ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ସୋରଡ଼ା ଗ୍ରାମରେ ଦୁଇ ଜଣ ଶିଶୁ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ବୁଡ଼ିଯିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଦୁଇ ଜଣ ହେଲେ ସୋରଡ଼ା ଗ୍ରାମର ବାବୁ ନାୟକଙ୍କ ପୁଅ ରାକେଶ ନାୟକ (୫) ଏବଂ ଓଡ଼ଗାଁ ବ୍ଲକ୍‌ ଆରଡ଼ା ଗ୍ରାମର ମହେଶ ନାୟକଙ୍କୁ ପୁଅ ରିତେଶ ନାୟକ (୬)।

Advertisment

ମିଳିଥିବା ସୂଚନା ଅନୁଯାୟୀ, ରାକେଶ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠ ପଢ଼ୁଥିବା ବେଳେ ସେ ଆଜି ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇନଥିଲେ। ସେହିପରି ମହେଶ ପ୍ରଥମ ଶ୍ରେଣୀରେ ପାଠ ପଢୁଥିବା ବେଳେ ସେ ଗତକାଲି ସୋରଡ଼ାସ୍ଥିତ ଅଜାଙ୍କ ଘରକୁ ବୁଲିବାକୁ ଆସିଥିଲା। ଆଜି ପୂର୍ବାହ୍ଣ ସାଢ଼େ ୧୦ଟା ବେଳେ ସୋରଡ଼ା ଶିବ ମନ୍ଦିର ନିକଟରେ ଥିବା ପୋଖରୀକୁ ଦୁଇ ଜଣ ଶିଶୁ ଗାଧୋଇବାକୁ ଯାଇଥିଲେ। ସେମାନେ ଘରକୁ ଆସିବାରେ ବିଳମ୍ବ ହେବା ହେତୁ ପରିବାର ଲୋକ ବହୁ ଖୋଜାଖୋାଜି କରିଥିଲେ ମଧ୍ୟ ପାଇନଥିଲେ। ପରେ ପୋଖରୀରେ ଗାଧୋଇବାକୁ ଯାଇଥିବା ଗ୍ରାମର ଜନୈକ ବ୍ୟକ୍ତି ସାଢ଼େ ୧୧ଟା ବେଳକୁ ଦୁଇ ଶିଶୁ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ।

ଗ୍ରାମବାସୀ ଦୁଇ ଶିଶୁଙ୍କୁ ପୋଖରୀରୁ ଉଦ୍ଧାର କରିବା ସହ ସୋରଡ଼ା ଗ୍ରାମକୁ ନେଇ ଆସିଥିଲେ। ଏକ ଅଟୋରେ ଦଶପଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ଶିଶୁ ଦ୍ବୟଙ୍କୁ ମୃତ ଘୋଷଣା କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ। ମୃତ ଖବର ଶୁଣିବା ପରେ ଦୁଇ ପରିବାରରେ ଶୋକର ଛାୟା ଖେଳିଯାଇଛି। ଦୁଇ ନାବାଳକ ଶିଶୁଙ୍କ ବାପା ଦ୍ବୟ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ ରହି କାମ କରୁଛନ୍ତି। ରାକେଶର ବାପା ବାବୁ ନାୟକ ତାମିଲନାଡ଼ୁରେ ଏବଂ ରିତେଶର ବାପା ମହେଶ ନାୟକ କେରଳରେ ରହି ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ସେଠାରୁ ଯାହା କିଛି ରୋଜଗାର ହୁଏ ସେଥିରେ ସେମାନଙ୍କର ପରିବାର ଚଳିଥାଏ। ବାବୁଙ୍କର ଆଉ ଗୋଟିଏ ପୁଅ ରହିଥିବା ବେଳେ ମହେଶଙ୍କର ଗୋଟିଏ ଛୋଟ ଝିଅ ରହିଛି।