ମାନିଲେନି କୋଭିଡ କଟକଣା; ସହରର ଦୁଇଟି ସମ୍ଭ୍ରାତ କ୍ଲବ ସିଲ କଲା ପ୍ରସାଶନ

ରାଉରକେଲା: ସହରର ଦୁଇଟି ସମ୍ଭ୍ରାନ୍ତ କ୍ଲବ ଉପରେ ପ୍ରଶାସନର ଅତର୍କିତ ଚଢ଼ାଉ। କୋଭିଡ଼ କଟକଣା ଭାଙ୍ଗି ମଦ୍ୟପଙ୍କ ଆସର ଚାଲିଥିଲା ବେଳେ ଆରଏମସି ସ୍କ୍ବାର୍ଡ ଓ ପୁଲିସ ଉଭୟ କ୍ଲବରେ ଚଢ଼ାଉ କରି ସିଲ କରିଛି। କୋଭିଡ କଟକଣାକୁ ଭୁକ୍ଷେପ ନକରି ଉଭୟ କ୍ଳବରେ ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆସର ଚାଲୁଥିବା ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବାପରେ ଏହି ଚଢ଼ାଉ ହୋଇଛି। ଉଭୟ କ୍ଲବ ଆରଏସପି ପ୍ରୋତ୍ସାହନରେ ଚାଲୁଥିବା ବେଳେ ସମ୍ପାଦକ ପଦବୀରେ କାରଖାନାର ଦୁଇଜଣ ବରିଷ୍ଠ ପଦାଧିକାରୀ ଅଛନ୍ତି।

ସବୁଠାରୁ ବିସ୍ମୟକର କଥା ହେଲା ଚଢ଼ାଉ ବେଳେ ଏକ କୋଠରୀ ବାହାରୁ ତାଲା ପଡିଥିବା ବେଳେ ଭିତରେ କିଛି ବ୍ୟକ୍ତି ମଦ୍ୟପାନ କରୁଥିବା ଜଣାପଡିଥିଲା। ପୁଲିସ ଚାବି ମଗାଇ ଖୋଲିବା ପରେ ଭିତରେ ଆରଏସପି କୋଭିଡ ପରିଚାଳନା ମୁଖ୍ୟଙ୍କ ସମେତ ଅନ୍ୟ କିଛି ବରିଷ୍ଠ ପଦାଧିକାରୀ ସ୍କ୍ୱାର୍ଡ ହାବୁଡ଼ରେ ପଡ଼ିଥିଲେ। ଏନେଇ ସେକ୍ଟର-୧୯ ଓ ସେକ୍ଟର-୩ ଥାନା ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। କୋଭିଡ ନିୟମ ଓ କଟକଣା ଉଲଂଘନ ପାଇଁ ଉଭୟ କ୍ଲବ କର୍ତୃପକ୍ଷଙ୍କ ବିରୋଧରେ ପ୍ରଶାସନ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତା’ରି ଉପରେ ଏବେ ସମସ୍ତଙ୍କ ନଜର। ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଏହି ଚଢ଼ାଉ ଘଟଣା ଏବେ ସହରରେ ଚର୍ଚ୍ଚା ର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର