ଘରେ ପଶିଗଲା ଟ୍ରକ୍‌: ଦୁଇ ଶିଶୁ ମୃତ, ଦୁଇ ଗୁରୁତର

ସୁକିନ୍ଦା : ସୁକିନ୍ଦା ଥାନା ଧେଉରାସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ବାବୁଲି ମୁଣ୍ଡାଙ୍କ ଘର ଉପରେ ଟ୍ରକ୍‌ ମାଡ଼ିଯିବାରୁ ଘରେ ଥିବା ଦୁଇଜଣ ଶିଶୁଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ମିତ୍ରଭାନୁ ବେହେରା ଟ୍ରକ୍‌ (ଓଆର-୦୯ବି-୭୮୯୭)ନେଇ ଧୋଇବାକୁ ଯାଉଥିଲେ। ମାତ୍ର ଭାରସାମ୍ୟ ହରାଇ ବସିବାରୁ ଗାଡ଼ିଟି ବାବୁଲି ମୁଣ୍ଡାଙ୍କ ଘର ଉପରକୁ ମାଡ଼ି ଯାଇଥିଲା। ଘରେ ଖେଳୁଥିବା ବାବୁଲିଙ୍କ ଝିଅ ନନ୍ଦିନୀ (୫), ଓଳିଆ ଗ୍ରାମର ରବି ହେସାଙ୍କ ପୁଅ ଜିତେନ(୪)ଙ୍କ ଉପରେ ଟ୍ରକ୍‌ ଚଢ଼ି ଯାଇଥିଲା। ଦୁହିଁଙ୍କର ସେଠାରେ ଶୋଚନୀୟ ମୃତ୍ୟୁ ଘଟିଥିଲା। ସେଠାରେ ଥିବା କେଶବ ମୁଣ୍ଡାଙ୍କ ଝିଅ ଟୁରକି (୫) ଓ ମୁଚିରାମ ମୁଣ୍ଡାଙ୍କ ପୁଅ ପ୍ରଧାନ (୬) ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ସୁକିନ୍ଦା ପୁଲିସ୍‌ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।

ସମ୍ବନ୍ଧିତ ଖବର