ଜୟପୁର: କୋରାପୁଟ ଜିଲ୍ଲା ଜୟପୁର–ବୋରିଗୁମ୍ମା ଜାତୀୟ ରାଜପଥ କଡ଼ ଜୟପୁର ଜୀବନବୀମା କାର୍ଯ୍ୟାଳୟ ପାର୍ଶ୍ବରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ୩୦ଟି ସିଟି ବସ ମଧ୍ୟରୁ ୨ଟିରେ ନିଆଁ ଲାଗିଯାଇଛି। ସୂଚନା ପାଇ ଜୟପୁର ଅଗ୍ନିଶମ ବିଭାଗର ସହକାରୀ ଅଗ୍ନିଶମ ଅଧିକାରୀ ସୁରେଶ ବାରିକ ସଦଳବଳକୁ ନେଇ ନିଆଁ ଲିଭାଇଥିଲେ।

Advertisment

ମିଳିଥିବା ସୂଚନା ମୁତାବକ,୨୦୧୬ମସିହାରେ ରାଜ୍ୟସରକାର ୨୦ଟି ବସକୁ ନେଇ ଆରମ୍ଭ କରିଥିଲେ ‘‘ସିଟି ବସ ‌ସେବା ’’ ଯୋଜନା। ଜୟପୁରରୁ କୋରାପୁଟ, ବୋରିଗୁମ୍ମା, କୋଟପାଡ, କୁନ୍ଦୁରା, ପଟାଙ୍ଗି, ସୁନାବେଡା, ସିମିଳିଗୁଡା ଆଦି ଗାଁକୁ ଏହି ସିଟି ବସ ସେବା ଆରମ୍ଭ ହୋଇଥିଲା। ଜୟପୁର-କୋରାପୁଟ-ସୁନାବେଡ଼ା ଅର୍ବାନ ଟ୍ରାନସଫୋର୍ଟ ଟ୍ରଷ୍ଟ ଗଠନ କରାଯାଇଥିଲା। ଏଥିରେ ଅଧ୍ୟକ୍ଷ ଜିଲ୍ଲାପାଳ, ଟ୍ରଷ୍ଟର ସଭ୍ୟ ଭାବେ ଏସପି, ଜୟପୁର, ସୁନାବେଡା, କୋରାପୁଟ ଓ କୋଟପାଡ ପୌରପାଳିକା ନିର୍ବାହୀ ଅଧିକାରୀ, କ୍ରିଟ ସଂପାଦକ, ଆରଟିଓ, ହାଲ, ନାଲକୋ ଓ ବିଭାଗର ଜଣେ ମନୋନୀତ ପ୍ରତିନିଧି ଏଥିରେ ସଭ୍ୟ। ଏପରିକି ଜୟପୁର ପୌରପାଳିକା ଏହି ଟ୍ରଷ୍ଟ ପାଇଁ ଜୟପୁର ପୌରପାଳିକା ୪ଲକ୍ଷ, କୋରାପୁଟ ‌ପୌରପାଳିକା ୨ଲକ୍ଷ , ସୁନାବେଡା ପୌରପାଳିକା , କ୍ରିଟ୍ , ନାଲକୋ ଓ ହାଲ ଏକ ଲକ୍ଷ ଲେଖାଏଁ ଏଭଳି ୧୦ଲକ୍ଷ ଜମା କରାଯାଇଥିଲା।

publive-image

ସରକାରଙ୍କ ତରଫରୁ ଟେଣ୍ଡର ପ୍ରକ୍ରିୟା କରିବା ସହ ଟ୍ରଷ୍ଟ ସହ  ଠିକା ସଂସ୍ଥା ଚୁକ୍ତି କରି ନେଇଥିଲେ। ଅନେକ ସର୍ତ୍ତ ବି ରଖାଯାଇଥିଲା। ସହର ଓ ଗ୍ରାମାଂଚଳ ଲୋକଙ୍କୁ ଗମନାଗମନ ସୁବିଧା ଯୋଗାଇବ । ବସରେ ସିଟ୍ ଯେତିକି, ସେତିକି ଯାତ୍ରୀ ଯାତାୟାତ କରିବେ । ଏବଂ ଜିଲ୍ଲା ପ୍ରଶାସନ ଏହାର ତଦାରଖ କରିବେ । କିନ୍ତୁ ସେମିତି କିଛି ହେଲା ନାହିଁ । ହେଲେ ଆରମ୍ଭର ମାତ୍ର ୩ ମାସରେ  ସେବା ଠପ୍ ହୋଇଯାଇଥିଲା। ତା ପର ଠାରୁ  ସବୁ ବସ ଗୋଟିଏ ପଡିଆରେ ଠିଆ ହୋଇଥିବା ବେଳେ ଏବେ ଖତଗଦା ପାଲଟି ଯାଇଛି । ୫ କୋଟି ୨୦ ଲକ୍ଷ ଟଙ୍କାର ବସ ଗଡିବା ଠାରୁ ଆରମ୍ଭ କରି ଗୋଟିଏ ସ୍ଥାନରେ ଠିଆ ହୋଇ ଖତ ହେବା ଯାଏଁ ଜିଲ୍ଲା ପ୍ରଶାସନ ତଦାରଖ କରିବା କିଭଳି ଏହି ବସ ଗୁଡିକ ଚାଳିବ ସେ ସଂପର୍କରେ ଦେଖି ନଥିଲେ। ଜାନୁଆରୀ ମାସରେ  ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କାର ଏହି ଅତ୍ୟାଧୁନିକ ବସ ଗୁଡ଼ିକୁ ସ୍କ୍ରାପରେ  ବିକ୍ରୀ କରି କିଛି ଟଙ୍କା ବାହାର କରି ସରକାରୀ ତହବିଲରେ ଜମା କରିବାକୁ ବିଭାଗୀୟ ସଚିବ ଜିଲ୍ଲାପାଳଙ୍କୁ ନିର୍ଦ୍ଧେଶ ଦେଇଥିଲେ।  ଏବଂ କ୍ଷତିଭରଣା କରିବାକୁ ଉକ୍ତ ପରିଚାଳନା ଘରୋଇ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ।

ଗତ ୧୦ମାସ ମଧ୍ୟରେ ପ୍ରଶାସନ ଏ ନେଇ ପଦକ୍ଷେପ ନେଇ ନଥିଲେ। ଲତାବୁଧା ମଧ୍ୟରେ ଏସବୁ ଗାଡ଼ି ରହୁଥିବା ବେଳେ ମଦୁଆ ଓ ଅସମାଜିକଙ୍କ ଅଡ୍ଡା ପାଲଟିଛି ଏହି ସ୍ଥାନ। ଏହି ସ୍ଥିତିରେ କେହି ନିଶା ସେବନ କରି ସି‌ଗରେଟ୍ ପିଇ ବୋଧେ ନିଆଁ ଛାଡି ପଳାଇଥିବ ବୋଲି ଅଗ୍ନିଶମ ବିଭାଗ ସଂଦେହ ପ୍ରକାଶ କରୁଛନ୍ତି। ଏଠାରେ ଥିବା ୨୦ଟି ବସରୁ ୨ଟିରେ ନିଆଁ ଲାଗିଥିଲା। ଗୋଟିଏ ବସ ସଂପୁର୍ଣ୍ଣ ହୁତହୁତ୍ ହୋଇ ନିଆଁ ଲାଗିଯାଇଥିବା ବେଳେ ଆଉ ଗୋଟିଏରେ ସ୍ବଳ୍ପ ନିଆଁ ଲାଗିଥିବା କହିଛନ୍ତି ଜୟପୁର ଅଗ୍ନିଶମ ବିଭାଗର ସହକାରୀ ଅଗ୍ନିଶମ ଅଧିକାରୀ। ତେବେ ବେଳ ଥାଉଣୁ ପ୍ରଶାସନ ତୁରନ୍ତ ଏହି ବସ ଗୁଡିକୁକୁ ସ୍କ୍ରାପରେ ବିକ୍ରୀ କରି କିଛି ସରକାରୀ ରାଜସ୍ବ ଭରଣା କରିବାକୁ ମତ ପ୍ରକାଶ ପାଇଛି।