ବାଣ ବିସ୍ଫୋରଣରେ କାନ୍ଥ ସହ ଭୁଶୁଡ଼ିଲା ଛାତ : ଦୁଇ ପିଲା ମୃତ, ଜଣେ ଗୁରୁତର

ପଣ୍ଡୁଆ/ କାମାକ୍ଷାନଗର : କାମାକ୍ଷାନଗର ବ୍ଲକ୍ ତୁମୁସିଂହା ଥାନା ସୋଗର ଗ୍ରାମର ନୂଆସାହିରେ ଆଜି ଅଘଟଣ ଘଟିଛି। ଅଗ୍ନିକାଣ୍ଡ ଘଟି ଦୁଇଟି ନିଷ୍ପାପ ବାଳକଙ୍କ ଜୀବନ ଚାଲିଯାଇଛି। ଅନ୍ୟ ଜଣେ ବାଳକକୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଅଗ୍ନିକାଣ୍ଡରେ ଘରେ ଥିବା ବାଣ ବିସ୍ଫୋରଣ ଯୋଗୁ କାନ୍ଥ ସହ ଦୁଇ ମହଲା ଛାତ ମଧ୍ୟ ଭୁଶୁଡ଼ି ପଡ଼ିଛି।

ଆଜି ପୂର୍ବାହ୍ଣ ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଅଘଟଣ ଘଟିଥିଲା। ଲକ୍‌ଡାଉନ୍ ଯୋଗୁଁ ସ୍କୁଲ ବନ୍ଦ ଥିବାରୁ ସୋଗର ନୂଆ ସାହିର ସରୋଜ କୁମାର ସାହୁଙ୍କ ଦୁଇ ପୁଅ ସମ୍ବିତ୍ (୧୨)ଓ ସାଇ(୭) ଏବଂ ପଡୋଶୀ ମନୋଜ କୁମାର ସାହୁଙ୍କ ପୁଅ କୃଷ୍ଣ (୮) ତିନିଜଣ ସାଙ୍ଗ ହୋଇ ସରୋଜଙ୍କ ଉପର ମହଲା ଘରେ ଖେଳୁଥିଲେ। ଏହି ସମୟରେ ଛାତ ଉପରେ ପ୍ରଚଣ୍ଡ ଶବ୍ଦ ସହ ଘରେ ହୁ ହୁ ହୋଇ ନିଆଁ ଜଳି ଉଠିଥିଲା। ଏହା ଦେଖି ପରିବାର ଲୋକେ ଓ ପଡ଼ୋଶୀ ଆତଙ୍କିତ ହୋଇପଡ଼ିଥିଲେ। ନାବାଳକ ତିନିଜଣ ସେହି ନିଆଁ ମଧ୍ୟରେ ଫସି ଯାଇଥିଲେ। ଯେତେ ଚେଷ୍ଟା କଲେ ମଧ୍ୟ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିପାରିନଥିଲେ। ଖବର ପାଇ କାମାକ୍ଷାନଗର ଦମକଳବାହିନୀ ଆସି ନିଆଁକୁ ଆୟତ୍ତ କରିବା ପରେ ଫସି ରହିଥିବା ୩ ନାବାଳକଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ସାଇ ଓ କୃଷ୍ଣଙ୍କ ଶରୀରର ପ୍ରାୟ ୭୦ ଭାଗ ଓ ଏବଂ ସମ୍ବିତର ଶରୀରର ପ୍ରାୟ ୪୦ ଭାଗ ନିଆଁରେ ପୋଡ଼ି ହୋଇ ଯାଇଥିଲା। ପଣ୍ଡୁଆ ଫାଣ୍ଡି ଅଧିକାରୀ ଶ୍ବେତପଦ୍ମା ବିଶ୍ବାଳ ଏବଂ ତୁମୁଡସିଂହା ଥାନା ଅଧିକାରୀ ଆନନ୍ଦ ଡୁଙ୍ଗଡୁଙ୍ଗ୍ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ନାବାଳକ ତିନିଜଣଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ସାଇ ଓ କୃଷ୍ଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେl ସମ୍ବିତଙ୍କ ଅବସ୍ଥା ଉଦ୍‌ବେଗଜନକ ଥିବାରୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।

ଅଗ୍ନିକାଣ୍ଡର କାରଣ ଜଣାପଡିନଥିବାବେଳେ ପିଲାମାନେ ଖେଳୁଥିବାବେଳେ କୌଣସି କାରଣବଶତଃ କିମ୍ବା ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁଁ ଏପରି ଅଘଟଣ ଘଟିଲା ବୋଲି ସନ୍ଦେହ କରାଯାଉଛି। ବାଣ ଓ ସୋଲ ସାମଗ୍ରୀ ପାଇଁ ଅଗ୍ନିକାଣ୍ଡର ଭୟlବହତା ଏତେ ମାତ୍ରାରେ ହୋଇଥିଲା ଯେ ଏଥିରେ ଘରର କାନ୍ଥ ଭାଙ୍ଗିଯିବାରୁ ଉପର ମହଲ ଘର ଛାତ ଭୁଶୁଡ଼ି ପଡିଥିବା ଅନୁମାନ କରାଯାଉଛି।

ଏ ସମ୍ପର୍କରେ ଥାନା ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ, ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଏନେଇ ତଦନ୍ତ ଚାଲୁ ରହିଛି । ମୃତ ଦୁଇ ବାଳକଙ୍କ ଶବ ବ୍ୟବଚ୍ଛେଦ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୋଇଛି। ଗୁରୁତର ଆହତ ସମ୍ବିତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଆଇସିୟୁରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ବେଆଇନ୍ ଭାବେ ବାଣ ରଖିବା ଅଭିଯୋଗରେ ସରୋଜ ନାମରେ ଏକ ମାମଲା ରୁଜୁ ହୋଇଛି । କାମାକ୍ଷାନଗର ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣା ସଂପର୍କରେ ତଦନ୍ତ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର