ୟା ଶୁଭଶ୍ରୀ ଏବଂ ଚାରୁ ବେଶ୍ରାଙ୍କ ୨ ବର୍ଷର ଶିଶୁକନ୍ୟା ସୁକଲମଣିଙ୍କ ଜୀବନ ଯାଇଛି। ସୂଚନା ଅନୁସାରେ; ଚାନ୍ଦୁଆ-ହଳଦିଆ ରାସ୍ତାକାମ ଚାଲିଥିବା ବେଳେ ଗାଁ ପାଖ ଏକ ଜମିରୁ ମୋରମ୍‌ ନେଇ ବ୍ୟବହାର କରାଯାଇଥିଲା। ଫଳରେ ଉକ୍ତ ଜମିରେ ବିରାଟ ଖାଲ ସୃଷ୍ଟି ହୋଇଥିଲା। ଏବେ ବର୍ଷା ହେଉଥିବାରୁ ସେହି ଖାଲରେ ପାଣି ଭର୍ତି ଥିଲା। ତେବେ ଆଜି ସକାଳେ ଶୁଭଶ୍ରୀ ଓ ସୁକଲମଣି ଘର ପାଖରୁ ପ୍ରାୟ ୫୦ ମିଟର ଦୂର ଏହି ଖାଲ ପାଖରେ ଖେଳୁଥିଲେ। ଏତିକିବେଳେ ଉଭ‌ୟେ ସେହି ଖାଲରେ ପଡ଼ି ବୁଡ଼ିଯାଇଥିଲେ। ଘରଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ହେଲେ କିଛି ସମୟ ପରେ ଉଭୟଙ୍କ ଶବ ଉକ୍ତ ଖାଲ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। ଏନେଇ ଚାନ୍ଦୁଆ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ଏନେଇ ଥାନାରେ ୨୭/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର