ପୋଖରୀରେ ବୁଡ଼ି ଦୁଇ ଶିଶୁ ମୃତ

ଭୋଗରାଇ/କମର୍ଦା/ସୋର : ପୋଖରୀରେ ବୁଡ଼ି ଆଜି ପୃଥକ୍‌ ପୃଥକ୍‌ ସ୍ଥାନରେ ଦୁଇଜଣ ଶିଶୁର ମୃତ୍ୟୁ ଘଟିଛି। ଯାହା ଜଣାପଡ଼ିଛି; ପଶ୍ଚିମବଙ୍ଗ ବେଲଦା ଅଞ୍ଚଳର ଉତ୍ତମ କୁମାର ମାଇତି ପରିବାର ସହ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ କାନପୁର ଗ୍ରାମରେ ଥିବା ତାଙ୍କ ବନ୍ଧୁ ଘରକୁ ଆସିଥିଲେ। ତେବେ ସୋମବାର ସକାଳେ ତାଙ୍କର ୪ ବର୍ଷର ପୁଅ ସୁମନ ଖେଳୁଥିବା ବେଳେ ଆଉ ମିଳିନଥିଲା।  ଅନେକ ଖୋଜାଖୋଜି ପରେ ନିକଟସ୍ଥ ପୋଖରୀରେ ବୁଡ଼ିଯାଇଥିବା ସଂଦେହ କରି ଅପରାହ୍ନରେ ଭୋଗରାଇ ଦମକଳ କେନ୍ଦ୍ରକୁ ଖବର ଦିଆଯାଇଥିଲା। ଭୋଗରାଇ ଦମକଳ କେନ୍ଦ୍ରର ପଞ୍ଚାନନ ସୋରେନଙ୍କ ନେତୃତ୍ୱରେ ମନୋରଞ୍ଜନ ପ୍ରଧାନ, ହାବିଲଦାର ଜଗମୋହନ ସିଂ, ଆଗ୍ନିକ ସୁକାନ୍ତ କୁମାର ସ୍ୱାଇଁ, ଦୀପକ ମହାନ୍ତି, ରଣଜିତ ନାୟକ ପ୍ରମୁଖ ଗାଁରେ ପହଂଚି ଦୁଇଟି ପୋଖରୀରେ ଖୋଜାଖୋଜି କରିଥିଲେ। ବହୁ ସମୟ ପରେ ପୋଖରୀରୁ ସୁମନକୁ ଉଦ୍ଧାର କରାଯାଇ ଜଳେଶ୍ୱରପୁର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ସେହିପରି ନୀଳଗିରି ଥାନା ଅଧୀନ ସନ୍ତରାଗଢ଼ିଆ ଖଲେଇ ଗ୍ରାମର ମଙ୍ଗଳ ସିଂଙ୍କ ପୁଅ ଶିବା(୪) ଘର ପାଖ ପୋଖରୀରେ ପଡି ମୃତ୍ୟୁ ବରଣ କରିଛି। ଗତକାଲି ପୂର୍ବାହ୍ନରେ ଘର ପାଖରେ ଖେଳୁଥିବା ବେଳେ ନିକଟସ୍ଥ ପୋଖରୀରେ ପଡି ଯାଇଥିଲା। ଦିନ ସାରା ଘର ଲୋକେ ଖୋଜାଖୋଜି କରି  ସଂଧ୍ୟାରେ ଫୋଖରୀରୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ନୀଳଗିରି ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର