ଖାଉଟି ବିବାଦର ତ୍ୱରିତ ସମାଧାନ ପାଇଁ ଖୋଲିବ ୨ ସର୍କିଟ୍‌ ବେଞ୍ଚ୍‌

ଭୁବନେଶ୍ୱର : ଖାଉଟି ବିବାଦଗୁଡ଼ିକର ତ୍ୱରିତ ସମାଧାନ ପାଇଁ ବ୍ରହ୍ମପୁର ଓ ସମ୍ବଲପୁରରେ ଦୁଇଟି ‘ସର୍କିଟ୍‌ ବେଞ୍ଚ୍‌’ ଗଠନ କରାଯିବ। ରାଜ୍ୟ ଖାଉଟି ବିବାଦ ପ୍ରତିକାର ଆୟୋଗଙ୍କ ଅଧୀନରେ ଏହା କାର୍ଯ୍ୟ କରିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ହୋଟେଲ୍‌ ସ୍ୟାଣ୍ଡିସ୍‌ ଟାଓ୍ଵାରରେ ଅନୁଷ୍ଠିତ ଖାଉଟି ସୁରକ୍ଷା ଆଇନ ରାଜ୍ୟସ୍ତରୀୟ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ କହିଲେ, ଏବେ କେବଳ ଖୋର୍ଧାରେ ୨୦୦୦ ଖାଉଟିଙ୍କ କେସ୍‌ ପଡ଼ି ରହିଛି। ଏକ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ଏଗୁଡ଼ିକର ବିଚାର କରିବାକୁ ସେ ଉପସ୍ଥିତ ବିଭିନ୍ନ ଜିଲ୍ଲା ଖାଉଟି ଅଦାଲତର ବିଚାରକଙ୍କୁ ପରାମର୍ଶ ଦେଇଥିଲେ। ଏଥିସହିତ କେସ୍‌ ଫଇସଲା ହେବାର ନିର୍ଦିଷ୍ଟ ସମୟସୀମା ମଧ୍ୟରେ ଯେପରି ଲୋକଙ୍କୁ କ୍ଷତିପୂରଣ ମିଳେ ସେନେଇ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।

ସେ ଏକଥା ବି କହିଲେ, ଅନ୍‌ଲାଇନ୍‌ ଓ ଚେନ୍‌ ସିଷ୍ଟମରେ ବ୍ୟବସାୟ କରୁଥିବା ସଂସ୍ଥା ବିଭିନ୍ନ ସମୟରେ ଠକୁଥିବା ନଜରକୁ ଆସୁଥିବାରୁ ସେମାନେ ଓଡ଼ିଶାରେ ପଞ୍ଜୀକରଣ କରିବାକୁ ବାଧ୍ୟତାମୂଳକ କରାଯାଇଛି ବୋଲି ସେ କହିଥିଲେ। ସେହିଭଳି ଆଗରୁ ଚାଷୀମାନେ ସୋସାଇଟିକୁ ଋଣ ପାଇଁ ଆସୁଥିବା ବେଳେ ଏବେ ସୋସାଇଟି ଚାଷୀ ପାଖକୁ ଯାଇ ଋଣ ଦେବ। ସେଥିପାଇଁ ‘ସମବାୟ ଚାଷୀ ଦ୍ୱାରରେ’ ଯୋଜନା କରାଯାଇଛି ବୋଲି ସେ କହିଥିଲେ। ଖାଉଟି ବିବାଦ ପ୍ରତିକାର ଆୟୋଗର ସଭାପତି ନ୍ୟାୟମୂର୍ତି ବିଜୟକୃଷ୍ଣ ପଟେଲ୍‌ ଜିଲ୍ଲା ସଭାପତି ଓ ସଦସ୍ୟଙ୍କ ଆୟ ଏବଂ କର୍ମଚାରୀ ଅଭାବ ସମ୍ପର୍କରେ ଆଲୋକପାତ କରିଥିଲେ। ବିଭାଗୀୟ ଶାସନ ସଚିବ ଭିଭି ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭାଗର ପରାମର୍ଶଦାତା ବିଜନ ମିଶ୍ର, ଆଇନ ବିଶେଷଜ୍ଞ ରେଖା ଅଗ୍ରଓ୍ଵାଲ୍‌, ପ୍ରାକ୍ତନ ପ୍ରଶାସକ ଏଲ୍‌ ମାନସିଂହ ପ୍ରମୁଖ ଯୋଗଦେଇ ଖାଉଟି ଅଦାଲତଗୁଡ଼ିକର ସୁଦୃଢ଼ୀକରଣ ଉପରେ ଆଲୋଚନା କରିଥିଲେ। ଶେଷରେ ଖାଉଟି ବ୍ୟାପାର ବିଭାଗର ନିର୍ଦେଶକ ଅନନ୍ତ କୁମାର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।

କର୍ମଶାଳାରେ ଦୁଇଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ବୈଷୟିକ ଅଧିବେଶନରେ ଆମ୍‌େଓ୍ଵ ଇଣ୍ଡିଆର କର୍ପୋରେଟ୍‌ ବ୍ୟାପାର ମୁଖ୍ୟ ରଜତ ବାନାର୍ଜୀ, ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ୍‌ର ପ୍ରଫେସର ଏମ୍‌ଏନ୍‌ ତ୍ରିପାଠୀ ଯୋଗଦେଇ ଖାଉଟି ସୁରକ୍ଷା ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ।

ସମ୍ବନ୍ଧିତ ଖବର