ବାଲିକୁଦା : ବାଲିକୁଦା ବ୍ଲକ ଅନ୍ତର୍ଗତ ବୋରିକିନା ପଞ୍ଚାୟତର କୋସିଦା ଗାଁରେ ଗ୍ୟାସ ଟାଙ୍କିରୁ ଅଗ୍ନିକାଣ୍ଡ ଘଟି ଦୁଇ ଶିଶୁ ଗୁରୁତର ହୋଇଥିବା ଜଣାପଡିଛି। ଅଧା ପୋଡା ଅବସ୍ଥାରେ ଉଭୟ ଶିଶୁ ଦ୍ୱୟଙ୍କୁ ପ୍ରଥମେ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ସେମାନଙ୍କ ପ୍ରାଥମିକ ଚିକିତ୍ସା କରାଯିବା ପରେ ଉଭୟଙ୍କୁ ଅଧିକ ଚିକିତ୍ସା ପାଇଁ ଜଗତସିଂହପୁର ଓ ପରେ କଟକ ପଠାଇ ଦିଆ ଯାଇଥିବା ସୂଚନା ମିଳିଥିଲା।
ସୂଚନାଯୋଗ୍ୟ ଯେ ଉକ୍ତ ଗାଁର ଗଣେଶ ମଲ୍ଲିଙ୍କ ଘରେ ରୋଷେଇ ପାଇଁ ଥିବା ଗ୍ୟାସ ଟାଙ୍କିକୁ ତାଙ୍କ ୮ ବର୍ଷର ଝିଅ ଶ୍ରାବଣୀ ମଲ୍ଲିକ ଗ୍ୟାସର ରେଗୁଲେଟରକୁ ଖୋଲି ଦେଇଥିଲେ। ଫଳରେ ଗ୍ୟାସ ଟାଙ୍କିରୁ ଚୁଲାକୁ ପ୍ରବାହିତ ହୋଇଥିଲା। ସେହି ସମୟରେ କିଛି ଗୋଟିଏ କାରଣରୁ ଗଣେଶଙ୍କ ପରିବାର ଲୋକେ ଦିଆସିଲି ମାରି ଦେଇଥିଲେ। ଫଳରେ ପ୍ରବାହିତ ଗ୍ୟାସ ଜଳିବାକୁ ଲାଗିଥିଲା। ଗ୍ୟାସ ନିଆଁରେ ଶ୍ରାବଣୀ ନିଜେ ପୋଡି ହୋଇ ଯାଇଥିବା ବେଳେ ସେଠାରେ ଶୋଇଥିବା ତାଙ୍କର ୧୦ ମାସର ସାନ ଭାଇ ରୁଦ୍ର ମଲ୍ଲିକ ପୋଡି ହୋଇଯାଇଥିଲେ। ଝିଅ ଶ୍ରାବଣୀଙ୍କ ଦେହର ପ୍ରାୟ ୨୫ ଭାଗ ପୋଡି ଯାଇଥିବା ବେଳେ ପୁଅ ରୁଦ୍ରର ଦେହ ପ୍ରାୟ ୧୫ ଭାଗ ପୋଡି ଯାଇଥିବା ଜଣାପଡିଛି।