ସୋର: ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଖୋଲିଥିଲା ୨ଟି ଚିଟ୍ଫଣ୍ଡ ସଂସ୍ଥା। ଏଜେଣ୍ଟମାନଙ୍କ ଜରିଆରେ ବିଭିନ୍ନ ସ୍ଥାନରୁ ପାଖାପାଖି ୪୦୦ କୋଟି ଟଙ୍କା ସଂଗ୍ରହ ହୋଇଥିଲା। ହେଲେ ପରେ ଉଭୟ ସଂସ୍ଥା ଟଙ୍କା ନେଇ ଉଭାନ୍ ହୋଇ ଯାଇଥିଲେ। ଏପରି ସମୟରେ ଜମାକାରୀମାନେ ଏଜେଣ୍ଟମାନଙ୍କୁ ଟଙ୍କା ଫେରାଇବା ପାଇଁ ତାଗିଦ କରିଥିଲେ। ଫଳରେ ଏଜେଣ୍ଟମାନେ ପ୍ରାୟଶ୍ଚିତ ନ୍ୟାୟରେ ସେମାନେ ବହୁ କଷ୍ଟ ସହି ମାସକୁ ମାସ ଟଙ୍କା ଫେରାଉଥିବା ଜଣାପଡ଼ିଛି।
ସୂଚନା ଅନୁସାରେ; ୨୦୧୭ ମସିହାରେ ସୋର ଷ୍ଟେସନ୍ଛକର ପଣ୍ଡା କମ୍ପ୍ଲେକ୍ସରେ ‘ଏଲ୍ଏଫ୍ଏସ୍ ବ୍ରୋକିଂ’ ନାମକ ଏକ ଚିଟ୍ଫଣ୍ଡ ସଂସ୍ଥାର କାର୍ଯ୍ୟାଳୟ ଖୋଲିଥିଲା। ତାହିର ବେଗ ନାମକ ଜଣେ ବ୍ୟକ୍ତି ଏହାର ମାଲିକ ଥିଲେ। ସଂସ୍ଥାର ୧୦୦ରୁ ଅଧିକ ଏଜେଣ୍ଟ ସେୟାର ମାର୍କେଟ୍ରେ ଟଙ୍କା ବିନିଯୋଗ ପୂର୍ବକ ସୁଧର ଲୋଭ ଦେଖାଇ ସୋର ସହ ବିଭିନ୍ନ ଅଞ୍ଚଳର ଶତାଧିକ ଲୋକଙ୍କଠାରୁ ୩୦୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲେ। ସେହିପରି ୨୦୨୨ ମସିହାରେ ସୋର ତହସିଲ ସମ୍ମୁଖରେ ‘ଟ୍ରୟାଲିଟି ଭେଞ୍ଚର୍ସ’ ନାମକ ଏକ ଚିଟ୍ଫଣ୍ଡ ସଂସ୍ଥା ଖୋଲିଥିଲା। ଯାହାର ମାଲିକ ଥିଲେ ତୃପ୍ତିକାନ୍ତ ପାଣିଗ୍ରାହୀ। ସଂସ୍ଥାର ୫୦ରୁ ଅଧିକ ଏଜେଣ୍ଟ ଅଧିକ ସୁଧର ଲୋଭ ଦେଖାଇ ଲୋକଙ୍କଠାରୁ ୧୦୦ କୋଟିରୁ ଅଧିକ ଟଙ୍କା ଉଠାଇଥିଲେ। ହେଲେ ପରେ ଉଭୟ ସଂସ୍ଥା ୪୦୦ କୋଟିରୁ ଅଧିକ ଟଙ୍କା ନେଇ କିଛି ମାସ ବ୍ୟବଧାନରେ ରାତାରାତି ଉଭାନ୍ ହୋଇଯାଇଥିଲେ। ଯାହା ଜମାକାରୀମାନଙ୍କୁ ଚିନ୍ତାରେ ପକାଇଥିଲା।
ଅନ୍ୟପଟେ ଜମାକାରୀମାନେ ଏବେ ଉଭୟ ଚିଟ୍ଫଣ୍ଡ ସଂସ୍ଥା ଉପରୁ ଆସ୍ଥା ହରାଇ ଏଜେଣ୍ଟମାନଙ୍କ ଉପରେ ଦାଉ ସାଧୁଛନ୍ତି। ଜମାଟଙ୍କା ଫେରାଇବାକୁ ଚେତାବନୀ ଦେଉଛନ୍ତି। ଫଳରେ ଯେଉଁମାନେ ମଧ୍ୟସ୍ଥି ସାଜି, ବିଭିନ୍ନ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଟଙ୍କା ଜମା କରିବାକୁ ପ୍ରବର୍ତ୍ତାଇ ଥିଲେ, ସେମାନେ ଉପାୟ ନପାଇ ନିଜ ପକେଟ୍ରୁ ଟଙ୍କା ଫେରାଉଛନ୍ତି। ଏଥିପାଇଁ ପାଖାପାଖି ୪୦ ଜଣ ଏଜେଣ୍ଟଙ୍କୁ ବେସରକାରୀ ଚାକିରି ସହ ଦାଦନ ଖଟିବାକୁ ପଡ଼ୁଥିବା ଜଣାପଡ଼ିଛି। ତେବେ ଏପରି ସମୟରେ ସଂପୃକ୍ତ ଏଜେଣ୍ଟଙ୍କ ପରିବାର ଲୋକ ଦୟନୀୟ ଅବସ୍ଥାରେ ରହୁଛନ୍ତି। ସେମାନେ ଗୁହାରି କରିଛନ୍ତି, ସରକାର ତୁରନ୍ତ ବିହିତ ପଦକ୍ଷେପ ନିଅନ୍ତୁ ଏବଂ ଜମାକାରୀଙ୍କୁ ସେମାନଙ୍କର ଟଙ୍କା ଫେରସ୍ତ ଦେଇ ବିପଦରୁ ରକ୍ଷା କରନ୍ତୁ। ଉଲ୍ଲେଖ ଥାଉକି; ଗତ ଜାନୁଆରି ୧୬ ତାରିଖ ଦିନ ଜମାକାରୀ ଓ ଏଜେଣ୍ଟମାନେ ‘ଟ୍ରୟାଲିଟି ଭେଞ୍ଚର୍ସ’ର ମାଲିକ ଶ୍ରୀ ପାଣିଗ୍ରାହୀଙ୍କୁ ଧରିଥିଲେ ଏବଂ ସୋର ପୁଲିସର ଜିମା ଦେଇଥିଲେ। ଫଳରେ ପୁଲିସ ୪୭/୨୫ରେ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି। ସେହିପରି ‘ଏଲ୍ଏଫ୍ଏସ୍ ବ୍ରୋକିଂ’ ବିରୋଧରେ ଏକ ମାମଲା ଇଓଡବ୍ଲ୍ୟୁରେ ରୁଜୁ ହୋଇଥିବା ବେଳେ ମାଲିକ ଶ୍ରୀ ବେଗ ଫେରାର୍ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/25/aVpYtOE1B8UczuXW26HC.jpg)